***ଆମେ ଆଉ ନୂଆ ବର୍ଷ***

ବଦଳି ଯାଇଛି ନୂଆ ବରଷଟା
କାନ୍ଥରୁ ପଞ୍ଜିକା ନାମେ…
ଆମ ମନ କେବେ ବଦଳି ନାହିଁ ଟି
ଚରିତ୍ର -ପ୍ରକୃତି -କର୍ମେ….!!
ଯେ ଥିଲା ଲାଞ୍ଚୁଆ ଖଚୁଆ ମିଛୁଆ
ନ ହେବ ମାର୍ଜିତ କେବେ…..
ବିଲେଇ ଶୃଗାଳ ବାଘ ସିଂହ ପଶୁ
ସାତ୍ବିକ କି ହେବେ ତେବେ…?
ଥିଲା ଯିଏ ଭଣ୍ଡ ଅବା ବୁଲା ଷଣ୍ଢ
ବାଡ କି ଭାଙ୍ଗିବ ନାହିଁ….
ପର ଦରବରେ ଆଶା ରଖି ମନେ
ସବୁ ଯିବ ତାକୁ ଖାଇ….!!
ଯିଏ ଥିଲା ଚୋର କିବା ଟାଉଟର
ବଦଳି ଯିବ କି ବୁଦ୍ଧି….
ଡକାୟତି ମନ ପର ଧନେ ଧ୍ୟାନ
ଜପୁଥିବ ନିରବଧି….!!
କୁଟିଳ ଯାହାର ଚିର ସହଚର
ପର ଘର ବୁଢ଼ା ପଣ….
କଳି ନ ଲାଗିଲେ ନିଦ କି ଆସିବ
ଯାହାର ଯେମିତି ଗୁଣ….!!
ବାରଙ୍ଗନା ଯଦି ତୁଳସୀ ପୂଜିବ
ଛାଡିବକି ବେଶ୍ୟା ବୃତ୍ତି….
ଲପଟ ପୁରୁଷ ନୁହେଁ ସୁପୁରୁଷ
ମାଳାକୁ କଲେ ଆବୃତ୍ତି….!!
ମଦୁଆ ମାତାଲ ଜୁଆଡି ଯେତିକି
ପରିବର୍ତ୍ତନ ନ ହେବେ….
ମରିଗଲେ ସିନା ପ୍ରକୃତି ଛାଡିବ
କହି ଲାଭ ନାହିଁ ତେବେ….!!
ନୂଆ ଵରଷଟା ଆସିଛି ମର୍ମେ
ହିସାବ ଜାଣିବା ପାଇଁ….
ମଦ ମାଂସ ଖାଇ ନାଚିଲେ ଆନନ୍ଦେ
ସ୍ବଭାବ ବଦଳେ ନାହିଁ…!!
ଯାହାର ଯେମିତି କର୍ମ ରହିଥିଲା
ସୁକର୍ମ କୁକର୍ମ ଯାହା…
ବଦଳିଲା ସିନା ନୂଆ ବରଷଟା
ଆମେ ରହିଛୁ ତାହା…!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Comments (0)
Add Comment