ଉପଖଣ୍ଡସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ।

ଭଞ୍ଜନଗର, ୨୬/୦୧(ପିପିଟି):ଭଞ୍ଜନଗର ସ୍ଥିତ ଜେଲ ପଡ଼ିଆରେ ଉପଖଣ୍ଡସ୍ତରୀୟ ୭୭ ତମ ସାଧାରଣ ତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ସ୍ୱାଭିମାନର ଜାତୀୟପତାକାକୁ ଉତ୍ତୋଳନ କରିବା ସହ ଆୟୋଜିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ । ସ୍ୱାଧୀନତା ହାସଲ ପାଇଁ ଯେଉଁ ମହାପୁରୁଷ ମାନେ ନିଜ ପ୍ରାଣକୁ ବାଜି ଲଗାଇ ସ୍ୱାଧୀନତା ହାସଲ କରିଥିଲେ ସେହି ଦେଶପ୍ରେମୀମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗଣତନ୍ତ୍ର ମୂଲ୍ୟବୋଧର ବିକାଶ ଲାଗି ସମସ୍ତ ନାଗରିକମାନଙ୍କ କର୍ତ୍ତବ୍ୟ ରହିଥିବା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପ୍ରାଚୀନ ସଭ୍ୟତା ଓ ସଂସ୍କୃତିର ଗରୀମାରେ ଗରୀୟାନ ତଥା ଓଡ଼ିଶାର ଏକ ପ୍ରମୁଖ ଭୂଖଣ୍ଡ ଭାବେ ଭଞ୍ଜନଗର ଯାହାକି ଘୁମୁସର ମାଟି ଓଡ଼ିଶା ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିଛି।
ଘୁମୁସର ଉପଖଣ୍ଡରେ କୃଷି,ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷିର ବିକାଶ ଉପରେ ସର୍ବଦା ଗୁରୁତ୍ୱ ଦିଆଯାଉଛି ବୋଲି ତାଙ୍କ ଭାଷଣରେ କହିଥିଲେ। ଏହାପରେ ଉପଖଣ୍ଡ ସ୍ତରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ରାଜ୍ୟ ସରକାର ନେଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଗୁଡିକୁ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ଶିକ୍ଷା, ନିଯୁକ୍ତି, ଦାରିଦ୍ର୍ୟ ଦୂରୀକରଣ,ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସହ ସୁଭଦ୍ରା ଯୋଜନାକୂ ଗୁରୁତ୍ୱ ଦେଇଥିଲେ। ଚାଷୀ ମାନଙ୍କ ଉନ୍ନତି ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ। ଦେଶ ଆଜି କୃଷି, ଶିଳ୍ପ,ଶିକ୍ଷା, ବିଜ୍ଞାନ, ଗବେଷଣା, ପ୍ରତିରକ୍ଷା, ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଯେପରି ଆତ୍ମନିର୍ଭରଶିଳ ହେଲାଣି ବିଶ୍ୱ ସ୍ତରରେ ଏହା ଏକ ପ୍ରଗତିଶୀଳ ରାଷ୍ଟ୍ର ଭାବେ ମାନ୍ୟତା ଲାଭ କରିବା ସହ ଆଗାମୀ ୨୦୨୮ ମସିହା ସୁଦ୍ଧା ବିଶ୍ୱର ତୃତୀୟ ବୃହତ ଅର୍ଥନିତୀରେ ପରିଣତ ହେବା ପାଇଁ ଲକ୍ଷ ରଖିଥିବା ବିଷୟ ପ୍ରକାଶ କରିଥିଲେ। ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ ସମ୍ନାନିତ ଅତିଥିଭାବେ ଜିଲ୍ଲା ଅତରିକ୍ତ ଆରକ୍ଷୀ ଅଧୀକ୍ଷିକ ରଞ୍ଜନ କୁମାର ଦେ, ଏସ.ଡ଼ି.ପି.ଓ. ଡ଼ ଦୀପକ କୁମାର ମିଶ୍ର,ଭଞ୍ଜନଗର ବି ଡି ଓ ଭାରତୀ ଦେବୀ,ଡେପୁଟି କଲେକ୍ଟର ପ୍ରାଧାନ ଟୁଲିଆମା,ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ ମାହାର , ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ, ସୂଚନା ଓ଼ ଲୋକ ସମ୍ପର୍କ ବିଭାଗ ର ସମସ୍ତ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରାତଃ ସାଢ଼େ ୫ଟାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସହରରେ ରାମଧୁନ ପରିବେଷଣ କରାଯାଇଥିଲା। ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ ସହ, ଚିଦାନନ୍ଦ କୁଷ୍ଠାଶ୍ରମ ଓ ତନରଡ଼ା ସ୍ଥିତ ଜରାଶ୍ରାମ ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ପରିଶେଷରେ ଏହି ଉତ୍ସବକୁ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ସାନ୍ତୋଷ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment