ମାଲକାନଗିରି,୨୬/୦୬(ପିପିଟି):ମାଲକାନଗିରି ଜିଲାରେ ମାଣ୍ଡିଆର ଚାହିଦା ସର୍ବଦା ରହିଛି । ଅଧିକ ପୁଷ୍ଟିକର ହୋଇଥିବାରୁ ଆଦିବାସୀଙ୍କ ଏହା ପ୍ରିୟ ଖାଦ୍ୟ ରୂପେ ପରିଚିତ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଚାଷୀମାନେ ବହୁ ପରିମାଣରେ ମାଣ୍ଡିଆ ଚାଷ କରିଥାନ୍ତି । ଏହାକୁ ସେମାନେ ଜାଉ ରୂପେ ଖରା ବର୍ଷା ଶୀତ ସବୁ ସମୟରେ ବ୍ଯବହାର କରିଥାନ୍ତି।ଆଦିବାସୀମାନଙ୍କ ବନ୍ଧୁବାନ୍ଧବ କେହି ଘରକୁ ଆସିଲେ ମାଣ୍ଡିଆ ପେଜ ଦେଇ ସ୍ବାଗତ କରିଥାନ୍ତି । ବର୍ତ୍ତମାନ ପରିବର୍ତ୍ତିତ ସମୟରେ ମାଣ୍ଡିଆ ଆଉ ଜାଉରେ ସୀମିତ ହୋଇ ରହିନାହିଁ । ମାଣ୍ଡିଆରେ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେଲାଣି । ଏଥିରେ ବରା,କାକରା, ପକୋଡ଼ି, ଇଡ୍ଲି , ରସଗୋଲା , କ୍ଷୀରି ଆଦି ପ୍ରସ୍ତୁତ ହୋଇ ସର୍ବତ୍ର ଆଦୃତ ଲାଭ କଲାଣି । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ମାଣ୍ଡିଆରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଫଳରେ ଏହା ସେମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେଉଛି । ଖଇରପୁଟ ବ୍ଲକରେ ମାଧ୍ୟମ ଫାଉଣ୍ଡେଶନ ପକ୍ଷରୁ ଉନ୍ନତ ଧରଣର ମାଣ୍ଡିଆ ବିହନ ଚାଷୀଙ୍କୁ ଯୋଗାଇ ଚାଷ କାର୍ଯ୍ଯ ପାଇଁ ଉତ୍ସାହିତ କରାଯାଉଛି । କିପରି ବିଭିନ୍ନ ପ୍ରଣାଳୀରେ ମାଣ୍ଡିଆ ଚାଷ କରାଯିବ | ସେଥି ପାଇଁ ସଚେତନ କାର୍ଯ୍ୟକ୍ରମ ବିଭିନ୍ନ ସମୟରେ କରାଯାଉଛି । ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଜିଲା ସଦର ମହକୁମାରେ ମାଣ୍ଡିଆ କାଫେ କରାଯାଇ ମାଣ୍ଡିଆର ବିଭିନ୍ନ ଖାଦ୍ୟ ପ୍ରସ୍ତୁତକରି ବିକ୍ରି କରାଯାଉଥିଲା । ଏବେ ତାହା ବନ୍ଦ ରହିଛି । ଏହାକୁ ଖୋଲିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ମତ ପ୍ରକାଶ ପାଉଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)