***ଆମ ଗାଁ ଚାଟଶାଳୀ***

ଆମ ଗାଁରେ ଛୋଟ ଛୋଟ ପିଲାମାନେ ପାଠ ପଢିବା ପାଇଁ ଏକ
ଚାଟଶାଳୀ ଥିଲା। ଏକ ବଖରୀ,ମାଟି କାନ୍ଥ ଆଉ ନଡ଼ା ଛାଉଣୀ ଘର। ଆମେ ତଳେ ବସୁଥିଲୁ । ଯିଏ ଯାହା ଘରୁ ଆସନ ଆଣୁଥିଲା, ସେ ସେଥିରେ ବସୁଥିଲା। ଯାହାର ନାହିଁ,ସେ ମାଟିରେ ବସୁଥିଲା। ମାଟିରେ ବସିବା ହେତୁ, ଜଙ୍ଘିଆରେ ପ୍ରତିଦିନ ମେଞ୍ଚେ ଧୂଳି ଲାଗୁଥିଲା।ଶନିବାର କୁ ଶନିବାର ପିଲାମାନେ ଗୁହାଳ ଗୁହାଳ ବୁଲି ଗାଈ ଗୋବର ସଂଗ୍ରହ କରି ଚାଟଶାଳୀକୁ ଆଣୁଥିଲେ । କିଛି ବଳୁଆ ପିଲା ଦୁଇ ଜଣ ମିଶି ପୋଖରୀକୁ ବାଲ୍ଟି ରେ ପାଣି ଆଣି ଚଟାଣକୁ ଗୋବରରେ ଲିପାପୋଛା ହେଉଥିଲା। ଶନିବାର ଦିନ ସକାଳେ ଗୋଟି ଓଳି ଚାଟଶାଳୀ ଖୋଲା ଯାଏ। ଚାଟଶାଳୀ ସମ୍ମୁଖରେ ଉଠିଥିବା ଅନାବନା ଘାସ ଓପାଡିବା ଦଳେ ପିଲାଙ୍କ କାମ। କେହି କେହି କୋଦଳା ଧରି ଘାସକୁ ଚାଞ୍ଛନ୍ତି ।ଏ ସବୁ କାମକୁ ଗୁରୁଜୀ ବାଣ୍ଟି ଥାନ୍ତି। ଲିପାପୋଛା ଓ ଘାସ ବଛା ସରିଲା ପରେ ଘଣ୍ଟା ବାଜେ। ଯିଏ ଯାହା ଘରକୁ ବହି ବସ୍ତାନି ଧରି ଛୁ ।ପ୍ରତି ସପ୍ତାହରେ ରବିବାର ଛୁଟି । ଗୁରୁଜୀ କହି ଥିବେ:- ରବିବାରେ ଜଙ୍ଘିଆ କୁର୍ତ୍ତା ସଫା କରି ଆସିବ,ଚୁଳ କାଟିବ,ନଖ କାଟି ଆସିବ। ଯିଏ ବୋଲ ନମାନିବ, ସୋମବାର ଦିନ ଆସିଲେ ମାଡ ଖାଇବ।ଶନିବାର ଦିନ ଛୁଟି ପୂର୍ବରୁ ଗୁରୁଜୀଙ୍କ କଠୋର ଆଦେଶ ଶୁଣିବା ଟା ନିଶ୍ଚିତ।
ଆମ ଗାଁ ଟା କିଛି ଜାତିର ଲୋକମାନଙ୍କୁ ନେଇ ଏକ ଜନ ବସତି। ଏଠାରେ ରାଜାରାଜୁଡ଼ା କାଳରୁ ଦଧିବାମନ, ଲକ୍ଷ୍ମୀ ମନ୍ଦିର ଅଛି।