ଏଆଇକେଏମଏସ୍ ପକ୍ଷରୁ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।

ଗୁଣପୁର,୨୧/୦୬(ପିପିଟି): ଅଖିଳ ଭାରତ କିଶାନ୍ ମଜଦୂର୍ ସଭା (AIKMS) ତରଫରୁ ରାୟଗଡ଼ା ଜିଲ୍ଲାର ଗୁଣପୁର ଠାରେ ଏକ ବିଶାଳ ଶୋଭାଯାତ୍ରା ଓ ଗଣ ବିକ୍ଷୋଭ ଆୟୋଜିତ ହୋଇଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ସ୍ଥାନୀୟ କଲେଜ ଛକ ଠାରୁ ବିଭିନ୍ନ ଗାଁରୁ ଆସିଥିବା ଶହ ଶହ ଲୋକ ଏକ ବିଶାଳ ପଟୁଆରରେ ବାହାରି ଉପଜିଲ୍ଲାପାଳଙ୍କ ଅଫିସ୍ ନିକଟରେ ପହଞ୍ଚିଥିଲେ । ସେଠାରେ ଭୂମିହୀନ ଓ ଗରିବ ଲୋକଙ୍କୁ ଜମି ଓ ଘରଡିହ ପଟ୍ଟା, ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା, ଜଳକ୍ଳିଷ୍କ ଗ୍ରାମମାନଙ୍କୁ ପାନୀୟ ଜଳ ଓ ମନରେଗା ଯୋଜନାରେ ଦୈନିକ ୬୦୦ ଟଙ୍କା ମଜୁରୀରେ ୨୦୦ ଦିନ କାମ ଯୋଗାଇବା ଏବଂ ଜନବିରୋଧି ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବା ଆଦି ଦାବି ନେଇ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂଗଠନର ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଦାୟୀତ୍ବରେ ଅଧିକାରୀଙ୍କୁ ଛଅ ଦଫା ଦାବି ସମ୍ଵଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ସଂଗଠନର ଗୁଣପୁର ବ୍ଳକ୍ ସଭାପତି ଅର୍ଜୁନ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ଏଆଇକେଏମଏସର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ରାଜ୍ୟର ନବୀନ ପଟ୍ଟନାୟକ ସରକାରଙ୍କ ୨୨ ବର୍ଷର ଶାସନ ଓ କେନ୍ଦ୍ର ନରେନ୍ଦ୍ର ମୋଦି ନେତୃତ୍ଵାଧିନ ବିଜେପି-ଆରଏସଏସ୍ ସରକାରର ଆଠ ବର୍ଷର ଶାସନକାଳରେ ସାଧାରଣ ଜନତା ବିଶେଷ କରି ଚାଷୀ, ଭାଗଚାଷୀ, ମୂଲିଆ, ଆଦିବାସୀ ଓ ଦଳିତମାନେ ଅଧିକ ପ୍ରତାରିତ ଓ ଅଧିକ ଶୋଷିତ ହୋଇଛନ୍ତି ବୋଲି କହିଥିଲେ । ରାଜ୍ୟର ବଡ ସଂଖ୍ୟକ ଲୋକ ଭୂମିହୀନ ରହିବା ଏବଂ କାମ ନଥିବାରୁ କୋଡିଏ ଲକ୍ଷରୁ ଅଧିକ ଲୋକ ରାଜ୍ୟ ବାହାରକୁ ଦାଦନ ଯିବା ଉଭୟ ସରକାରଙ୍କ କୁଶାସନ ଓ ଅପାରଗତାକୁ ଉଜାଗର କରୁଛି ବୋଲି କହିଥିଲେ । ମୋଦି ସରକାର ନିଜର ପ୍ରତିଶ୍ରୁତି ରକ୍ଷା ନକରି ବର୍ଷକୁ ଦୁଇ କୋଟି ଲୋକଙ୍କୁ ରୋଜଗାର ଏବଂ କୃଷକମାନଙ୍କ ଆୟକୁ ଦୁଇ ଗୁଣ କରିବାରେ ବିଫଳ ହୋଇଛନ୍ତି ବୋଲି କହିଥିଲେ । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଘୋଷିତ ଚାରି ବର୍ଷିଆ ଅଗ୍ନିବୀର ଯୋଜନା ଦେଶର ସୁରକ୍ଷାକୁ ପ୍ରଭାବିତ କରିବା ସହିତ କୋଟି କୋଟି ବେରୋଜଗାର ଯୁବକଙ୍କୁ ପ୍ରତାରଣା ବୋଲି କହିଥିଲେ ।

ଗୁଣପୁର ସହରର ବିକାଶ ସହିତ ସହର ଚାରିପାଖରେ ଥିବା ଜମି ଗୁଡିକର ମୂଲ୍ୟ ବୃଦ୍ଧି ପାଇଥିବା ଯୋଗୁଁ ସେସବୁ ଜମି ଉପରେ ସହରର ଧନୀ ଲୋକ ଏବଂ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି ବୋଲି କହିଥିଲେ । ତହସିଲ ଅଧିକାରୀମାନଙ୍କ ସହ ସଲାସୁତୁରା କରି ଏହି ମାଫିଆ ଓ ଧନୀ ଲୋକମାନେ ସେସବୁ ସରକାରୀ ଜମିକୁ ନିଜ ନାମରେ କରାଇବା ସହ ପୁରୁଷ ପୁରୁଷ ଧରି ସେସବୁ ଜମିକୁ ଭୋଗ ଦଖଲ କରି ଆସୁଥିବା ଗରିବ ଆଦିବାସୀଙ୍କୁ ବଳପୂର୍ବକ ଜମିରୁ ବେଦଖଲ କରୁଛନ୍ତି ବୋଲି କହିଥିଲେ । ସରକାର ସେସବୁ ଜମିରେ ଚାଷବାସ କରୁଥିବା ଗରିବ ଲୋକଙ୍କୁ ପଟ୍ଟା ଦେବା ସହ ଧନୀ ଲୋକଙ୍କୁ କରାଯାଇଥିବା ବେଆଇନ ହସ୍ତାନ୍ତରର ତଦନ୍ତ କରିବାକୁ ଦାବି କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବ୍ଳକ୍ କମିଟି ସମ୍ପାଦକ ବୁଦ୍ଧଦେବ ଶବର,ରମେଶ ଗମାଙ୍ଗ, ରାମନାଗୁଡା ବ୍ଳକ୍ ସଭାପତି ରାଜୁ ଜେନା, କାଶୀପୁର ବ୍କକ୍ ସଭାପତି କୃଷ୍ଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Comments (0)
Add Comment