ମାଲକାନଗିରି,୦୭/୦୨(ପିପିଟି):ଉତ୍କଳ ସାହିତ୍ଯ ସଂସଦ ଦ୍ବାରା ଆଜି ମାଲକାନଗିରି ସରକାରୀ ଉଚ୍ଚ ବିଦ୍ଯାଳୟ ଠାରେ କବିତା ସଂଧ୍ଯା ଆୟୋଜନ କରାଯାଇଛି । ଏହି ସାହିତ୍ଯ ଆସରରେ ସମୀକ୍ଷକ ଭାବେ ଉତ୍କଳ ସାହିତ୍ଯ ସଂସଦର ସଭାପତି କବି କେଶବ ଚନ୍ଦ୍ର ନାୟକ,ଚାଲାଣଗୁଡା କସ୍ତୁରବା ବିଦ୍ଯାଳୟର ପ୍ରଧାନ ଶିକ୍ଷୟିତ୍ରୀ କବୟିତ୍ରୀ ଆଭାରାଣି ବିଶ୍ବାଳ ଓ ପୂର୍ବତନ ଓଡିଶା ସାହିତ୍ଯ ଏକାଡେମୀ ସଦସ୍ଯ କବି ମନୋଜ ସାହୁ ଯୋଗ ଦେଇ ବିଶିଷ୍ଠ କବି ଗୋଲକ ଚନ୍ଦ୍ର ଦଳାଇଙ୍କ ରଚିତ “ବେନାମୀ ଲୋକ” ଏବଂ “କାଳି ଝିଅ” ଦୁଇଟି କବିତା ସଂକଳନକୁ ଆଲୋଚନା କରିଥିଲେ । ଆଜିର ମୁଖ୍ଯ ଆକର୍ଷଣ କବି ଗୋଲକ ଚନ୍ଦ୍ର ଦଳାଇ ନିଜ ସାହିତ୍ଯ ଜୀବନର ଅଙ୍ଗେ ଲିଭା କାହାଣି ବର୍ଣ୍ଣନା କରିଥିଲେ । ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରେ ରହି ଯେଉଁମାନେ ଓଡିଆ ସାହିତ୍ଯକୁ ସମୃ୍ଦ୍ଧ କରୁଛନ୍ତି ସେହି ସାରସ୍ବତ ସ୍ରଷ୍ଟାମାନେ ଚିରନମସ୍ଯ ବୋଲି ଆଲୋଚକ କବି କେଶବ ଚନ୍ଦ୍ର ନାୟକ ମତ ବିନ୍ଯାସ କରିଥିଲେ । ଏହି କବିତା ସଂଧ୍ଯାରେ ମାଲକାନଗିରି ସରକାରୀ ଉଚ୍ଚ ବିଦ୍ଯାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପଣ୍ଡା କାର୍ଯ୍ଯକ୍ରମର ସୁପରିଚାଳନା କରିଥିବା ବେଳେ ଅନନ୍ତ କିଶୋର ନନ୍ଦ ଧନ୍ଯବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠା ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)