ବ୍ରହ୍ମପୁର,୦୭/୦୭(ପିପିଟି):ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନମ୍ବର-୨୬ ସ୍ଥିତ ରାଜୀବ ଗାନ୍ଧୀ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ ଏକ ଷଣ୍ଢର ଗୋଡ଼ରେ ଦୀର୍ଘ ଦିନ ଧରି ଆହତ ହୋଇଥିଲେ ମଧ୍ୟ ଚିକିତ୍ସା ଅଭାବରୁ ଉକ୍ତ ଆହତ ଜାଗାରେ ଗାତ ସୃଷ୍ଟି ହୋଇ ପୋକ ଲାଗିଯାଇଥିବା ସ୍ଥାନୀୟ କର୍ପୋରେଟର ଧିରେଶ ସାବତଙ୍କ ନଜରକୁ ଆସିଥିଲା । ସେ କାଳବିଳମ୍ୱ ନକରି ଘଟଣା ସଂମ୍ପର୍କରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପଶୁ ସହାୟକ ନମ୍ବର ୧୯୬୨କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କ ଦୃଷ୍ଟି ଗୋଚର କରାଇଥିଲେ। ପଶୁପ୍ରେମୀ ଶ୍ରୀ ଚୌଧୁରୀ ଘଟଣା ସ୍ଥଳରେ ପହଞ୍ଚି ଷଣ୍ଢଟିର ଅବସ୍ଥା ଦେଖି ହତ୍ ବାକ୍ ହୋଇ ପଶୁ ଚିକିତ୍ସାଳୟର ସହାୟତା ଲୋଡ଼ିଥିଲେ। ପଶୁ ଚିକିତ୍ସାଳୟର କର୍ମଚାରୀ ରାମ ଚନ୍ଦ୍ର ସାହୁ ଆମ୍ବୁଲାନ୍ସ ସହ ଘଟଣା ସ୍ଥଳରେ ପହଞ୍ଚି ଆହତ ଷଣ୍ଢଟିର ଚିକିତ୍ସା ଆରମ୍ଭ କରିଥିଲେ। ଉକ୍ତ ଷଣ୍ଢଟିର କ୍ଷତ ସ୍ଥାନରେ ଅସ୍ତ୍ରୋପଚାର କରି ସ୍ପିରିଟ ଓ କର୍ଫୁର ପକାଇବା କ୍ଷଣି ଶତାଧିକ ପୋକ ବାହାରିଥିଲ। ଯାହାକି ଏକ ହୃଦୟ ବିଦାରକ ଦୃଶ୍ୟ ରହିଥିଲା । ଏଥିରେ ପଶୁପ୍ରେମୀ ଅନିଲ ସାହୁ,କିଶନ ସାହୁ, ଅରୁଣ ନାୟକଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଚିକିତ୍ସାରେ ସହଯୋଗ କରିଥିଲେ। ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।