ଆଦିବାସୀଙ୍କୁ ରୋଜଗାର ଯୋଗାଉଛି ତାଳ ସଜ ।

ମାଲକାନଗିରି,୧୩/୦୪(ପିପିଟି) : ବର୍ତ୍ତାମାନ ଗ୍ରୀଷ୍ମ ଋତୁ ଚାଲିଛି Iଚାରିଆଡେ ଗ୍ରୀଷ୍ମର ଲହରୀ ଜନ ଜୀବନ କୁ ପ୍ରଭାବିତ କରିଛି I ତୃଷାନିବାରଣ ଲାଗି ଲୋକମାନେ ବିଭିନ୍ନ ପନ୍ଥା ଅବଲମ୍ବନ କରିଥାନ୍ତି Iପୋଷାକ ପରିଛେଦ ଠାରୁ ଆରମ୍ଭ କରି ଖାଦ୍ଯ ପାନୀୟରେ ମଧ୍ଯ ପରିବର୍ତ୍ତନ ଦେଖା ଦେଇଛି Iଏବେ କାକୁଡି,ତରଭୂଜ,ପଇଡ,ଦହି,ଚହ୍ଲା,ଲସି,ଲେମ୍ବୁ ପଣା,ମିଶ୍ରି ପାଣି,ବେଲ ପଣା,ଫଳରସ,ପଖାଳଭାତ ଆଦି ଖାଇବାକୁ ଲୋକେ ପସନ୍ଦ କରନ୍ତି Iସେହିପରି ତାଳ ସଜ ଅନ୍ଯ ଏକ ତୃଷା ନିବାରଣର ମାଧ୍ୟମ। କଅଁଳ ତାଳ ସଜ ଗ୍ରୀଷ୍ମ ଦିନେ ଲୋକମାନଙ୍କ ଖାଇବାକୁ ଭାରି ପସନ୍ଦ I
ବିଶେଷ କରି ଆଦିବାସୀ ଅଧ୍ଯୁସିତ ଜିଲ୍ଲାଗୁଡିକରେ ତାଳ ଗଛ
ବହୁଳ ସଂଖ୍ଯାରେ ଦେଖା ଯାଏ Iତନ୍ମଧ୍ଯରୁ ମାଲକାନଗିରି ଜିଲ୍ଲା ଅନ୍ଯତମ Iମାଲକାନଗିରି ଜିଲ୍ଲାର ଗୋବିନ୍ଦପଲ୍ଲୀ,ମାଥିଲି,ପାଙ୍ଗାମ,ପାଣ୍ଡ୍ରିପାଣି,ମାଲକାନଗିରି,କାଲିମେଳା,ଏମଭି-୭୯,ପଡିଆ,ମୋଟୁ,ବାଲିମେଳା,କୋରୁକୋଣ୍ଡା,ଖଇରପୁଟ,ଚିତ୍ରକୋଣ୍ଡା,କୁଡୁମୁଲଗୁମ୍ମା ଆଦି ସ୍ଥାନକୁ ତାଳ ସଜ ବିକ୍ରୟ କରିବାକୁ ଆଦିବାସୀମାନେ ଆସିଥାନ୍ତି I
ମାଲକାନଗିରି ସଦରମହକୁମାକୁ ତୁମୁସାପଲ୍ଲୀ ,ଚାଲାଣଗୁଡା,ତମସା,ଗୁରାଖୁଣ୍ଟା ,ଗୌଡଗୁଡା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆଦିବାସୀମାନେ ତାଳ ସଜ ବେପାର କରିବାକୁ ଆସିଥାନ୍ତି Iଏମାନେ ସକାଳୁ ସକାଳୁ ମାଲକାନଗିରି ସଦର ମହକୁମାକୁ ଆସି ବିକ୍ରି କରିଥାନ୍ତି ଓ ତାଳ ସଜ ବିକ୍ରି ଶେଷ ହେଲା ପରେ ଘରକୁ ଫେରନ୍ତି Iତାଳ ଫଳ କାଟିବା ପାଇଁ କଟୁରୀ ଏବଂ ବସ୍ତାରେ ବସ୍ତାଏ ତାଳ ଫଳ ସାଇକଲ ବା ମଟର ସାଇକଲରେ ଲଦି ବଜାରକୁ ଆଣିଥାନ୍ତି I
ରାସ୍ତା କଡ଼ରେ ବସି ଏକ କାଠମାଣ୍ଡା ତଳେ ଥୋଇ ଧାରୁଆ କଟୁରୀ ରେ ତାରରୁ କୋଷା ବାହାର କରିଥାନ୍ତି। କେହି କେହି ୬ ଟି ବା ୭ ଟି ତାଳ ସଜକୁ ୨୦ ଟଙ୍କାରେ ବିକ୍ରି କରିଥାନ୍ତି ।କୋମଳ ତାଳ କୋଷା ଗ୍ରୀଷ୍ମ ଋତୁରେ ସମସ୍ତଙ୍କର ଅତି ପ୍ରିୟ Iକଅଁଳ ତାଳ ସଜ ଖାଇବାକୁ ମିଠା I ସେଥିରେ ମିଠା ମିଠା ପାଣି ରହିଥାଏ। ଏଣୁ ପିଲା ଠାରୁ ବୁଢା ଏହି ତାଳ ସଜକୁ ଖାଇବା ପାଇଁ ଚୈତ୍ର ମାସକୁ ଅପେକ୍ଷା କରିଥାନ୍ତି I ତାଳ ଫଳ ଓଡିଶା ସମସ୍ତ ଜିଲ୍ଲାରେ ଉଣା ଅଧିକା ଚୈତ୍ର ଓ ବୈଶାଖ ଦୁଇ ମାସରେ ଉପଲବ୍ଧ ହୋଇଥାଏ Iତାଳ ଫଳ ବୁଢା ହୋଇଗଲେ ଏହା ଖାଦ୍ଯୋପଯୋଗୀ ହୋଇନଥାଏ I ଏଣୁ କଅଁଳ ତାଳକୁ ଗଛରୁ କଢାଯାଇ ବିକ୍ରୟ ଲାଗି ବଜାର କୁ ଅଣାଯାଏ I ତାଳ ଗଛ ଚଢିବା କଷ୍ଟକର ହୋଇଥାଏ I ଦକ୍ଷତା ନଥିବା ଲୋକ ତାଳ ଗଛ ଚଢିବା ସହଜ ସାଧ୍ଯ ନୁହେଁ Iକାରଣ ତାଳ ଗଛରେ ଶାଖା ପ୍ରଶାଖା ନଥିବାରୁ ଗଛରୁ ପଡି ମରିବାର ଭୟ ବେଶି ଥାଏ I ବେଳେବେଳେ ଅସାବଧାନତା ଯୋଗୁଁ ତାଳ ଗଛରୁ ପଡି ଚଢାଳୀ ମୃତ୍ଯୁ ବରଣ କରିଥାଏ I
ସାବିତ୍ରୀ ଅମାବାସ୍ଯାରେ ତାଳ ଫଳର ଚାହିଦା ବେଶି Iକାରଣ ସାବିତ୍ରୀ ଅମାବାସ୍ଯାରେ ତାଳ ସଜ ପୂଜାରେ ଲାଗିଥାଏ Iକେବଳ ଯେ ଆଦିବାସୀମାନେ ତାଳ ସଜ ବିକ୍ରୟ କରିନଥାନ୍ତି,ସେମାନେ ତାଳ ଗଛର ଭଣ୍ଡାକୁ କାଟି ତାଳ ରସ ମାଟି ଠେକା ଗଛରେ ବାନ୍ଧି ସଂଗ୍ରହ କରିଥାନ୍ତି Iତାଳରସ ପାନ କଲେ ମିଠା ଲାଗିବା ସହ ଗ୍ରୀଷ୍ମ ଦିନେ ତୃଷା ନିବାରଣ କରିଥାଏ I
ଏହି ତାଳ ରସକୁ ମଧ୍ଯ ଆଦାସୀ ମହିଳାମାନେ ବିକ୍ରୟ କରି ଦୁଇ ପଇସା ଉପାର୍ଜନ କରିଥାନ୍ତି Iକେହି କେହି ତାଳ ରସରୁ ଗୁଡ ପ୍ରସ୍ତୁତ କରିଥାନ୍ତି Iଏହା ବ୍ଯତୀତ ତାଳ ବରଡା ଦ୍ବାରା ଆଦିବାସୀମାନଙ୍କ ଘର ଛପର ହୋଇଥାଏ I ତାଳ ବଉଙ୍ଗରୁ ରଶି ପ୍ରସ୍ତୁତ କରାଯାଇ ବାଡ ବତା ବନ୍ଧା ଯାଇଥାଏ Iତାଳ ଗଛକୁ ଗଡି କରାଯାଇ ଘରର ଶେଣୀ ନିର୍ମାଣ ମଧ୍ୟ କରାଯାଇଥାଏ Iତେବେ ଆଦିବାସୀ ସମାଜରେ ତାଳ ବୃକ୍ଷର ଭୂମିକା ଅତୁଳନୀୟ Iଏହା ଏକ ଅର୍ଥକାରୀ ବୃକ୍ଷ, ଯାହାକି ଆଦିବାସୀ ପରିବାରକୁ ରୋଜଗାର ଯୋଗାଇଥାଏ ।

(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment