ଉପଖଣ୍ଡ ସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳନ ।

ଭଞ୍ଜନଗର,୧୫/୦୮(ପିପିଟି): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ ଠାରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆଜି ଆନନ୍ଦ ଉଲ୍ଲାସର ସହିତ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଯୋଗ ଦେଇ ସକାଳ ୯ଟା ୧୫ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍ଥାନୀୟ ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଘୁମୁସର ମାଟି ବୀର ଯୋଦ୍ଧାଙ୍କ ପାଇଁ ଆଜି ଗର୍ବିତ।ଏହି ଅଞ୍ଚଳର ବହୁ ସ୍ୱାଧୀନତା ସଂଗ୍ରାମୀ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଛନ୍ତି। ଏଠାକାର ଜନସଧାରଣ ବେଶ ଶାନ୍ତ ଓ ଭଦ୍ର ସ୍ୱଭାବର ହୋଇଥିବାରୁ ଆଗାମୀ ଦିନରେ ଦେଶ ଜାତିର ଉନ୍ନତି ପାଇଁ ମିଳିମିଶି କାର୍ଯ୍ୟ କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ରାୟ ନିଜ ଅଭିଭାଷଣରେ ଆହ୍ୱାନ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ଏହାପରେ ଡାକ୍ତରଖାନାରେ ଥିବା ରୋଗୀଙ୍କୁ ଫଳ ବଣ୍ଟନ ଓ ବଡ଼ କୋଦଣ୍ଡା ସ୍ଥିତ ଚିଦାନନ୍ଦ କୁଷ୍ଠାଶ୍ରମ ଠାରେ ଥିବା ଅନ୍ତେବାସୀଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା। ଶେଷରେ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କରାଯାଇଥିଲା। ଏହି ଉତ୍ସବରେ ଉପଜିଲ୍ଲାପାଳଙ୍କ ସମେତ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ମେଡ଼ିକାଲ ଅଧିକ୍ଷକ ସୀତାଂଶୁ ଶେଖର ମିଶ୍ର,ଥାନା ଅଧିକାରୀ ଧିରେସ କୁମାର ଦାସ, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ସମାଜସେବୀ ଶୂଳପାଣି ଶତପଥି ଓ ଅନ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment