ଆଠଗଡ,୨୭/୦୨: ଆଠଗଡ ବନାଞ୍ଚଳ ଅନ୍ତର୍ଗତ କୁଲାଇଲୋ ଗ୍ରାମର ଏକ ଅଚଳ କ୍ରସର୍ ନିକଟରେ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ଭୋର ସମୟରେ ସ୍ଥାନୀୟ ଲୋକ ପ୍ରଥମେ ହାତୀଟି ମରି ପଡିଥିବା ଦେଖି ବନବିଭାଗକୁ ଜଣାଇଥିଲେ । ଖବର ପାଇ ଆଠଗଡ ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତିଙ୍କ ସମେତ ରେଞ୍ଜର ରବିନ୍ଦ୍ର କୁମାର ନାୟକ, ଅନ୍ଯ ବନ କର୍ମଚାରୀ ଓ ବିଦ୍ୟୁତ ବିଭାଗ ଅଧିକାରୀମାନେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି ।
ମୃତ ଦନ୍ତା ହାତୀର ବୟସ ପ୍ରାୟ ୩୦ ବର୍ଷ ହେବ ଏବଂ ତାର ପ୍ରାୟ ଦୁଇ ଅଢେଇ ଫୁଟ ଲମ୍ବର ଦୁଇଟି ଯାକ ଦାନ୍ତ ଅକ୍ଷତ ରହିଛି ବୋଲି ଡିଏଫଓ ଡାକ୍ତର ପତିଙ୍କ ସୂତ୍ରରୁ ପ୍ରକାଶ । ବିବରଣୀ ଅନୁଯାଇ ଖୁଣ୍ଟୁଣୀରୁ ଆଠଗଡ ଆସିଥିବା ୩୩ କେଭି ଲାଇନର ଏକ ଖୁଣ୍ଟରୁ କୁଲାଇଲୋର ଉକ୍ତ କ୍ରସରକୁ ୩୩ କେଭି ଲାଇନ ସଂଯୋଗ ଥିଲା । ତେବେ ଉକ୍ତ କ୍ରସର ବନ୍ଦ ହୋଇଥିବାରୁ ପ୍ରାୟ ୨ ବର୍ଷରୁ ଅଧିକ ସମୟ ହେଲା ଉକ୍ତ ଲାଇନର ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଥିଲା। କିନ୍ତୁ ସଂଯୋଗୀ ତାର ଗୁଡିକ ଖୋଲା ଯାଇନଥିଲା । ବିଦ୍ୟୁତ ସଂଯୋଗ ନଥିବା ଉକ୍ତ କ୍ରସର ଲାଇନ ବହୁ ତଳକୁ ଝୁଲି ରହିଥିବାବେଳେ ଲାଇନ ଉପରେ ଗଛଲତା ମାଡି ଯାଇଥିଲା । ଗତ ରାତିରେ ଏହି ବଡ ଦନ୍ତା ହାତୀଟି କରେଣ୍ଟ ନଥିବା ବିଦ୍ୟୁତ ତାର ଉପରେ ମାଡିଥିବା ଗଛଲତା ଶୁଣ୍ଢରେ ଯୋରସେ ଭିଡିବା ଫଳରେ ନିକଟସ୍ଥ ଖୁଣ୍ଟର ଉପରେ ଥିବା ଜୀବନ୍ତ ତାର ସଂଯୋଗ ନଥିବା ବିଦ୍ୟୁତ ତାରରେ ଲାଗିଯିବାରୁ ଉଚ୍ଚଶକ୍ତିର ବିଦ୍ୟୁତ ସରବରାହ ହୋଇଯାଇଥିବା ଅନୁମାନ କରାଯାଇଛି । ଫଳରେ ହାତୀଟି ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ଯୁବରଣ କରିଥିବା ପ୍ରଥମିକ ଅନୁସନ୍ଧାନରୁ ଜଣାପଡିଛି। ବିଦ୍ୟୁତ ବିଭାଗ ପକ୍ଷରୁ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେଲା ବିଦ୍ୟୁତ ସଂଯୋଗ କଟାଯାଇଥିବା ଉକ୍ତ କ୍ରସରକୁ ଯାଇଥିବା ଲାଇନର ତାର କାହିଁକି ଖୋଲାଯାଇ ନଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । କ୍ରସର ନିକଟରେ ଜଙ୍ଗଲ ଥିବା ଏବଂ ସେଠାରେ ନିୟମିତ ହାତୀ ଚଳପ୍ରଚଳ କରିଥାଆନ୍ତି। ହାତୀ ଚଳପ୍ରଚଳ ଅଞ୍ଚଳ ହୋଇଥିବାବେଳେ କରେଣ୍ଟ ନଥବା ଉକ୍ତ ଲାଇନର ତାର ଉପରେ ଏତେ ପରିମାଣର ଗଛଲତା ମାଡି ଯାଇଥିଲେ ମଧ୍ଯ ବନବିଭାଗ ଓ ବିଦ୍ୟୁତ ବିଭାଗ କାହିଁକି ଗଛଲତା ସଫା କରି ତାରକୁ ଉପରକୁ ଉଠାଇବା ପାଇଁ ପଦକ୍ଷେପ ନେଲେନାହିଁ ତାହା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେଉଁ ଖୁଣ୍ଟରୁ କ୍ରସରକୁ ଲାଇନ ଯାଇଛି ସେହି ଖୁଣ୍ଟରେ ଉପରି ଭାଗରେ ୩୩ କେଭି ଜୀବନ୍ତ ଲାଇନ ଆଠଗଡ ସହରକୁ ସରବରାହ ହୋଇଥାଏ । ତେଣୁ ଉପରେ ଉଚ୍ଚ ଶକ୍ତି ବିଶିଷ୍ଟ ଜୀବନ୍ତ ଲାଇନ ଥିବା ଓ ତା ତଳକୁ କ୍ରସରର ବିଦ୍ୟୁତ ସଂଯୋଗ ନଥିବା ଲାଇନର ତାର ଖୋଲାଯାଇନଥିବାରୁ ଏଭଳି ଦୁଃଖଦାୟକ ଘଟଣା ଘଟିଲା । ଉଭୟ ବନବିଭାଗ ଓ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଏହି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି । ଘଟଣାସ୍ଥଳରେ ବନବିଭାଗର ଯୁଗ୍ମ ଟାସ୍କ ଫୋର୍ସ ଦଳ, ବିଦ୍ୟୁତ ଯୋଗାଣକାରୀ ଟାଟା ପାୱାରର ଆଠଗଡ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ଜିତେନ୍ଦ୍ର କୁମାର ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ କାଶୀନାଥ ବାରିକ,ଆଠଗଡ ଗ୍ରାମାଞ୍ଚଳ କନିଷ୍ଠ ଯନ୍ତ୍ରୀ ଅଶ୍ବଘୋଷ ବେହେରା, ଖୁଣ୍ଟୁଣୀ କନିଷ୍ଠ ଯନ୍ତ୍ରୀ ଶିବାନୀ ଶଙ୍କର ମହାନ୍ତ ପ୍ରମୁଖ ପହଞ୍ଚି ଯାଞ୍ଚ କରୁଛନ୍ତି । ମୃତ ହାତୀଟିର ବ୍ୟବଚ୍ଛେଦ ପାଇଁ ଘଟଣାସ୍ଥଳରେ ଆଠଗଡ ପ୍ରାଣୀ ଚିକିତ୍ସକ ଡାକ୍ତର ଅନ୍ତର୍ଯ୍ୟାମୀ ବାରିକ ପହଞ୍ଚିଛନ୍ତି। ବ୍ୟବଚ୍ଛେଦ ପରେ ହାତୀର ମୃତଦେହକୁ ସେହିଠାରେ ପୋତି ଦେବାର ବ୍ୟବସ୍ଥା କରାଯାଇଛି। ଅନୁଗୁଳ ଆଞ୍ଚଳିକ ମୁଖ୍ଯ ବନ ସଂରକ୍ଷକ ସୁଧାଂଶୁ ଶେଖର ଖୋରା ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରୁଛନ୍ତି।