ଉଲ୍ଲାସ ସଚେତନତା ରଥ ପରିକ୍ରମା ।

ବେଗୁନିଆପଡା ,୧୧/୦୯(ପିପିଟି): ସାକ୍ଷରତା ପକ୍ଷ ପାଳନ ଅବସରରେ ଜନସାଧାରଣଙ୍କ ମଧ୍ୟରେ ସାକ୍ଷରତା ଓ ଶିକ୍ଷା ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ‘ଉଲ୍ଲାସ’ ସଚେତନତା ରଥ ପରିକ୍ରମା କରିଛି। ଶୁକ୍ରବାର ଏହି ରଥ କେ. ବରିଡ଼ା ଓ ଏସ. ଛଚିନା ପଞ୍ଚାୟତ ଅଞ୍ଚଳର ଏସ. ଛଚିନା ରାଧାକୃଷ୍ଣ ହାଇ ସ୍କୁଲ, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଠ ବରିଡା ପ୍ରାଥମିକ ବିଦ୍ୟାଳୟ, ବେଲପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେ. ବରିଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅମରେଶ୍ୱର ବିଦ୍ୟାପୀଠ ଆଦି ବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ‘ଉଲ୍ଲାସ’ ରଥ ବିଦ୍ୟାଳୟରେ ପହଞ୍ଚିବା ପରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏହାକୁ ସ୍ୱାଗତ କରିଥିଲେ। ବିଦ୍ୟାଳୟ ପରିସରରେ ସାକ୍ଷରତାର ଗୁରୁତ୍ୱ, ଶିକ୍ଷାର ଆବଶ୍ୟକତା ଏବଂ ସମାଜରେ ନିରକ୍ଷରତା ଦୂରୀକରଣ ସମ୍ପର୍କରେ ସଚେତନତାମୂଳକ ବାର୍ତ୍ତା ଦିଆଯାଇଥିଲା।
ସାକ୍ଷରତା କେବଳ ପଢ଼ିବା ଓ ଲେଖିବାରେ ସୀମିତ ନୁହେଁ; ଏହା ଜଣେ ବ୍ୟକ୍ତିଙ୍କୁ ସଚେତନ, ସ୍ୱାବଲମ୍ବୀ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବାରେ ସହାୟକ ହୋଇଥାଏ । ତେଣୁ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଶିକ୍ଷା ଓ ସାକ୍ଷରତାର ମୁଖ୍ୟସ୍ରୋତରେ ସାମିଲ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଥିଲା। ‘ଉଲ୍ଲାସ’ ରଥର ଏହି ପରିକ୍ରମା ମାଧ୍ୟମରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ସାକ୍ଷରତା ନେଇ ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚିଛି।ପନ୍ଦର ବର୍ଷ ରୁ ଉର୍ଦ୍ଧ ଅଣ ସାକ୍ଷର ମହିଳା ଓ ପୁରୁଷ ମାନେ ଭାରତ ସରକାର ଙ୍କ ଦ୍ୱାରା ପରିଚାଳିତ ନବ ଭାରତ ସାକ୍ଷରତା – ଉଲ୍ଲାସ କାର୍ଯ୍ୟକ୍ରମ ରେ ସାମିଲ ହେବା ଏହାର ଲକ୍ଷ । ବିଭିନ୍ନ ବିଦ୍ୟାଳୟରେ ରଥକୁ ଦିଆଯାଇଥିବା ସ୍ୱାଗତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଅଧିକ ଉତ୍ସାହପୂର୍ଣ୍ଣ କରିଥିଲା। ସାକ୍ଷରତାର ଆଲୋକ ପ୍ରତ୍ୟେକ ପରିବାର ଓ ପ୍ରତ୍ୟେକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ‘ଶିକ୍ଷିତ ଓ ସଚେତନ ସମାଜ’ ଗଠନ ଦିଗରେ ‘ଉଲ୍ଲାସ’ ରଥ ପରିକ୍ରମା ଏକ ଗୁରୁତ୍ୱପୂର୍ଣ୍ଣ ସଚେତନତାମୂଳକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମ ରେ ସି ଆର ସି ସି ସୁନାକାନ୍ତ ସେଠି ଙ୍କ ସହ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment