ଉତ୍ତର ଘୁମୁସର ବନଖଣ୍ଡ କାର୍ଯ୍ୟାଳୟ ସାମ୍ନାରେ ବନ ସୁରକ୍ଷା ସମିତିର ଧାରଣା ।

ଭଞ୍ଜନଗର,୧୩/୦୧(ପିପିଟି);ଭଞ୍ଜନଗର ଠାରେ ଥିବା ଉତ୍ତର ଘୁମୁସର ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଢ଼ିମିରି ପଲ୍ଲୀ ବନ ସୁରକ୍ଷା ସମିତିର ୩୫ଜଣ ପୁରୁଷ ଓ ମହିଳା ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଜ ପିଲା ଛୁଆଙ୍କୁ ଧରି ଶୀତ କାକରରେ ଧାରଣା ଦେଇଛନ୍ତି।ସେମାନଙ୍କ କହିବାନୁଯାୟୀ ଗତ ଅଗଷ୍ଟ ୧୦ତାରିଖ ଲକଡ଼ାଉନ ସମୟରେ ଲଘୁଜଙ୍ଗଲ ଜାତ ଦ୍ରବ୍ୟ ଭାବେ ଅରଗୁଣା ଗଛର କନ୍ଦା ୮୦ବସ୍ତା ଏକ ମିନିଟ୍ରକରେ ବ୍ରହ୍ମପୁର ବିକ୍ରି ପାଇଁ ପଠାଉଥିବା ବେଳେ ଗାଙ୍ଗପୁର ଠାରେ ପୋଲିସ ସେହି ଟ୍ରକକୁ ଅଟକ ରଖି କେଶ କରିଥିଲା।ଏହାପରେ ଭିଏସଏସ ର ସଦସ୍ୟମାନେ ଏହାର ପ୍ରତିବାଦରେ କଣ୍ଟେଇ ପଲ୍ଲୀ ଛକରେ ରାସ୍ତାରୋକ କରିଥିଲେ। ବନ ବିଭାଗ ତରଫରୁ କଣ୍ଟେଇ ପଲ୍ଲୀ ଭିଏସଏସ ସଭାପତି ଶରତ ଚନ୍ଦ୍ର ସ୍ୱାଇଁଙ୍କ ମଧ୍ୟସ୍ଥତାରେ ଏକ ମାସ ମଧ୍ୟରେ ଏହାର ସମାଧାନ କରିବାକୁ ପ୍ରତିଶୃତି ମିଳିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ବାଧ୍ୟ ହୋଇ ସେମାନେ କାର୍ଯ୍ୟାଳୟ ରେ ପହଞ୍ଚି ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇଙ୍କ ସହ ଆଲୋଚନା କରିବାକୁ ଆସିଥିବା ବେଳେ ଡିଏଫଓ ସୁଯୋଗ ଦେଖି କୌଣସି ପ୍ରକାରେ ଖସି ପଳେଇଥିଲେ। ହେଲେ ଏହି ଘଟଣାର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକାରୀ ମାନେ ଫେରିବେନି ବୋଲି ମତ ଦେଇଛନ୍ତି। ଏଥିରେ କଣ୍ଟେଇ ପଲ୍ଲୀ ଭିଏସଏସ ର ସଭାପତି ଶରତ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଝୁମର ନାୟକ, ଗାନ୍ଧୀ ନାୟକ, ଲଷ୍ମୀ ବେହେରା, ପଦ୍ମ ନାୟକ, ଶାନ୍ତି ନାୟକ, ବିଷ୍ଣୁ ନାୟକ, ରଶ୍ମିତା ନାୟକ ଓ ଅନ୍ୟମାନେ ଉପସ୍ଥିତ ଅଛନ୍ତି। ଅନ୍ୟପଟରେ ଘଟଣା ସ୍ଥଳରେ ପୋଲିସ ଓ ବନ ବିଭାଗ ଅଧିକାରୀ ମାନେ ଉପସ୍ଥିତ ରହି ବିକ୍ଷୋଭକାରୀଙ୍କୁ ବୁଝେଇବାକୁ ଚେଷ୍ଟା ଚଳାଇ ଥିବା ଜଣାପଡିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment