ଆଦିବାସୀଙ୍କ ଉପରେ ଜଙ୍ଗଲ ବିଭାଗର ଜୁଲୁମ୍ ।

ସୋରଡା,୦୨/୦୫(ପିପିଟି); ଗଞ୍ଜାମ ଜିଲ୍ଲା ସୋରଡା ବ୍ଳକ୍ ଅନ୍ତର୍ଗତ ମେରିକୋଟ ପଞ୍ଚାୟତର ବାଉଁଶମାଳ ଗାଁରେ ଆଦିବାସୀ ଲୋକଙ୍କ ଉପରେ ଜଙ୍ଗଲ ବିଭାଗର ଜୁଲୁମ୍ । ଜଙ୍ଗଲ ଜମିରେ ଦୀର୍ଘ ୧୮ ବର୍ଷ ଧରି ବସବାସ କରି ଆସୁଥିବା ସୌରା ଆଦିବାସୀମାନଙ୍କୁ ଜଙ୍ଗଲ ଅଧିକାର ପଟ୍ଟା ମିଳି ନଥିବାରୁ ସେମାନଙ୍କ ଉପରେ ବାରମ୍ବାର ଜଙ୍ଗଲ ବିଭାଗର ଜୁଲୁମ୍ ହୋଇ ଆସୁଛି । ଆଜି ଜଙ୍ଗଲ ବିଭାଗ ଅଧିକାରୀମାନେ ଆସି ସେମାନଙ୍କୁ ମାଡ ମାରିବା ସହ ଘର ଭାଙ୍ଗିବା ସହ ସେମାନଙ୍କ ଟଙ୍କା ଓ କାତି କୁରଢୀ ପରି ସରଞ୍ଜାମ ନେଇଯାଇଛନ୍ତି । ସେମାନଙ୍କ ଖାଦ୍ୟ ଶସ୍ୟ ଓ ଆସବାବପତ୍ରକୁ ଘରୁ ବାହାରକୁ ଫୋପାଡ଼ି ଦେଇଛନ୍ତି । ଆଦିବାସୀଙ୍କ ଉପରେ ଏଭଳି ନିର୍ଯାତନା ଓ ଜୁଲୁମକୁ ଅଖିଳ ଭାରତ କିଶାନ୍ ମଜଦୁର୍ ସଂଗଠନ ତୀବ୍ର ନିନ୍ଦା କରିଛି । ଆଜି ଏଆଇକେଏମଏସର ସୋରଡା ବ୍ଳକ୍ କମିଟି ସଭ୍ୟ ସର୍ବିନ ଗମାଙ୍ଗ ଓ ରାଧା ମଳିକଙ୍କ ନେତୄତ୍ଵରେ ଏକ ପ୍ରତିନିଧି ଦଳ ଘଟଣା ସ୍ଥଳକୁ ଯିବା ସହ ପିଡୀତ ଆଦିବାସୀଙ୍କ ସହ ଆଲୋଚନା କରିଥିଲେ । ଏହି ବେଆଇନ ଓ ଅମାନବୀୟ ଘଟଣାର ତଦନ୍ତ କରି ଦୋଷୀ ଜଙ୍ଗଲ ଅଧିକାରୀମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆଦିବାସୀ ମାନଙ୍କୁ କ୍ଷତି ପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ । ନଚେତ ଆଗାମୀ ଦିନରେ ଏଆଇକେଏମଏସର ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି କହିଥିଲେ ।

Comments (0)
Add Comment