ଏରସମା ଠାରେ କୃଷକ ସଭା ପକ୍ଷରୁ ସମ୍ବିଧାନ ଦିବସ ଓ ଚାଷୀ ଆନ୍ଦୋଳନର ବର୍ଷ ପୂର୍ତ୍ତି ମହା ସମାରୋହରେ ପାଳିତ ।

ଏରସମା,୨୭/୧୧(ପିପିଟି):ଗତକାଲି ନଭେମ୍ବର ୨୬ ସମ୍ବିଧାନ ଦିବସ ଓ ଚାଷୀ ଆନ୍ଦୋଳନର ବର୍ଷ ପୂର୍ତ୍ତି ଉତ୍ସବ କୃଷକ ସଭା ପକ୍ଷରୁ ମହାସମାରୋହରେ ପାଳିତ ହୋଇଯାଇଛି । ଅପରାହ୍ନ ୪ଘଟିକା ସମୟରେ ଏରସମା ସିପିଆଇ କାର୍ଯ୍ୟାଳୟ ରମାକାନ୍ତ ଭବନ ଠାରୁ କୃଷକ ସଭା ଏରସମା ବ୍ଲକ ସଭାପତି ଦାମୋଦର ବେହେରା ଓ ସମ୍ପାଦକ ରାମଚନ୍ଦ୍ର ମୁଦୁଲି, ଚାଷୀ ନେତା ବଇଁଶୀଧର ବେହେରା ଓ ସର୍ବେଶ୍ୱର ବେଉରାଙ୍କ ନେତୃତ୍ୱରେ ଶତାଧିକ କୃଷକମାନଙ୍କର ଏକ ବିରାଟ ପଟୁଆର ଏରସମା ବଜାର ପରିକ୍ରମା କରିବା ସହିତ ଚାଷୀ ଆନ୍ଦୋଳନର ବିଜୟଉତ୍ସବ ଓ ସମ୍ବିଧାନ ଦିବସକୁ ପାଳନ କରିଥିଲେ । ଏହି ଅବସରରେ ଏରସମା ବଜାର ସ୍ଥିତ କାଳୀ ମଣ୍ଡପରେ ଏକ ସାଧାରଣ ସଭା କୃଷକ ନେତା ପିତାମ୍ବର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଏରସମା ବ୍ଲକକୁ ସମ୍ପୂର୍ଣ୍ଣ ଧୋଇ ଅଞ୍ଚଳ ଘୋଷଣା ଦାବୀ ନେଇ ଅନଶନ କରିଥିବା 6ଜଣ କୃଷକ ନେତା ଅଭିଜିତ ସାହୁ, ରାମଚନ୍ଦ୍ର ମୁଦୁଲି, ପ୍ରଫୁଲ୍ଲ ଦାସ, ସର୍ବେଶ୍ୱର ବେଉରା, ଦେବଦତ୍ତ ଦାସ ଓ ବାମର ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାର ପ୍ରାରମ୍ଭରେ ସାମୁହିକ ଭାବରେ ସମ୍ବିଧାନର ପ୍ରସ୍ଥାବନା ପାଠ କରାଯାଇ ଯେ କୋୖଣସି ମୂଲ୍ୟ ଦେଇ ସମ୍ବିଧାନର ସୁରକ୍ଷା କରିବା ପାଇଁ ଶପଥ ଗ୍ରହଣ କରାଯାଇଥିଲା । ଏହି ସଭାରେ କୃଷକ ସଭାର ରାଜ୍ୟ ସଭାପତି ଶଶୀ ଭୂଷଣ ସ୍ୱାଇଁ, ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରାମଚନ୍ଦ୍ର ମୁଦୁଲି, ସିପିଆଇ ବାଲିତୁଠ ଜୋନ ସମ୍ପାଦକ ପ୍ରଫୁଲ୍ଲ ଦାସ ପ୍ରମୁଖ ବକ୍ତବ୍ୟ ରଖି ଆରଏସଏସ ପରିଚାଳିତ ମୋଦୀ ସରକାର ସମୟରେ ଆମ ଦେଶର ଗର୍ବ, ଗୌରବ,ଗାରିମା ଆମ ସମ୍ବିଧାନ ଉପରେ ଆକ୍ରମଣ ତୀବ୍ରତର ହେବା ସହିତ ସାମାଜିକ ନ୍ୟାୟ ଭୁଲୁଣ୍ଠିତ ବୋଲି ମତବ୍ୟକ୍ତ କରିଥିଲେ । ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ କେନ୍ଦ୍ରର ବିଜେପି ସରକାର ଶିକ୍ଷା ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଲୋକଙ୍କ ପାଖରେ ପହଞ୍ଚାଇବାରେ ବିଫଳ ହୋଇଥିବା ବେଳେ ଡିଜେଲ, ପେଟ୍ରୋଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ସହିତ ଜାତୀୟ ମୁଦ୍ରିକରଣ ନାମରେ ଦେଶର ଲାଭଦାୟକ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକୁ ବହୁଜାତିକ ପୁଞ୍ଜିପତି ମାନଙ୍କ ହାତରେ ଟେକି ଦେଇ ଦେଶର ୯୯ ପ୍ରତିଶତ ଲୋକଙ୍କ ସାମାଜିକ ନିରାପତ୍ତାକୁ ବିପନ୍ନ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଓଡ଼ିଶାର ନବୀନ ସରକାର ଚିଟ ଫଣ୍ଡ, ଖଣି, ପାଣି ଇତ୍ୟାଦି ଦୁର୍ନୀତିରେ ସିବିଆଇ ତଦନ୍ତରୁ ବଞ୍ଚିବା ପାଇଁ କେନ୍ଦ୍ର ନରେନ୍ଦ୍ର ମୋଦୀ ସରକାରର ଏ ଟିମ ଭାବେ କାର୍ଯ୍ୟ କରିବା ସହିତ ମୋଦୀ ସରକାରଙ୍କ ଜନବିରୋଧୀ କାର୍ଯ୍ୟକ୍ରମ ଯେପରିକି ୮ଘଣ୍ଟିଆ ଶ୍ରମ ଦିବସକୁ ୧୨ଘଣ୍ଟିଆ ଶ୍ରମ ଦିବସରେ ପରିଣତ କରିବା, ବିଦ୍ୟୁତ ବୋର୍ଡର ଘରୋଇକରଣ ଭଳି ଆଇନକୁ ଦେଶରେ ପ୍ରଥମେ କାର୍ଯ୍ୟକାରୀ କରୁଛି ବୋଲି ଶ୍ରୀ ସାହୁ ଅଭିଯୋଗ କରିଥିଲେ । ଢ଼ିଙ୍କିଆ ଚାରିଦେଶର ଆତ୍ମନିର୍ଭରଶୀଳ କୃଷି ଅର୍ଥନୀତିକୁ ଖତମ କରି କୌଣସି ପରିସ୍ଥିତିରେ ଜିନ୍ଦଲ କମ୍ପାନୀ କରିବାକୁ ଦିଆଯିବ ନାହିଁ ବୋଲି ଅଭିଜିତ ସାହୁ ସରକାରଙ୍କୁ ଚେତାବନୀ ଦେବା ସହିତ ସିପିଆଇ ଜନ ଆନ୍ଦୋଳନ ସହିତ ଅଛି ଓ ଜିନ୍ଦଲ ବିରୋଧୀ ଆନ୍ଦୋଳନର ଯୁକ୍ତିଯୁକ୍ତ ପରିସମାପ୍ତି ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବୋଲି ପ୍ରତିଶୃତି ଦେଇଥିଲେ । କୃଷକ ସଭା ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ ତିନୋଟି କଳା କୃଷି ଆଇନ ବିରୁଦ୍ଧ୍ୟରେ ଦିଲ୍ଲୀ ଚତୁର୍ପାର୍ଶ୍ୱରେ ଚାଲିଥିବା ଚାଷୀ ଆନ୍ଦୋଳନ ସମ୍ମୁଖରେ ତାନାସାହି ମୋଦୀ ସରକାର ମୁଣ୍ଡ ନୁଆଇଁ ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିଥିବାରୁ ଏ ଦେଶର ଅନ୍ନଦାତା ମାନଙ୍କର ବିଜୟ ହୋଇଛି ବୋଲି କହିବା ସହିତ ଜନ ଆନ୍ଦୋଳନ ହିଁ ବଞ୍ଚିବାର ଏକମାତ୍ର ବାଟ ବୋଲି ମତବ୍ୟକ୍ତ କରିଥିଲେ । ସର୍ବଶେଷରେ ଗୀତା, କୋରାନ ଓ ବାଇବେଲ ଠାରୁ ଅଧିକ ଅମୁଲ୍ୟ ଗ୍ରନ୍ଥ ଆମ ଦେଶର ସମ୍ବିଧାନର ସୁରକ୍ଷା ପାଇଁ ଦଳ ମତ ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ଦୁର୍ବାର ଆନ୍ଦୋଳନ ଗଢ଼ିତୋଳିବାକୁ ବକ୍ତାମାନେ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚାଷୀନେତା ଅମରେନ୍ଦ୍ର ଦାସ, ଲକ୍ଷ୍ମୀଧର ମହାପାତ୍ର, ପ୍ରଭାତ ଦାସ, ହୃଷିକେଶ ବିଶ୍ୱାଳ, ବାସୁଦେବ ଖଣ୍ଡୁଆଳ, ସମରେଶ ମୁଦୁଲି, ଶରତ ମଳିକ, ରବୀନ୍ଦ୍ର ପାଟାଲ, ବସନ୍ତ ଦାସ, ବିଜୟ ସାହୁ, ଉତ୍ତମ ହାତି, ବିଶ୍ୱନାଥ ବେହେରା, ବିଜୟ ବେହେରା, ଶ୍ରୀକାନ୍ତ ସ୍ୱାଇଁ, କାହ୍ନା ସେନାପତି, ନଟବର ବାରିକ, ନଟବର ସ୍ୱାଇଁ ଓ ମାନସ ମୁଦୁଲି ପ୍ରମୁଖ ଏହି ଉତ୍ସବର ନେତୃତ୍ୱ ନେଇଥିଲେ ।

Comments (0)
Add Comment