ବ୍ରହ୍ମପୁର,୧୫/୦୮(ପିପିଟି): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ପକ୍ଷରୁ ୭୬ତମ ସ୍ବାଧିନତା ଦିବସ ଅବସରରେ ଏକ ବିଶାଳ ତ୍ରିରଙ୍ଗା ସହିତ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି ଟି ବିଜିପୁର ଠାରୁ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ବ୍ରହ୍ମପୁର ମହାନଗର ପରିକ୍ରମା କରି ସ୍ଥାନୀୟ ଗଞ୍ଜାମ କଳାପରିଷଦ ଭବନ ନିକଟରେ ସମାପ୍ତ ହୋଇଯାଇଛି । ଏହି ରାଲିରେ ବ୍ରହ୍ମପୁର ଅଞ୍ଚଳର ବିଭିନ୍ନ କଲେଜ ଏବଂ କୋଚିଂ ସେଣ୍ଟରର ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ମହାନ୍ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀଙ୍କ ଜୟଗାନରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଏହି ଶୋଭାଯାତ୍ରାକୁ ପୂର୍ବତନ ରାଜ୍ୟ ସଭାପତି ରମେଶ ଚନ୍ଦ୍ର ତ୍ରିପାଠୀ ଉଦ୍ଘାଟନ କରିଥିଲେ ଏବଂ ଏହାର ନେତୃତ୍ୱ ବ୍ରହ୍ମପୁର ମହାନଗର ସହସମ୍ପାଦକ ଶାଶ୍ୱତ ମିଶ୍ର ନେଇଥିବା ବେଳେ ନଗର ଉପସଭାପତି ଅରବିନ୍ଦ ପାତ୍ର, ବିଭାଗ ସଂଗଠନ ସମ୍ପାଦକ ମିଲନ କୁମାର ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାସ ପ୍ରମୁଖ ସହଯୋଗ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )