ଏମଭି-୯୦ ଗ୍ରାମରେ ଟସର ତାଲିମ କେନ୍ଦ୍ର ଶୁଭାରମ୍ଭ ।

ମାଲକାନଗିରି,୦୭/୧୦(ପିପିଟି): ଉଦ୍ଧାର ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକ୍ତିର ପ୍ରଚେଷ୍ଟାରେ ମହିଳାମାନେ କିପରି ଅଧିକ ସ୍ୱାବଲମ୍ବୀ ହୋଇପାରିବେ ପ୍ରଥମ ଥର ପାଇଁ କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମଭି -୯୦ ଗ୍ରାମରେ ଥିବା ଦକ୍ଷତା ବିକାଶ କେନ୍ଦ୍ରରେ ଟସର ତାଲିମ କେନ୍ଦ୍ରକୁ ଉଦ୍‌ଘାଟିତ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡିଓ ଉମାଶଙ୍କର ଦଳାଇ, କାଲିମେଳା ସରପଞ୍ଚ ପୃଥୀରାଜ ମାଝୀ,ଓଡ଼ିଶା ଜୀବିକା ମିଶନର ବ୍ଲକ୍ ସଂଯୋଜକ ରତନ ଗୋଲଦାର ପ୍ରମୁଖ ଯୋଗ ଦେଇଥିଲେ । ଏହି ତାଲିମ କେନ୍ଦ୍ରରେ ମୋଟ ୩୦ଟି ମେସିନ ଦ୍ବାରା ଟସର କୋଷାରୁ କିପରି ରେଶମ ସୂତା ପ୍ରସ୍ତୁତ କରାଯାଇପାରିବ ସେ ଉପରେ ତାଲିମ ପ୍ରଦାନ କରାଯାଇଅଛି । କାଲିମେଳା ବ୍ଲକର ବିଭିନ୍ନ ଗ୍ରାମରୁ ୩୦ ଜଣ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଗତ ୨ ତାରିଖ ଠାରୁ ତାଲିମ ପ୍ରଦାନ ଆରମ୍ଭ ହୋଇ ଏକ ମାସ ପର୍ଯ୍ଯନ୍ତ ଚାଲିବ। ଛତିଶଗଡ଼ ରାଜ୍ୟର ବିଳାସପୁର ଅଞ୍ଚଳର ଅସ୍ତିତ୍ବ ମହିଳା ସମିତି ତରଫରୁ ଏହି ଟସର ତାଲିମ ପ୍ରଦାନ କରାଯାଉଛି । ଏଥିପାଇଁ ଏହି ସମିତିର ମୁଖ୍ୟ ପୂଜା ବର୍ମାଙ୍କ ସହିତ ମ୍ୟାନେଜର ସଞ୍ଜୀବ କୁମାର,ଟ୍ରେନିଂ ସୁପରଭାଇଜର ରାଜ କୁମାର, ଟେକ୍ନିସିଆନ ରାହୁଲ, ମାଷ୍ଟର ଟ୍ରେନର ଅମର ଭାଇ, ଭାରତୀ ସାରଥୀ, ଗାୟତ୍ରୀ କାଶ୍ୟପ ଓ ଖୁସପ୍ରୀତି କାଶ୍ୟପ ପ୍ରମୁଖ ତାଲିମ ପ୍ରଦାନ କରୁଛନ୍ତି । ଛତିଶଗଡ଼ରୁ ଏହି ଟସର କୋଷା ଅଣାଯାଇ କୋଷା ଗୁଡ଼ିକୁ ଗରମ ପାଣିରେ ଗରମ କରାଯିବା ପରେ ସେଥିରୁ ଟସର ସୂତା ବା ରେଶମ ସୂତା ବାହାରିଥାଏ । ସେହି କୋଷାରୁ ମେସିନ ସାହାଯ୍ୟରେ ଏସ ରେଶମ ବାହାର କରି ତାର ସୂତାକୁ ସଂରକ୍ଷିତ କରି ରଖାଯାଏ । ଏହି ସୂତାକୁ ବିଭିନ୍ନ କପଡ଼ା ଓ ଶାଢ଼ୀ ତିଆରି କରିବାରେ ବ୍ୟବହାର କରାଯାଇ ଥାଏ । ସରକାର ଯଦି ଏହି ଅଞ୍ଚଳରେ ଟସର ର ଚାଷକୁ ପ୍ରାଧାନ୍ୟ ଦେବେ ତାହାହେଲେ ଆଉ ବାହାର ରାଜ୍ୟକୁ ନିର୍ଭର କରିବାକୁ ପଡିବନି ବୋଲି ମତ ପ୍ରକାଶ କରିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏବଂ ଲୁଗା ବୁଣାର ତାଲିମ ଶିଖି ଅଧିକ ରୁ ଅଧିକ ମହିଳା ମାନେ ସ୍ୱାବଲମ୍ବୀ ହୋଇପାରନ୍ତି ବୋଲି ମତ ପ୍ରକାଶ କରିଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment