ଉତ୍କଳ ଗ୍ରାମୀଣ ବ୍ଯାଙ୍କରୁ ୫୨ ଲକ୍ଷ ଟଙ୍କା ଆତ୍ମସାତ ଘଟଣାରରେ ମ୍ଯାନେଜର ଓ ସୁରକ୍ଷାକର୍ମୀ ଗିରଫ।

କବିସୂର୍ଯ୍ୟନଗର, ୧୬/୦୩(ପିପିଟି): କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ତଥା ପୋଲସରା ବ୍ଲକ ଅଧିନସ୍ଥ ହାତୀଓଟ ଠାରେ ଥିବା ଉତ୍କଳ ଗ୍ରାମୀଣ ବ୍ଯାଙ୍କ ଶାଖାରେ ୫୨ ଲକ୍ଷ ଟଙ୍କାର ଆତ୍ମସାତ ହୋଇଥିବା ଘଟଣା ପଦାକୁ ଆସିଛି। ଏଥିରେ ସମ୍ପୃକ୍ତ ମ୍ଯାନେଜର ନିହାରକାନ୍ତ ପ୍ରଧାନ ଓ ସୁରକ୍ଷାକର୍ମୀ ଅନିଲ ପଣ୍ଡାଙ୍କୁ କବିସୂର୍ଯ୍ୟନଗର ପୁଲିସ ଗିରଫ କରି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନାନୁସାରେ ପୋଲସରା ଓ କବିସୂର୍ଯ୍ୟନଗର ସମେତ ବିଭିନ୍ନ ଆଖପାଖ ଅଞ୍ଚଳର ଲୋକେ ଏହି ବ୍ଯାଙ୍କରେ ସେମାନଙ୍କ ଆକାଉଣ୍ଟ ଖୋଲିଥିଲେ। ହେଲେ ଏହାକୁ ହଡପ କରିବାପାଇଁ ମ୍ଯାନେଜର ନିହାରକାନ୍ତ ଓ ସୁରକ୍ଷାକର୍ମୀ ଅନିଲ ଷଢଯନ୍ତ୍ର ରଚନା କରିଥିଲେ। ମ୍ଯାନେଜର ନିହାରକାନ୍ତ ଅତି ଚତୁରତାର ସହିତ ଜମା ହେଉଥିବା ଲକ୍ଷାଧିକ ଟଙ୍କାକୁ ଅନିଲଙ୍କ ଆସିକାସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରେ ଥିବା ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଦେଉଥିଲେ। ପରେ ଏହି ଘୋଟଲା ସାମ୍ନାକୁ ଆସିବା ପରେ ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ପ୍ରବନ୍ଧକ ଛାନଭିନ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ନିହାରକାନ୍ତ ଓ ଅନିଲଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ସାମ୍ନାକୁ ଆସିଥିଲା। ଉଭୟ ମିଶି ୫୧.୯୯ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଜଣାପଡିଥିଲା। ଆଞ୍ଚଳିକ ପ୍ରବନ୍ଧକ ଏନେଇ କବିସୂର୍ଯ୍ୟନଗର ଥାନାରେ ଏତଲା ଦେବାପରେ ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ତୁରନ୍ତ ଉଭୟଙ୍କୁ ଗିରଫ କରିଥିଲେ। ଥାନା କେଶ ନମ୍ବର ୯୯/୨୨ରେ ଉଭୟଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯାଇଛି। ଅର୍ଥ ଆତ୍ମସାତ ନେଇ ଉଭୟ ପୁଲିସ ଆଗରେ ସ୍ବୀକାର କରିଥିବା ନେଇ ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି।

Comments (0)
Add Comment