ତା ପାଖକୁ ଶିବ ମନ୍ଦିର ରହିଛି। ଗାଁ ର ଦକ୍ଷିଣ ପାର୍ଶ୍ୱରେ ଏକ ଦୁର୍ଗା ମନ୍ଦିର ରହିଛି। ଏଣୁ ଆମ ଗାଁରେ ବାମୁଣ ପ୍ରାୟ ପାଞ୍ଚ ଘର ରହିଛି। ସଂଯୋଗୀ ପରିବାର ମଧ୍ୟ ପାଞ୍ଚ ଘର, ବାଢେଇ ଦୁଇ ଘର, ଓଡ଼ିଆ ଦୁଇ ଘର,ପନ୍ଦରା ତିନି ଘର ଆଉ ହାଡି ଜାତିର ଲୋକେ ପାଞ୍ଚ ଘର ଥିଲେ। କିନ୍ତୁ ଆମ ଗାଁ ରେ ଧୋବା କି ଭଣ୍ଡାରୀ ଘର ବୋଲି କିଛି ନଥିଲା।ଲୁଗା ପଟା ଆମ ଗାଁ ପାଖ ଧୋବଣୀ ମାନେ କାଚୁଥିଲେ। ସେତେବେଳେ ଧୋବା ଖାର ମିଳିବା କଷ୍ଟକର ଥିଲା। ଏଣୁ ଗାଁ ବାଡି ପଟେ ଥିବା କଦଳୀ ଗଛର ଶୁଖିଲା ପତ୍ର କୁ ପୋଡି ଯେଉଁ ପାଉଁଶ ମିଳେ ସେଥିରେ ଲୁଗାପଟା କଚା ହୁଏ। ଏଥି ପାଇଁ ଧୋବଣୀ କୁ ଭାତ ପଖାଳ କଂସେ,ତରକରୀ ଗିନେ ମିଳେ।ଆଉ ଚାଉଳ ଅଡେ ଦିଆ ଯାଏ। ଅଧିକାଂଶ ଲୋକେ ଧୋବା ଘର ନଥିବାରୁଷ ନିଜ ଲୁଗା ନିଜେ ସଫା କରନ୍ତି। ବାକି ରହିଲା ଭଣ୍ଡାରୀ କାମ। ସେମାନଙ୍କ କାମ ହେଲା,ଚୁଳ କାଟିବା, ନଖ କାଟିବା ଆଉ ଦାଢ଼ି କ୍ଷର କରିବା। ଏହା ଥିଲା କଷ୍ଟକର କଥା। କେବେ କେବେ ବାରିକ କଇଁଚି ଓ କ୍ଷୁର ପେଟି କାନ୍ଧରେ ଝୁଲାଇ ଗାଁ ଗାଁ ବୁଲେ । ଦାଣ୍ଡରେ ରଡ଼ି ଛାଡେ। କିଏ ଚୁଳ କାଟିବ ଆସ । ଭଣ୍ଡାରୀ ଡ଼ାକ ଶୁଣି ପିଲାଙ୍କ ମଧ୍ୟରେ ପ୍ରତି ଯୋଗିତା । ପିଲାମାନେ ନିଜ ନିଜ ବାପାଙ୍କୁ ଅଝଟ ହୋଇ ଚୁଳ କାଟିବାକୁ ଅଳି ଅଝଟ କରନ୍ତି। ଗୁରୁଜୀ ଯଦି ଚୁଳ ନକାଟି, କୌଣସି ପିଲା କଲି ବଢାଇଲା, ତେବେ ଗୁରୁଜୀ କଲି ଧରି ଜୋରରେ ଟେକି ଦିଅନ୍ତି। କେବେ କାନ ରଗଡ଼ନ୍ତି। କେବେ ବେତରେ ବାଡେଇ ହାତ ପାପୁଲି ଲାଲ କରି ଦିଅନ୍ତି ।ଆମ ସମୟର ଗୁରୁଜୀମାନେ ପିଲାମାନଙ୍କୁ ବହେ ଉତ୍ତମ ମଧ୍ଯମ କଷିବାରେ ଧୂରନ୍ଧର। ପିଲାମାନେ ଗୁରୁଜୀଙ୍କ ଆଜ୍ଞା କୁ ଅବଜ୍ଞା
କରନ୍ତି ନାହିଁ। ଦୁନିଆ ପ୍ରଳୟ ହେଲେ ହେଉ ପଛେ,ଗୁରୁ ଆଜ୍ଞା ଶୀରଧାର୍ଯ୍ଯ। ଆମ ଚାଟଶାଳୀରେ ଦଳିତ ପିଲାମାନେ ମଧ୍ୟ ପାଠ ପଢୁଥିଲେ ।ସେମାନେ ଚାଟଶାଳୀର ସବର୍ଣ୍ଣ ପିଲାମାନ ଠାରୁ ଶେଷ ଧାଡ଼ିରେ ବସୁଥିଲେ। ତାଙ୍କୁ କୌଣସି ପିଲା ଛୁଉଁ ନଥିଲେ । ଗୁରୁଜୀ ମଧୁ ସେମାନଙ୍କୁ ଛୁଉଁନଥିଲେ। ଆମ ଗାଁରେ ଜାତି ପ୍ରଥା ଉତ୍କଟ ଥିଲା। ଦଳିତମାନଙ୍କୁ ଛୁଉଁନଥିଲେ।ଆମ ଗାଁ ର ଦଳିତମାନେ ରାଜାରାଜୁଡ଼ା ଅମଳରୁ ବସବାସ କରି ଆସୁଛନ୍ତି। ସେମାନଙ୍କ ପାଖରେ ରାଜା ପ୍ରଦତ୍ତ ଇନାମ ଜମି ରହିଛି। କିଛି ଦଳିତ ଅର୍ଥ ଅଭାବରୁ ବିକ୍ରୟ ବଟା କରି ଦେଇଛନ୍ତି। ବର୍ତ୍ତମାନ ସେମାନଙ୍କ ମୁଖ୍ୟ କାର୍ଯ୍ୟ ହେଲା କୃଷି। କେହି କେହି ଖରା ଦିନେ ଆମ୍ବ ତୋଟା, ଭାଲିଆ ତୋଟା ନିଲାମ ନେଇ ବ୍ୟବସାୟ କରନ୍ତି। କେହି କେହି ସରକାରୀ ଚାକିରି କରି ବାହାରେ ରହନ୍ତି। ବିଶେଷ କରି ସେମାନେ ମଧ୍ୟ ବିତ୍ତ ଶ୍ରେଣୀର। ଆମ ଗାଁ ରେ ସେମାନଙ୍କୁ ଅଧିକ ଗୁରୁତ୍ବ ଦିଅନ୍ତି। ତଥାପି ଆମ ଗାଁରେ ଅସ୍ପୃଶ୍ୟତା ଆଜି ମଧ୍ୟ ବଳବତ୍ତର ରହିଛି।ଆମ ଗାଁ ର ଦଳିତ ପିଲାମାନଙ୍କ ଚୁଳ, ସେମାନଙ୍କ ଜାତି ଲୋକ ଭଣ୍ଡାରୀ ଭଳି ଚୁଳ କାଟନ୍ତି। ଯେହେତୁ ଆମ ଚାଟଶାଳୀରେ ଦଳିତ ପିଲାମାନେ ପାଠ ପଢ଼ୁଛନ୍ତି, ଏଣୁ ସବର୍ଣ୍ଣ ଗୋଷ୍ଠୀର ମାଆମାନେ ତାଙ୍କ ପିଲାମାନଙ୍କୁ ଲଙ୍ଗଳା ହୋଇ ଘରେ ପଶିବାକୁ କହନ୍ତି। ପିଲାମାନେ ଚାଟଶାଳୀରୁ ଘରକୁ ଫେରିଲା ବେଳେ ନିଜ ନିଜ ଘରେ ପ୍ରବେଶ କଲା ବେଳେ ଲୁଗାପଟା ଖୋଲିବା ଏକ ଦୈନଦିନ ଅଭ୍ୟାସ। ପୁଣି ପର ଦିନ ଚାଟଶାଳୀକୁ ଗଲା ବେଳେ ଛୁଆଁ ହୋଇଥିବା ଜଙ୍ଘିଆ କୁର୍ତ୍ତାକୁ ପରିଧାନ କରି ଯାଆନ୍ତି। କିନ୍ତୁ ସବର୍ଣ୍ଣ ପିଲା ମାନେ ଦଳିତ ପିଲାମାନଙ୍କୁ ନଛୁଇଁଥିଲେ ମଧ୍ୟ ଏହି ସାମାଜିକ ବ୍ୟାଧିରୁ ପିତାମାତା ମୁକ୍ତ ନଥିଲେ।ଆମ ସମୟରେ ଗୁରୁଜୀ କେବଳ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ(ବ୍ରାହ୍ମଣ)ର ଥିଲେ। ଏଣୁ ଦଳିତ ପିଲାମାନଙ୍କ ପ୍ରତି କିଛିଆନ୍ତରିକତା ନଥିଲା । ସେମାନେ ସବର୍ଣ୍ଣ ପିଲା ଠାରୁ ଅଲଗା ହୋଇ ପଛରେ ବସୁଥିଲେ । ଆମର ଚାଟଶାଳୀରେ ୩ୟ ଶ୍ରେଣୀକୁ ଜଣେ ଗୁରୁଜୀ ଥିଲେ । ଦଳିତ ପିଲାମାନଙ୍କୁ ସେ ଜମାରୁ ଅ ଆ ଇ ଈ….କ ଖ ଗ ଘ…. ଆଦି ଅକ୍ଷର ଶିଖାଉ ନଥିଲେ। ଏହା ଥିଲା ଆମ ସମୟର ଗୁରୁଜୀଙ୍କ ଜାତିଆଣ ମନୋଭାବ। ଦଳିତ ପିଲାମାନେ ପାଠ ପଢି ଆଗକୁ ଯିବାକୁ ଗୁରୁଜୀଙ୍କ ମୋଟେ ଇଛା ନଥିଲା । ଗୁରୁଜୀ ଯେଉଁଠି ଶିଷ୍ୟଙ୍କ ପ୍ରତି ଭେଦଭାବ ରହିଛି, ସେଠାରେ ସମାନତା ଆସିବ କିପରି।ଖେଳ କୁଦ ହେଲେ ସବର୍ଣ୍ଣ ପିଲାମାନେ ମିଳିମିଶି ଖେଳେବେ, କିନ୍ତୁ ଦଳିତ ପିଲାମାନଙ୍କ ଖେଳ କୁଦ ଯେପରି ସାମାଜିକ କଟକଣା ହେତୁ ସମସ୍ତ ସ୍ବାଧୀନତାରେ ବେଡ଼ି ପଡିଯାଇଥିଲା ।ଦିନେ ସବର୍ଣ୍ଣ ପିଲାଙ୍କୁ କିଏ ଜଣେ ଦଳିତ ପିଲା ଭୁଲ ବଶତଃ ଛୁଇଁ ଦେଲା। ଏ କଥାକୁ ନେଇ ସବର୍ଣ୍ଣ ପିଲାଟି ଗୁରୁଜୀଙ୍କୁ କହିବା ପରେ ,ସେ ରାଗରେ ପଞ୍ଚମ ହୋଇ ଦୁଇଟା ଦଳିତ ପିଲାଙ୍କୁ ଦୁରରେ ଥାଇ ବେତ ବାଢି ଫୋପାଡି ଖୁବ୍ ପ୍ରହାର କଲେ। ସେ ଦୁହେଁ ଦଳିତ ପିଲା ମାଡ ଖାଇ ଲହୁ ଲୁହାଣ ହୋଇ ଗଲେ। ଘରେ କାନ୍ଦି କାନ୍ଦି ପିଲାମାନେ କହିଲେ । ତାଙ୍କ ବାପା ମଧ୍ୟରୁ ଜଣେ ଠେଙ୍ଗା ଧରି ଗୁରୁଜୀଙ୍କୁ ଅଭଦ୍ର ଭାଷାରେ ଗାଳି କରିବା ସହ ପିଟିବା ପାଇଁ ଧମକ ଦେଲା । ଗୁରୁଜୀ ଚୁପ୍। କଲିଜା ପେଳେହି ପାଣି ହୋଇ ଗଲା।ସେ କହିଲା: ତୁ ଶଳା ମାଷ୍ଟର,କାଲି ଠାରୁ ଆଉ ଆମ ଗାଁ କୁ ଆସିବୁ ନାହିଁ। ଆସିଲେ ମାଡ ହେବ । ଏକଥା ଶୁଣି ମାଷ୍ଟ୍ରେ ଛାନିଆ। ଆଉ ଗାଁ କୁ ଆସିଲେ ନାହିଁ।କିଛି ଦିନ ଚାଟଶାଳୀ ବନ୍ଦ ହେଲା । ପରେ ଏକଥା ବିଦ୍ୟାଳୟ ପରିଦର୍ଶକ ଜାଣିଲା ପରେ ଆଉ ଜଣେ ହୋତା ମାଷ୍ଟ୍ରେ ଆସିଲେ ।ସେ ବି ବ୍ରାହ୍ମଣ ଜାତିର ଥିଲେ ମଧ୍ୟ ତାଙ୍କ ପାଖରେ ସଂସ୍କାର ଥିଲା। ଯେଉଁ ପିଲା ଯେଉଁ ଶ୍ରେଣୀରେ ପଢୁଥିଲା, ସେମିତି ଧାଡ଼ିରେ ବସା ଗଲା । ଏଣୁ ପକ୍ଷପାତ ନ ହୋଇ ସବର୍ଣ୍ଣ ପିଲାଙ୍କସହିତ ଦଳିତ ପିଲାମାନେ ବସିଲେ। ସବର୍ଣ୍ଣ ପିଲାମାନେ ଦଳିତ ପିଲାମାନଙ୍କ ସହିତ ପାଖ ପାଖି ନ ବସି ଛାଡ ଛାଡି ବସୁଥିଲେ । କିନ୍ତୁ ହୋତା ମାଷ୍ଟ୍ରେ କହିଲେ:- ସବୁ ଲାଗି ଲାଗି ବସ । ବିଦ୍ୟାଳୟର ଛୁଆଁ ଅଛୁଆଁ ନାହିଁ। ଏଠାରେ ସମସ୍ତେ ସମାନ।ଏ କଥାଟା ଆମ ଗାଁ ରେ ଚହଳ ପଡ଼ିଗଲା। ବ୍ରାହ୍ମଣ ଘରର ମାଇପିମାନେ ପୋଖରୀ ତୁଠରେ ଟୁପୁର ଟାପୁର ହେଲେ।ଏଇ ହୋତା ମାଷ୍ଟ୍ରେ କୁଆଡେ଼ ଆସି,ଆମର ଜାତି ଭ୍ରଷ୍ଟ କଲା । ଏଇଟା ବାମୁଣ ନା ଚଣ୍ଡାଳ…ଛି..ଛି..!! କିନ୍ତୁ କାହର କହିବାକୁ ସାହାସ ନାହିଁ। ଏମିତି ଜାତି ଭ୍ରଷ୍ଟ କଲେ ବୋଲି।ଥରେ ଗୋଟିଏ ଅପ୍ରୀତିକର ଘଟଣା ଘଟିଲା। ଶନିବାର ଦିନ ବିଦ୍ୟାଳୟ ଗୋବରରେ ଲିପାପୋଛା ହୁଏ। ହୋତା ମାଷ୍ଟ୍ରେ ସମସ୍ତଙ୍କୁ କାମ ବାଣ୍ଟି ଦେଲେ। ପୋଖରୀରୁ ପାଣି ବାଲ୍ଟିରେ ଆଣିବା ପାଇଁ ଜଣେ ବ୍ରାହ୍ମଣ ପିଲା ଆଉ ଜଣେ ଦଳିତ ପିଲାକୁ ପଠାଇଲେ। ବାଲ୍ଟିଟି ମଝିରେ ଏକ ଦଣ୍ଡ ପୂରାଇ ଦୁଇ ପିଲା ପାଣି ପୋଖରୀରୁ ବୋହି ଆଣିବେ। ଦୁହେଁ କେତେ ଥର ଆଣିଲେ । ଶେଷ ଥର ବେଳକୁ ବାଳକୃଷ୍ଣ ପଣ୍ଡାର ଜେଜେମା ବୁଢ଼ି ଦେଖି ରାଗରେ ଗର ଘର ହୋଇ ଚାଟଶାଳୀକୁ ଧାଇଁ ଆସିଲା। ହୋତା ମାଷ୍ଟ୍ରକୁ ବୋହେ ଗଞ୍ଜାମ ଭାଷାରେ ଶୋଧିଲା।ହୋତା ମାଷ୍ଟ୍ର ଏ କଥା ଚାଟଶାଳୀ ସଭାପତି ଯିଏ କି ଦଳିତ ବର୍ଗର ତାଙ୍କୁ କହିଲେ। ସେ ପେଟେ ମଦ ପିଇ ସେ ବୁଢିକୁ ଦୋଅକ୍ଷରୀରେ ଗାଳିଗୁଲଜ କଲା। ବୁଢି ଚୁପ।ଆମ ଗାଁ ରେ ପ୍ରଥମ ଚାଟଶାଳୀ ଖୋଲିଲା ପରେ ଜାତିଆଣ ଭାବନା ଆକାଶ ଛୁଆଁ ଥିଲା। ହୋତା ମାଷ୍ଟ୍ରଙ୍କ ପାଇଁ ଛୁଆଁ ଅଛୁଆଁ ଭେଦ ଭାବ ବହୁତ କମିଲା।ସେ ଦଳିତ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କର ଗୁଡାଖୁ ଘଷିବା ବଦ ଅଭ୍ୟାସ ଥିଲା। ସେ ଡାଳରେ ପାଣି ଆଣିବାକୁ ଦଳିତ (ହାଡି) ପିଲାଙ୍କୁ ପଠାଉଥିଲେ। ଅଉ ତାଙ୍କ ପାଦରେ ଯେବେ କଣ୍ଟା ପଶି ବିନ୍ଧା ହେଉଥିଲା, ଜଣେ ଦଳିତ ପିଲାକୁ ଛୁଞ୍ଚିରେ କଣ୍ଟା ବାହାର କରିବାକୁ କହୁଥିଲେ। ସେ ଦଳିତ ପିଲାମାନଙ୍କୁ ଏମିତି ପାଠ ପାଇଲେ , ଯେଉଁମାନେ ଶ୍ରୀ ଅକ୍ଷର ବିବର୍ଜିତ ଥିଲେ, ସେମାନେ ଭଲ ପାଠ ପଢିଥିଲେ। ଦଳିତ ପିଲାମାନଙ୍କୁ ହୋତା ମାଷ୍ଟ୍ରେ ୩ୟ ଶ୍ରେଣୀରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ମେଧାବୃତ୍ତି ପରୀକ୍ଷା କୁ ପଠାଇଲେ। ସବୁ ଦଳିତ ପିଲାମାନେ ୩ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ । ସେ ଭଳି ସାମ୍ୟବାଦୀ ଚେତନାଥିବା ହୋତା ମାଷ୍ଟ୍ରଙ୍କୁ ଯଦିଓ ସବର୍ଣ୍ଣ ଗୋଷ୍ଠୀ ଘୃଣା କରୁଥିଲେ । ହେଲେ ଦଳିତମାନେ ତାଙ୍କୁ ଭଗବାନଙ୍କ ଠାରୁ କମ ସମ୍ମାନ ଦେଉ ନଥିଲେ। ସେ ଥିଲେ ଦଳିତମାନଙ୍କ ତ୍ରାଣକର୍ତ୍ତା। ତାଙ୍କୁ ଶ୍ରଦ୍ଧାରେ ଦଳିତମାନେ କେତେବେଳେ ଆମ୍ବ, କେତେବେଳେ ପଣସ ଆଉ କେତେବେଳେ ସରୁ ଅରୁଆ ଚାଉଳ ଦେଉଥିଲେ। ଏମିତି ଥିଲା ଆମ ଗାଁ ଚାଟଶାଳୀ। ତତ୍କାଳୀନ ଶିକ୍ଷା ବ୍ୟବସ୍ଥା।

(କେଶବ ଚନ୍ଦ୍ର ନାୟକ)

(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Comments (0)
Add Comment