ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ।

ପୋଲସରା ,୦୯/୧୦(ପିପିଟି): ପୋଲସରା ବ୍ଲକ୍ କଳମ୍ବ ପଞ୍ଚାୟତ ସ୍ଥିତ କଳମ୍ବ ନୋଡ଼ାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଵଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଉକ୍ତ ଉତ୍ସବରେ ବର୍ତ୍ତିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ମନୋଜ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉତ୍କଳର ଏହି ମହାନାୟକଙ୍କ ମହାନ କୃତି ସମୂହର ସ୍ମୃତିଚାରଣ ସ୍ୱରୂପ ଗୋପବନ୍ଧୁଙ୍କ ସତ୍ୟବାଦୀ ଶିକ୍ଷା ପଦ୍ଧତି ଆଜିର ସମୟରେ ବିଶେଷ ଗୁରୁତ୍ୱ ବହନ କରୁଛି ଏବଂ ଆଭ୍ୟନ୍ତରୀଣ ଭେଦଭାବମୁକ୍ତ ଏକ ଶକ୍ତିଶାଳୀ, ସମନ୍ୱିତ ରାଷ୍ଟ୍ର ସୃଷ୍ଟି କରିବାରେ ଏହା ସମର୍ଥ ହୋଇପାରିଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୂର୍ଯ୍ୟ ନାରାୟଣ ନାୟକଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ଭକ୍ତିପୂତ ଭାବେ କରିବାସହ ପାର୍ଶ୍ୱରେ ସ୍ଥିତ କୁଳବୁଦ୍ଧ ମଧୁସୂଦନ ଏଵଂ ମହାନ ବିପ୍ଳବୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଉଭୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ଏଵଂ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ଶିକ୍ଷକ କୁଳମଣି ସାହୁ, ସତ୍ୟେନ୍ଦ୍ର କୁମାର ମିଶ୍ର, ନରେନ୍ଦ୍ର କୁମାର ସାହୁ, ଜୟନ୍ତ କୁମାର ସ୍ୱାଇଁ, ତୋଫାନ ସ୍ୱାଇଁ, ଦେବରାଜ ପ୍ରଧାନ, ପ୍ରତାପ କୁମାର ପଟ୍ଟନାୟକ, ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ସାହୁ, ଅର୍ଚ୍ଚନା କୁମାରୀ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଭାରତର ସ୍ୱାଧୀନତା ସଂଗ୍ରାମ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପଣ୍ଡିତ ଗୋପବନ୍ଧୁଙ୍କ ଅନନ୍ୟ ଅବଦାନ ସମ୍ପର୍କରେ ସାରଗର୍ଭକ ନିଜନିଜର ସୁଚିନ୍ତିତ ମତପ୍ରକାଶ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment