ଆସୁଛି ରାକ୍ଷୀ ପୂର୍ଣ୍ଣିମା,ବ୍ୟବସାୟୀ ମାନେ ମେଲିଲେଣି ରାକ୍ଷୀର ପସରା।

ବୋଲଗଡ଼,୦୧/୦୮(ପିପିଟି):ଦିନ କେଇଟା ପରେ ଆସିବ ରାକ୍ଷୀ ପୂର୍ଣ୍ଣିମା। ପ୍ରଭୁ ବଳଦେବ ଜୀଉଙ୍କର ଜନ୍ମଦିନ ଶ୍ରାବଣ ପୂର୍ଣ୍ଣିମାରେ ପାଳନ ହେଉଥିବା ରକ୍ଷାବନ୍ଧନ ଉତ୍ସବ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହର ବନ୍ଧନକୁ ଆହୁରି ନିବିଡ଼ କରିଥାଏ। ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀମାନେ ଚନ୍ଦନ, ହଳଦୀ, ଦୀପ, ଅରୁଆ ଚାଉଳ ରଖି ପୂଜାଥାଳି ପ୍ରସ୍ତୁତ କରି ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇର ଶୁଭ ମନାସୀ ଦୀର୍ଘାୟୁ କାମନା କରିଥାନ୍ତି। ଭାଇ ନିଜ ଭଉଣୀର ସୁଖଦୁଃଖରେ ସହଭାଗୀ ହେବା ପାଇଁ ପ୍ରତିଶ୍ରୁତି ଦେଇଥାଏ । ଏହି ଚଳିତ ମାସର ୯ ତାରିଖ ଶନିବାର ଦିନ ସହରଠୁ ଆରମ୍ଭକରି ପୁରପଲ୍ଲୀ ପର୍ଯ୍ୟନ୍ତ ସବୁଠି ଆନନ୍ଦ ଉଲ୍ଲାସର ସହ ପାଳିତ ହେବ ପବିତ୍ର ରକ୍ଷାବନ୍ଧନ ଉତ୍ସବ। ଏହି ରକ୍ଷାବନ୍ଧନ ଉତ୍ସବକୁ ନେଇ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଚଳଚଞ୍ଚଳ ହୋଇ ପଡିଥିଲା ବେଳେ ରାକ୍ଷୀ ବ୍ୟବସାୟ ଜୋର୍ ଧରିଛି । ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ବିଭିନ୍ନ ରାସ୍ତାକଡ଼, ଛକ ଓ ବଜାରରେ ରାକ୍ଷୀ ଦୋକାନ ଦେଖିବାକୁ ମିଳିଛି । ଅଧିକାଂଶ ଦୋକାନରେ ଶତାଧିକ ପ୍ରକାରର ରାକ୍ଷୀ ବିକ୍ରି ହେଉଥିବା ବେଳେ ପାଞ୍ଚ ଟଙ୍କାରୁ ଆରମ୍ଭ କରି ସାଢେ ପାଞ୍ଚଶହ ଟଙ୍କାର ରାକ୍ଷୀ ବିକ୍ରି ହେଉଛି । ବିଶେଷ କରି ବ୍ରେସଲେଟ୍ ଶୈଳୀର ଷ୍ଟୋନ୍ ରାକ୍ଷୀର ଚାହିଦା ବେଶ୍ ରହିଛି । ଅନ୍ୟପକ୍ଷରେ, ରାକ୍ଷୀ ବିକ୍ରି କରୁଥିବା ବ୍ୟବସାୟୀମାନେ ଏ ବର୍ଷ ରାକ୍ଷୀ ବିକ୍ରି କରି ଭଲ ଦି’ପଇସା ରୋଜଗାର କରିବେ ବୋଲି ଆଶା ରଖିଛନ୍ତି ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment