ଆରମ୍ଭ ହେଲା ଇଣ୍ଟରନେଟ୍ ସେବା , ସଭିଙ୍କ ମନରେ ଖୁସି ।

ମାଲକାନଗିରି, ୧୫/୧୨(ପିପିଟି ):ଆଜି ଦିନ ୧୨ଟା ସମୟରରେଇଣ୍ଟରନେଟ ସେବା ଆଜି ସମଗ୍ର ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି। ଦୀର୍ଘ ସପ୍ତାହ ହେଲା ଇଣ୍ଟରନେଟ ସେବା ବିଛିନ୍ନ ହେବା ଫଳରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ ବିକ୍ରୟରେ ଜନସାଧାରଣ ନାହିଁ ନଥିବା ହଇରାଣ ହରକତର ସମ୍ମୁଖୀନ ହେଉଥିଲା ବେଳେ ଆଜି ଇଣ୍ଟରନେଟ ସେବା ଚାଲିଲୁ ହେବା ଫଳରେ ସମସ୍ତ ମନରେ ଖୁସି ଲହରୀ ଖେଳିଯାଇଛି।
ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଏସପି ବିନୋଦ ପାଟିଲ ଏଚ୍ ରାଖାଲଗୁଡା, ମାରିୱାଡ଼ା, ନିଲିଗୁଡ଼ା ଓ ଏମଭି ୧୮ ଗାଁ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ ଭବିଷ୍ୟତର ପିଢ଼ି ପାଇଁ ଆମ ସମସ୍ତଙ୍କୁ ଭାଇଚାରର ବନ୍ଧନରେ ବାନ୍ଧି ହୋଇ ରହିବାକୁ ପଡିବ। ପୁଣି ଥରେ ପରସ୍ପର ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାକୁ ପ୍ରୟାସ କରିବାକୁ ହେବ। ପରସ୍ପର ମଧ୍ୟରେ କଥାବାର୍ତ୍ତା ଦ୍ଵାରା ହିଁ ଏହା ସମ୍ଭବ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି। ନିଜ ନିଜ ମଧ୍ୟରେ ଥିବା ଭୁଲ୍ ବୁଝାମଣା କୁ ଦୂର କରିବାକୁ ହେବ ବୋଲି ଆଜି ଚାରିଟି ଗ୍ରାମର ଗ୍ରାମବାସୀଙ୍କୁ ବୁଝାଇଛନ୍ତି ଜିଲ୍ଲାପାଳ। ଯେକୌଣସି ପ୍ରକାର ଆଇନ ଶୃଙ୍ଖଳା ସମ୍ପର୍କିତ ବିଷୟ ଗୁଡ଼ିକୁ ସିଧାସଳଖ ଏସପି ଙ୍କୁ ଅବଗତ କରାଇବାକୁ କୁହାଯାଇଛି। ବର୍ତ୍ତମାନ ଭଳି ସମ୍ବେଦନଶୀଳ ପରିସ୍ଥିତିରେ ସୋସିଆଲ ମିଡିଆରେ ଫେକ୍ ନିଉଜ୍ କିମ୍ବା ଗୁଜବ ପ୍ରଚାର କରି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ନାହିଁ ବୋଲି ଲୋକଙ୍କୁ ସଚେତନ କରିଛନ୍ତି ଏସପି ବିନୋଦ ପାଟିଲ। ଫେକ୍ ନିଉଜ୍ କିମ୍ବା ଗୁଜବ ପ୍ରଚାରକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ଯ ଏସପି ପ୍ରକାଶ କରିଛନ୍ତି। ଏଥି ସହିତ ଜିଲ୍ଲାପାଳ ଗ୍ରାମବାସୀଙ୍କର ଗ୍ରାମରେ ରହିଥିବା ମୌଳିକ ସମସ୍ୟା ଗୁଡ଼ିକୁ ଶୁଣିଥିଲେ। ଆଦିବାସୀଙ୍କ ଘରଡିହ ପଟ୍ଟା ଶୀଘ୍ର ପ୍ରଦାନ କରିବାରେ ତତ୍ପର ହେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ନିଲିଗୁଡ଼ା ଗ୍ରାମରେ ଡ୍ରପ୍ ଆଉଟ୍ ହୋଇଥିବା ଏକ ଛାତ୍ରୀ ବିଷୟରେ ଜାଣିବାକୁ ପାଇଥିଲେ ଜିଲ୍ଲାପାଳ। ତୁରନ୍ତ ହଷ୍ଟେଲ ବ୍ୟବସ୍ଥା ଥିବା ନିକଟସ୍ଥ ବିଦ୍ୟାଳୟରେ ତାଙ୍କ ନାମ ଲେଖାଇବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ସେହି ସମୟରେ ଗ୍ରାମରେ ଉପସ୍ଥିତ ଥିବା ଅଭିଭାବକ ମାନଙ୍କୁ ଶିକ୍ଷାର ଗୁରୁତ୍ଵ ଓ ନାରୀ ଶିକ୍ଷା କେତେ ଜରୁରୀ ବୁଝାଇଥିଲେ ଜିଲ୍ଲାପାଳ। ଜିଲ୍ଲାପାଳ ଓ ଏସପିଙ୍କ କଥା ମାନି ପରସ୍ପର ମଧ୍ୟରେ ଭାଇଚାରା ବଜାୟ ରଖିବେ ବୋଲି ଗ୍ରାମବାସୀ ମାନେ ସହମତି ପ୍ରକାଶ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment