ବ୍ରହ୍ମପୁର,୦୫/୦୪(ପିପିଟି); ମୋଦି ସରକାରର ତିନି କୃଷି ଆଇନ ଫଳରେ ଦେଶରେ ଖାଦ୍ୟଶସ୍ୟର ସରକାରୀ ସଂଗ୍ରହ ବ୍ୟବସ୍ଥା ସହିତ ଖାଦ୍ୟ ସୁରକ୍ଷା ଯୋଜନାରେ ସରକାର ଯୋଗାଇ ଆସୁଥିବା ଚାଉଳ ଓ ଗହମର ବଣ୍ଟନକୁ ବନ୍ଦ କରିବାକୁ ଯାଉଛନ୍ତି । କ୍ଷତିର ଆଳ ଦେଖାଇ ସରକାର ଭାରତୀୟ ଖାଦ୍ୟ ନିଗମକୁ ବିକ୍ରି କରି ଖାଦ୍ୟଶସ୍ୟର କାରବାରକୁ ଘରୋଇ କମ୍ପାନୀଙ୍କ ହାତରେ ଟେକିଦେବାକୁ ବସିଛନ୍ତି । ଏଭଳି ସ୍ଥିତିରେ ଦେଶରେ ସରକାରୀ ସଂଗ୍ରହ ବ୍ୟବସ୍ଥା ଓ ଖାଦ୍ୟ ସୁରକ୍ଷା ତଥା ଏଫସିଆଇକୁ ବଂଚେଇବା ପାଇଁ କୃଷକମାନଙ୍କ ମିଳିତ ମଂଚ, ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି “ଏଫସିଆଇ ବଞ୍ଚାଓ ଦିବସ”ର ଡାକରା ଦିଆଯାଇଥିଲା । ଏହି ଅବସରରେ ଆଜି ଜଗନ୍ନାଥପୁର ଏଫସିଆଇ ଗୋଦାମ ଆଗରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ଅନ୍ତର୍ଭୁକ୍ତ କୃଷକ ସଙ୍ଗଠନମାନଙ୍କ ପକ୍ଷରୁ ଚାଷୀମାନଙ୍କ ଏକ ଧାରଣା ଅନୁଷ୍ଠିତ ହୋଇଯାଇଛି । ଚାଷୀ ନେତା ରଙ୍କନିଧି ସ୍ଵାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଧାରଣାରେ ଏଆଇକେକେଏମଏସ୍ ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଲଡୁକିଶୋର ଡାକୁଆ, ପିତବାସ ପ୍ରଧାନ, ନାରାୟଣ ବିଷୋୟୀ, ଓଡିଶା କୃଷକ ସଭାର ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ଯୁଦ୍ଧିଷ୍ଠିର ଗୌଡ, ବାବୁଲା ନାୟକ ତଥା ଏଆଇକେକେକେଏସର ଶଙ୍କର ସାହୁ, ଏଆଇକେଏସର ରାଜୀବ ଲୋଚନ ପଣ୍ଡା, ନୀଳକଣ୍ଠ ଦାସ, ସୁଦର୍ଶନ ସ୍ଵାଇଁ, ଏନ ଗିରିଜା ରେଡ୍ଡୀ, ସୀମାଞ୍ଚଳ ସାହୁ, ବାହୁଦା କୃଷକ ସଙ୍ଗଠନର ସମ୍ପାଦକ ହୃଷୀକେଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।