ଉଲୁଣ୍ଡା,୧୯/୦୩(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ରେ ତରଭୂଜ ଚାଷୀଙ୍କ ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା ଅଭାବରୁ ଚାଷୀ ଆଶାନୁରୂପ ଲାଭ ପାଇପାରୁ ନାହିଁ। ପରିସ୍ଥିତି ର ସୁଯୋଗ ନେଇ ବେପାରୀ ମାନେ ଚାଷୀଙ୍କ ଠାରୁ ସ୍ବଳ୍ପ ଦରରେ ତରଭୂଜ କିଣିବା ସହ କିଣା ମୂଲ୍ୟ ଠାରୁ ଦୁଇଗୁଣ ଅଧିକ ଦରରେ ବିଭିନ୍ନ ସ୍ଥାନରେ ବିକ୍ରି କରି ଲାଭବାନ ହେଉଛନ୍ତି। ଏଠାରେ ଗତ ୮-୧୦ ବର୍ଷ ହେଲା ଏହି ଅଂଚଳରେ ଏଭଳି ଶବସ୍ଥା ଲାଗି ରହିଥିବା ବେଳେ ଚାଷୀର ସ୍ବାର୍ଥ ରକ୍ଷା ଲାଗି ସରକାରୀ ଭାବେ କିଛି ବ୍ୟବସ୍ଥିତ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏଥି ପାଇଁ ବାରମ୍ବାର ଚାଷୀଙ୍କ ପକ୍ଷରୁ ଦାବି ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି । ବଜାର ସୁବିଧା ଅଭାବରୁ ଏଠାକାର ଅନେକ ଚାଷୀ ମୁହଁ ଫେରେଇବାକୁ ବସିଥିବା ମଧ୍ୟ ଲକ୍ଷ କରାଯାଇଛି। ବୀରମହାରାଜପୁର ଉପଖଣ୍ଡ ଦେଇ ପ୍ରବାହିତ ହରିହର ଯୋରର ଦୁଇ ପାର୍ଶ୍ୱରେ ତଥା ଅନ୍ୟାନ୍ୟ ସ୍ଥାନରେ ସହସ୍ରାଧିକ ହେକ୍ଟର ଜମିରେ ତରଭୁଜ ଚାଷ କରାଯାଉଛି। ଚଳିତ ବର୍ଷ ମଧ୍ୟ ବୀରମହାରାଜପୁର ବ୍ଲକର ଅଚ୍ଚଣ୍ଡା,ନୂଆଗଡ, ବାଗବର,ହିଲୁଙ୍ଗ,କୃଷ୍ଣପାଲି, ଲୁଚାବନ୍ଧ,ଦୁହୁଲପାଲି, ଘଣ୍ଟପାଲି, ତେନ୍ତୁଳିମହଦା, କେଶଲପୁରା, ପଥରଘାଟ,ଝାରକୁମୁଣ୍ଡା,ରାଣୀପୁର, ବାଗବର,ଫୁଲଚରା ଓ ନୂଆଁପଡା ଆଦି ଗ୍ରାମରେ ଅନେକ ଚାଷୀ ତରଭୁଜ ଚାଷ କରିଛନ୍ତି। ସାଧାରଣତଃ ଆଟ କିସମର ଜମିରେ ପାଣି ମୋଟର ସାହାଯ୍ୟରେ ଯୋର ଓ କୂଅରୁ ପାଣି ମଡେଇ ଏହି ଚାଷ କରାଯାଉଛି। ଏଥିପାଇଁ ଜାନୁଆରୀ ମାସ ଠାରୁ ପ୍ରସ୍ତୁତି ହେବାକୁ ପଡୁଛି। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସାମାନ୍ୟ ବୈଷୟିକ ପରାମର୍ଶ ବ୍ୟତୀତ ଚାଷୀଙ୍କୁ ଅନ୍ୟ ରକମର ପ୍ରୋତ୍ସାହନ ମିଳି ନ ଥିଲେ ସୁଦ୍ଧା ତରଭୁଜ ଚାଷ ପ୍ରତି ରହିଥିବା ସେମାନଙ୍କଆଗ୍ରହ ଉଣା ହୋଇ ନାହିଁ। କୃଷି ବିଭାଗ ପକ୍ଷରୁ ଚାଷୀ ମାନେ ଗୋଷ୍ଠୀଗତ ଭାବେ ତରଭୁଜ ବିକ୍ରି କଲେ ଆବଶ୍ୟକ ବଜାର ବ୍ୟବସ୍ଥା କରାଯାଇପାରିବ ବୋଲି କୁହାଯାଉଥିଲେ ହେଁ ଏଠାରେ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ କିଛି ବି ଉଦ୍ୟମ ହେବା ଜଣାପଡିନାହିଁ ।
(ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)