(ଆ)ରେ ଆଷାଢ (କା) ରେ କାର୍ତ୍ତିକ
(ମା) ରେ ମାର୍ଗଶିର ମାସ….
(ବୈ)ରେ ବୈଶାଖ ନାମ ଠିକ ଠିକ
ବୋଇତ ବନ୍ଦାଣେ ଘୋଷ…..!!
କାର୍ତ୍ତିକ ପୂର୍ଣ୍ଣିମା ବ୍ରହ୍ମ ମୁହୂର୍ତ୍ତରେ
ଓଡ଼ିଆଣୀ ନାରୀ ଉଠି…..
ସୁଦ୍ଧ ସ୍ନାନ ସାରି କଦଳୀ ପଟୁଆ
କରରେ ଧୀରେ ସାଉଣ୍ଟି…..!!
ନଡ଼ିଆ ଖଡିକା ଉପରେ ଖୋସିଣ
ଗେଣ୍ଡୁଫୁଲ ଧାଡି ଧାଡି…
ଘିଅର ପ୍ରଦୀପ ଜାଳି ଜଳେ ପୁଣି
ଭସାଏ ବୋଇତ କାଢ଼ି….!!
ଆ,କା,ମା,ବୈ ପାନଗୁଆ ଥୋଇ
କହି ବନ୍ଦାପନା କରି….
ହୁଳହୁଳି ଦେଇ ଡଙ୍ଗାକୁ ଭସାଇ
ହୃତ ଐତିହ୍ୟକୁ ସ୍ମରି….!!
ଫେରେ ଓଡ଼ିଆଣୀ କାର୍ତ୍ତିକ ପୂର୍ଣ୍ଣିମା
ବ୍ରତ ଉଦଯାପିତ କରି….
ଏମିତି ଗୌରବ ବାଣିଜ୍ୟ ସଂପର୍କ
ଥିଲା ଉତ୍କଳରେ ଭରି….!!
ଆଜିର ଦିନରେ ଦରିଆ କୂଳରେ
ତରୀ ଯାଉଥିଲା ଦୂରେ…
ଓଡ଼ିଶାରୁ ଭରି ପଣ୍ଯଦ୍ରବ୍ଯ ଯେତେ
ନେଉଥିଲେ ଦେଶାନ୍ତରେ….!!
ସାଧବ ପୁଅଙ୍କ ବେପାର ବାଣିଜ୍ୟ
ଯାଭା ସୁମିତ୍ରାକୁ ଯାଇ…..
ଆଣୁଥିଲେ ମୁଦ୍ରା ସ୍ବର୍ଣ୍ଣ ଅଳଙ୍କାର
ବୈଭବ ନାବକୁ ବାହୀ….!!
ଉତ୍କଳ ଭାରତେ ଥିଲା ବିତ୍ତଶାଳୀ
ବିଶ୍ବରେ ସୁକ୍ଷାତ ନାମ….
ଆଜି ସେହି ଶୀରି ବିଲୁପ୍ତ ଜଗତେ
ଉତ୍କଳ – ସୁମନ- ମ୍ଳାନ….!!
ବୀର ପ୍ରସବିନୀ କଳିଙ୍ଗ ଏ ମାଟି
ସ୍ମରେ ଇତିହାସ ଶତ….
ଏ ମାଟି ମହକ ହେଉ ପୁଲକିତ
ଜାଗରେ ଉତ୍କଳ ପୁତ୍ର….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)