ଆନନ୍ଦ ଉଲ୍ଲାସର ସହ ଶ୍ରୀରାମ ନବମୀ ପାଳିତ ।

ଭଞ୍ଜନଗର,୩୦/୦୩(ପିପିଟି):ଚୈତ୍ର ମାସ ଶୁକ୍ଳ ନବମୀ ଦିନ ଦ୍ୱିପ୍ରହରରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ।ପ୍ରଭୁଙ୍କ ସେହି ଜନ୍ମଦିନକୁ ହିନ୍ଦୁ ଧର୍ମାବଲମ୍ବୀ ମାନ ରାମ ନବମୀ ଭାବେ ପାଳନ କରି ଆସୁଛନ୍ତି। ଏହି ଅବସରରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ପକ୍ଷରୁ ଭଞ୍ଜନଗର ସହର ସମେତ ଆଖପାଖ ଅଞ୍ଚଳରେ ପବିତ୍ର ରାମ ନବମୀକୁ ବେଶ ଧୁମଧାମ ସହକାରେ ପାଳନ କରାଯାଇଛି। ସେଥି ମଧ୍ୟରେ ଭଞ୍ଜନଗର ମୁଖ୍ୟ ରାସ୍ତାରେ ଥିବା ରଘୁନାଥ ମନ୍ଦିର,ଲଣ୍ଡେଇ ସାହି ରାମ ମନ୍ଦିର, ମହାବୀର ଛକରେ ଥିବା ହନୁମାନ ମନ୍ଦିର ଠାରେ ପୂଜା, ହୋମ,ଘୃତ ଯଜ୍ଞ,ଅଭିଷେକ,ପ୍ରଭୁ କଥା, ଅନ୍ନଯଜ୍ଞ ଆଦି ହୋଇଥିଲା।ସେହିପରି ସ୍ଥାନୀୟ ଜେଲ ପଡ଼ିଆ ଠାରେ ଇସ୍କନ ନାମହଟ୍ଟ ଦ୍ୱାରା ଶ୍ରୀରାମ ନବମୀ ମହାମହୋତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ନାମ ସଂକୀର୍ତ୍ତନ,ରାମ କଥା,ପଞ୍ଚ ଅଭିଷେକ,ମହାପ୍ରସାଦ ବଣ୍ଟନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସେହିପରି ସକାଳେ ବଜରଙ୍ଗ ଦଳ ଓ ବିଜେପି କର୍ମୀମାନେ ଏବଂ ସନ୍ଧ୍ୟାରେ ଲଣ୍ଡେଇ ସାହି ରଘୁବୀର ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।ଭଞ୍ଜନଗର ସମେତ ଆଖପାଖରେ ଥିବା ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଏହି ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଛି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Comments (0)
Add Comment