ଆସନ୍ତା ଏକ ମାସ ଗୁରୁତ୍ୱପୂର୍ଣ୍ଣ : ଭଞ୍ଜନଗର ଉପଖଣ୍ଡ ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲାପାଳ ।

ଭଞ୍ଜନଗର,୨୬/୦୪(ପିପିଟି); କରୋନାର ଦ୍ଵିତୀୟ ଲହର ଦ୍ରୁତ ଗତିରେ ମାଡ଼ି ଆସୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମବାର ଭଞ୍ଜନଗର ଉପଖଣ୍ଡର ଆସ୍କା,ଧରାକୋଟ, ସୋରଡ଼ା, ଭଞ୍ଜନଗର,ବେଲଗୁଣ୍ଠା,ଜଗନ୍ନାଥପ୍ରସାଦ ଏବଂ ବୁଗୁଡ଼ା ବ୍ଲକ ମାରାଥନ ଗସ୍ତ କରି ସେଠିକାର ବିଡିଓ, ତହସିଲଦାର. ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ବିଦ୍ୟୁତ,ପାନୀୟ ଜଳ, ଅଗ୍ନିଶମ ବିଭାଗ ଓ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଛନ୍ତି। ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ସେମାନଙ୍କୁ ଚିହ୍ନଟ କରି ସଙ୍ଗରୋଧ ଗୃହରେ ରଖିବାପାଇଁ ବ୍ୟବସ୍ଥା କରିବାକୁ କହିଛନ୍ତି।ଯଦି ଆମେ ସେମାନଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବାନି ତେବେ ସେମାନେ ଏଣେତେଣେ ବୁଲିବା ଦ୍ୱାରା କରୋନା ଭୁତାଣୁ ବ୍ୟାପିବାରେ ମାଧ୍ୟମ ସାଜିବେ। ତେଣୁ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ଉପରେ ନଜର ରଖିବାକୁ ଉଭୟ ପଞ୍ଚାୟତ ପ୍ରତିନିଧି ଏବଂ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ନିଜେ ସତର୍କ ହେଲେ ଯାଇ ନିଜ ପରିବାର, ନିଜ ଗାଁ ଓ ସହର ସୁରକ୍ଷିତ ରହିବ। ତେଣୁ ଯଦି କୌଣସି ଅଞ୍ଚଳରେ କୋଭିଡ ପଜିଟିଭ ବାହାରିବ ତେବେ ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କିପରି ସମସ୍ତ ଅଞ୍ଚଳ ଗ୍ରୀନ ଜୋନରେ ରହିବ ସେଥିପ୍ରତି ସମସ୍ତେ ଗୁରୁତ୍ୱ ଦେଇ କାମ କରିବା ସହ ଜନସାଧାରଣ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରତ୍ୟେକ ଗାଁ ଏବଂ ସହରାଞ୍ଚଳରେ କୋଭିଡ ମେନେଜମେଣ୍ଟ କୁ ବ୍ୟାପକ କରିବାକୁ ପଡିବ। ପୂର୍ବ ଭଳି ସମସ୍ତ ଟିମ ସଜାଗ ରହି କାମ ଆରମ୍ଭ କରିବାକୁ ପଡିବ। ଯଦି ବ୍ୟବସାୟୀକ ପ୍ରତିଷ୍ଠାନଗୁଡିକ ସ୍ୱତଃ ପ୍ରବୃତ୍ତ ଭାବେ ଆଗକୁ ଆସି ପ୍ରଶାସନକୁ ସହଯୋଗ କରିବେ ତେବେ କରୋନା ଉପରେ ରୋକ ଲଗେଇ ପାରିବା ବୋଲି ମତ ଦେଇଛନ୍ତି।ସେହିପରି ପୋଖରୀରେ ଗହଳି କରି ଗାଧେଇବାକୁ ବାରଣ କରାଯାଇଛି । ଜଣଙ୍କ ପରେ ଜଣେ କିମ୍ବା ବାଲଟି ସାହାଯ୍ୟରେ ଗାଧେଇବାକୁ ପରାମର୍ଶ ଦେଇଛନ୍ତି। ଗୁରୁତର ରୋଗରେ ପୀଡିତ ଥିବା ରୋଗୀଙ୍କ ପ୍ରତି ନଜର ରଖିବାକୁ କହିଛନ୍ତି।ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ସ୍ଥିତି ଭଲ ଅଛି ତେଣୁ ଆମକୁ ସତର୍କ ରହିବାକୁ ପଡିବ ନହେଲେ ଆମର ସ୍ଥିତି ବିଗିଡିଯିବ। ଗଞ୍ଜାମ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା କମ ଅଛି ତେଣୁ ଆମକୁ ସତର୍କ ରହି ମିଳିମିଶି କାମ କରିବାକୁ ପଡିବ। ରୋଗୀ ସଂଖ୍ୟାକୁ ଶୂନ କରି ଭଞ୍ଜନଗର ଉପଖଣ୍ଡ ସମେତ ସମଗ୍ର ଗଞ୍ଜାମ ଜିଲ୍ଲାକୁ ଗ୍ରୀନ ଜୋନରେ ପରିଣତ କରିବାକୁ ପଡିବ। ସେଥିପାଇଁ ସମସ୍ତଙ୍କ ସହଯୋଗ ଜରୁରୀ ହୋଇ ପଡ଼ିଛି। ଯେପରି ପଞ୍ଚାୟତ ଏବଂ ସହରାଞ୍ଚଳରେ ପାନୀୟ ଜଳ ଏବଂ ବିଦ୍ୟୁତ ସମସ୍ୟା ନ ରହେ ତାକୁ ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାହାଘର ତଥା ଅନ୍ୟାନ୍ୟ ଭୋଜିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ଯଦି ଆମେ ଆସନ୍ତା ଏକ ମାସ ସଠିକ ଭାବେ କୋଭିଡ଼ ନିୟମକୁ ମାନିବା ଯଥା ମାସ୍କ ପିନ୍ଧିବା ସାନିଟାଇଜର ବ୍ୟବହାର କରିବା, ସାମଜିକ ଦୂରତା ରଖିବା ଇତ୍ୟାଦିକୁ ମାନିବା ତେବେ ନିଶ୍ଟିତ ଭାବେ ଆମେ କରୋନାକୁ ପରାସ୍ତ କରି ପୁଣି ସ୍ୱାଭାବିକ ଜୀବନ ଯାପନ କରିପାରିବା। ସେଥିପାଇଁ ସମସ୍ତେ ଏକାଠି ମିଳିମିଶି ଲଢ଼ିବାକୁ ପଡିବ ବୋଲି ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ସହ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ମଧ୍ୟ ଭଞ୍ଜନଗର ଉପଖଣ୍ଡର ସମସ୍ତ ବ୍ଲକ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment