ଭୁବନେଶ୍ୱର,୦୭/୦୧(ପିପିଟି): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଆଜି ଏମ୍ସ ଅଞ୍ଚଳରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଛି । ଜାତୀୟ ରାଜପଥରୁ ଏମ୍ସ ପର୍ଯ୍ୟନ୍ତ ରାସ୍ତା ଉଭୟ ପାର୍ଶ୍ୱରେ ଥିବା ଜବରଦଖଲୁ ବିଏମ୍ ସି ଏନଫୋର୍ସମେଣ୍ଟ ଟିମ୍ ଆଜି ହଟାଇ ଦେଇଛି । ଏହି ରାସ୍ତା ଅବରୋଧ କରିବା ଦ୍ୱାରା ଅନେକ ସମୟରେ ରୋଗୀ ଓ ତାଙ୍କ ସଂପର୍କୀୟମାନେ ଯିବା ଆସିବାରେ ଅସୁବିଧା ହେଉଥିଲା । ଏପରିକି ଆମ୍ବୁଲନ୍ସ ଯାତୟାତରେ ମଧ୍ୟ ବହୁ ସମସ୍ୟା ସୃଷ୍ଟି ହେଉଥିଲା । କେବଳ ସେତିକି ନୁହେଁ, ଏହି ଜବରଦଖଲକାରୀମାନେ ସେ ଅଞ୍ଚଳକୁ ବହୁ ଅପରିଷ୍କାର କରୁଥିଲେ । ଦୈନିକ ରାଜ୍ୟ ଓ ରାଜ୍ୟ ବାହାରୁ ଏଠାକୁ ହଜାର ହଜାର ରୋଗୀ ଓ ତାଙ୍କ ସଂପର୍କୀୟମାନେ ଆସୁଛନ୍ତି । ତେଣୁ ରୋଗୀ, ତାଙ୍କ ସଂପର୍କୀୟ ଓ ସାଧାରଣ ଲୋକଙ୍କ ଯାତୟାତରେ ଯେପରି କୌଣସି ଅସୁବିଧା ନ ହୁଏ, ତାହାକୁ ଦୃଷ୍ଟିରେ ରଖି ବିଏମ୍ ସି ପକ୍ଷରୁଏହି ଉଚ୍ଛେଦ କାର୍ଯ୍ୟ କରାଯାଇଛି । ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ପ୍ରାୟ ୧୧୦ ଜଣ ଜବର ଦଖଲକାରୀ ଓ ୪୦ରୁ ଅଧିକ କବାଡିଆଙ୍କୁ ସେଠାରୁ ହଟାଇ ଦିଆଯାଇଛି । ଏହି ଜବର ଦଖଲ ହଟାଇବା ଫଳରେ ସାଧାରଣ ଲୋକେ ଆଶ୍ୱସ୍ଥ ଅନୁଭବ କରିବା ସହ ବିଏମ୍ ସିକୁ ସାଧୁବାଦ ଜଣାଇଛନ୍ତି ।
ସେପଟେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲାଗିଥିବା ବେଆଇନ ହୋର୍ଡିଂଗୁଡିକୁ ମଧ୍ୟ ହଟାଇ ଦେଇଛି ବିଏମ୍ ସି । କେତେକ ଘରୋଇ ସଂସ୍ଥା ଏବଂ ଏଜେନ୍ସି ବିଭିନ୍ନ ସ୍ଥାନରେ ଏହି ବେଆଇନ ହୋର୍ଡିଂ ଲଗାଇଥିଲେ । ଯେଉଁ ଏଜେନ୍ସିମାନେ ବିଏମ୍ ସିର ବକେୟା ପ୍ରାପ୍ୟ ପ୍ରଦାନ କରି ନାହାଁନ୍ତି ସେମାନଙ୍କୁ ପୂର୍ବରୁ ନୋଟିସ ମଧ୍ୟ ଦିଆଯାଇଥିଲା । ମାତ୍ର ସଂପୃକ୍ତ ସଂସ୍ଥା ବକେୟା ଅର୍ଥ ପୈଠ କରି ନଥିବାରୁ ସେମାନଙ୍କର ହୋର୍ଡିଂ ହଟାଇ ଦିଆଯାଇଛି ।
ଅନ୍ୟପକ୍ଷରେ ଭୁବନେଶ୍ୱରର ବାୟୁ ମଣ୍ଡଳ ପ୍ରଦୂଷଣ ହେଉଥିବାରୁ ବିଏମ୍ ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ଜାରି ରହିଛି । ଏଣିକି ବର୍ଜ୍ୟ ନ ପୋଡିବା ପାଇଁ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ମାନନୀୟା ମେୟର ସୁଲୋଚନା ଦାସ ଓ କମିଶନର ଚଞ୍ଚଳ ରାଣା । କେବଳ ଧର୍ମାନୁଷ୍ଠାନକୁ ଛାଡି,ହୋଟେଲ,ଢାବା, ବିଦ୍ୟାଳୟ, କଲ୍ୟାଣ ମଣ୍ଡପ,ବଣଭୋଜି ଆଦିରେ କାଠ କିମ୍ବା କୋଇଲା ଚୁଲା ବ୍ୟବହାର ନ କରିବା ପାଇଁ ବିଏମ୍ ସି ପକ୍ଷରୁ କୁହାଯାଇଛି । ଏ ନେଇ ଆଜି ଏନଫୋର୍ସମେଣ୍ଟ ଟିମ୍, ଲୋକମାନଙ୍କୁ ସଚେତନ କରାଇଛନ୍ତି ।