ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ ।

ମାଲକାନଗିରି,୧୬/୦୪(ପିପିଟି):
ମାଲକାନଗିରି ଜିଲ୍ଲା ଅବକାରୀ କର୍ମଚାରୀ ମାନେ ଆଜି ସକାଳେ ଏମଭି- ୩୫ ନମ୍ବର ଗ୍ରାମ ନିକଟରେ ଏକ ଅଟୋ ରିକ୍ସାରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଉକ୍ତ ଅଟୋରୁ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ଜଣକୁ ଗିରଫ କରିଛି । ମାଲକାନଗିରି ଜିଲ୍ଲା ଅବକାରୀ ସୁପ୍ରିଟେଣ୍ଡେଣ୍ଟ ବିମ୍ବାଧର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ ଜାରି ରହିଥିବା ବେଳେ ଆଜି ସକାଳେ ଅବକାରୀ ଭ୍ରାମ୍ଯମାଣ ଦଳ ତରଫରୁ ପେଟ୍ରୋଲିଂ କରୁଥିବା ସମୟରେ ମାଲକାନଗିରି – ବାଲିମେଳା ମୁଖ୍ୟ ରାସ୍ତା ରେ ପଡୁଥିବା ଏମଭି -୩୫ ଗ୍ରାମ ନିକଟରେ ଏକ ଅଟୋ ରିକ୍ସା ଦ୍ରୁତ ଗତିରେ ଯାଉଥିଲା । ଉକ୍ତ ଅଟୋକୁ ଅଟକାଇ ଅବକାରୀ କର୍ମଚାରୀମାନେ ଯାଞ୍ଚ କରିବାରୁ ବିପୁଳ ପରିମାଣରେ ଗଞ୍ଜେଇ ପ୍ରାପ୍ତ ହୋଇଥିଲା । ଅଟୋ ରିକ୍ସାର ଉପରେ ଏକ ପ୍ରକୋଷ୍ଠ କରାଯାଇ ଗଞ୍ଜେଇକୁ ଲୁଚାଇ ରଖାଯାଇଥିଲା, ଯାହାକି ଗଞ୍ଜେଇ ଚୋରା ଚାଲାଣର ଏକ ଅଭିନବ କୌଶଳ । ତେବେ ଅବକାରୀ କର୍ମଚାରୀ ଏହି କୌଶଳକୁ ପଣ୍ଡ କରିବା ସହ ଅଟୋ ମଧ୍ଯରୁ ଏକ କ୍ବିଣ୍ଟାଲରୁ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲେ । ଏହା ବ୍ଯତୀତ ମାଥିଲି ଥାନା ଅନ୍ତର୍ଗତ ସିନ୍ଦାବେଡ଼ା ଗ୍ରାମର ସମ୍ପଦ ପ୍ରେମାକୁ ଗିରଫ କରିଥିଲେ ।
ଜବତ କରାଯାଇଥିବା ଗଞ୍ଜେଇର ବଜାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଏହି ଚୋଢ଼ାଉରେ ଅବକାରୀ ବିଭାଗ ଏ.ଏସ.ଆଇ ଆଶିଷ କୁମାର ନାୟକ ସହ ଅକ୍ଷୟ ଜେନା, ଜ୍ଞାନରଞ୍ଜନ ସାହୁ, ପ୍ରଦୀପ ଖରା, ପାଣ୍ଡବ ଟୁଡୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଗଞ୍ଜେଇ ଓ ଅଟୋ ରିକ୍ସାକୁ ଜବତ କରାଯିବା ସହ ଅଭିଯୁକ୍ତ ସମ୍ପଦ ପ୍ରେମାକୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment