ଆରମ୍ଭ ହେଲାଣି ଦଣ୍ଡ ନାଚ ପରମ୍ପରା,ପ୍ରତ୍ୟେକ ଗ୍ରାମରେ ଭକ୍ତିମୟ ପରିବେଶ।

ବୋଲଗଡ଼,୦୩/୦୪(ପିପିଟି): ଦଣ୍ଡ ନାଚ ଓଡିଶା ର ପ୍ରାଚୀନ ଓ ଲୋକ ପାରମ୍ପାରିକ ନାଚ। କେତେକ ସ୍ଥାନରେ ‘ମା’ କାଳୀ ଙ୍କୁ ଉପାସନା କରାଯାଉଥିବା ବେଳେ ଆଉ କେତେକ ସ୍ଥାନରେ ଶିବଙ୍କୁ ଉପାସନା କରାଯାଇଥାଏ। ମହାବିଷୁବ ସଂକ୍ରାନ୍ତି ଆରମ୍ଭର ୨୧ କିମ୍ବା ୧୩ ଦିନ ପୂର୍ବରୁ ଏହି ଦଣ୍ଡ ଯାତ୍ରା ଆରମ୍ଭ ହୋଇଥାଏ। ପରମ୍ପରା ଅନୁସାରେ ଯେଉଁ ମାନେ ଦଣ୍ଡ ଯାତ୍ରା ପଦର୍ଶନ କରନ୍ତି ତାଙ୍କୁ ଦଣ୍ଡୁଆ ବୋଲି କୁହାଯାଏ। ଦଣ୍ଡୁଆ ମାନେ ନିଷ୍ଠାପର ଓ ଉପାବାସ ରହି କାଳୀ ଓ ଶିବଙ୍କୁ ଉପାସନା କରି ଯନ୍ତ୍ରଣା ଦାୟକ ଦଣ୍ଡନାଚ କରିଥାନ୍ତି। ଏହି ଯାତ୍ରା ସମୟରେ ନିଜର ପରିବାର ଠାରୁ ଦୁରେଇ ରହିବା ସହିତ ଥରେ ମାତ୍ର ପଣାପାଣି ସେବନ କରି ରହିଥାନ୍ତି। ଏହି ଦଣ୍ଡ ନାଚ ତିନି ପ୍ରକାରର ହୋଇଥାଏ ଯଥା ପାଣି ଦଣ୍ଡ, ଧୁଳି ଦଣ୍ଡ ଓ ଅଗ୍ନି ଦଣ୍ଡ ଯାହା କି ପରମ୍ପରା ଅନୁସାରେ ହୋଇ ଆସୁଛି। ଏବଂ ପରେ ପାରମ୍ପାରିକ ବାଦ୍ୟ ବଜାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକ ନୃତ୍ୟ ପରିବେଷଣ କରାଯାଏ। ନିଜ ଶରୀରକୁ ଯନ୍ତ୍ରଣାଦେଇ ଦଣ୍ଡୁଆ ମାନେ ନୃତ୍ୟ ପରିବେଷଣ କରିଥାନ୍ତି। ଯାହା ଦ୍ଵାରା ଗାଁ ଦାଣ୍ଡ ପ୍ରକମ୍ପିତ ହୋଇ ଥାଏ। ଏହି ଦଣ୍ଡ ଉପାସନା ପ୍ରତି ସମସ୍ତ ଙ୍କ ମନରେ ଶ୍ରଦ୍ଧା ଓ ଅଗାଢ ବିଶ୍ୱାସ ରହିଥାଏ। ଏହି ଦଣ୍ଡ ଯାତ୍ରା କୁ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କର ଭିଡ ଲାଗି ରହିଥାଏ।ଏହି ପରିପ୍ରେକ୍ଷୀରେ ବୋଲଗଡ଼ ଅଞ୍ଚଳର ରାଜସୁନାଖଳାର କାଉଁରୀ ପାଟଣା ସାହି, ଧଳାପଥର ପଞ୍ଚାୟତ ର ଠଣାପଲ୍ଲୀ ଗ୍ରାମ, ଚୁଡା, ଖଉରୁଣୀ, ଗର୍ଭଣୀପଡା, ସାଗରଗୁଆଁ,ସମପୁର ଗ୍ରାମର ଦଣ୍ଡୁଆ ମାନେ ନିଜ ଗ୍ରାମରେ ଥିବା ଶିବମନ୍ଦିର ଏବଂ କାଳିକା ଠାକୁରାଣୀ ଙ୍କ ପାଖରେ ବିଧି ଅନୁସାରେ ଚୈତ୍ର ପର୍ବ ଦଣ୍ଡ ମେଲଣ ଉତ୍ସବ ଆରମ୍ଭ ହୋଇଅଛି। ଦୈନିକ ସଂଧ୍ୟାରେ ଗ୍ରାମ ପୋଖରୀରେ ଗାଧୋଇ ଆସିବା ପରେ ଝୁଣାରେ ଦଣ୍ଡ କଳସ ମାଜଣା ଓ ଅଗ୍ନି ସଂଯୋଗ କରାଯାଇ ଗ୍ରାମ ପରିଭ୍ରମଣ କରାଯାଏ। ମାନସିକ କରିଥିବା ବ୍ଯକ୍ତି ଙ୍କ ଦୁଆରେ ଠାକୁର ଭୋଗ ଖାଇଥାନ୍ତି। ଦଣ୍ଡ ଠାକୁର ଉତ୍ସବ ପାଳନ ଅବସରରେ ଭକ୍ତ ମାନଙ୍କ ମଧ୍ୟରେ ଭକ୍ତି ଭାବ ଓ ଦୃଢ ମାନସିକତା ନିଷ୍ଠା ରହିଥାଏ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)

Comments (0)
Add Comment