ଆଦିବାସୀଙ୍କୁ ରୋଜଗାର ଯୋଗାଉଛି ତାଳ ସଜ ବେପାର ।

ମାଲକାନଗିରି,୨୪/୦୪(ପିପିଟି): ମାଲକାନଗିରି ଏକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳ । ଆଦିବାସୀ ମାନେ ମୁଖ୍ଯତଃ ଚାଷ ଉପରେ ନିର୍ଭର କରି ଜୀବିକାର୍ଜନ କରିଥାନ୍ତି । ତଥାପି ସେମାନେ ବର୍ଷ ସାରା ଜଙ୍ଗଲଜାତ ଦ୍ରବ୍ଯ ସଂଗ୍ରହ କରି ହାଟ ବଜାରରେ ବିକ୍ରୟ କରି ଦୈନନ୍ଦିନ ଖର୍ଚ୍ଚ ଉଠାଇଥାନ୍ତି । ଗ୍ରୀଷ୍ମ ଋତୁରେ ଆଦିବାସୀମାନେ ମହୁଲ ସଂଗ୍ରହ କରି ଆର୍ଥିକ ମାନଦଣ୍ଡକୁ ସୁଦୃ କରିଥାନ୍ତି । ସେହି ପରି ଆମ୍ବ, କେନ୍ଦୁ,ପଣସ,ତେନ୍ତୁଳି ଭଳି ଖରା ଦିନେ ତାଳ ସଜ ବେପାର ଆଦିବାସୀଙ୍କୁ ଦୁଇ ପଇସା ରୋଜଗାରର ମାଧ୍ଯମ ହୋଇଥାଏ ।ଆଦିବାସୀଙ୍କ ଜମିର ହିଡରେ ତାଳ ଗଛ ଦେଖିବାକୁ ମିଳିଥାଏ । ଗ୍ରୀଷ୍ମ ଋତୁରେ ତାଳ ଫଳେ । କଷି ତାଳକୁ ଗଛରୁ ତୋଳି ଆଦିବାସୀ ପୁରୁଷମାନେ ବସ୍ତାରେ ଭରି ହାଟ ବଜାରକୁ ବିକ୍ରୟ ଲାଗି ଆଣନ୍ତି ।କଟୁରୀରେ କାଟି ତାଳ ମଧ୍ଯରୁ ତାଳ ସଜ କାଢନ୍ତି । ତାଳ କାଷା କଅଁଳ ସତେଜ ଛନଛନିଆ ଥାଏ ।ଭିତରେ ମିଠା ପାଣି । କୋମଳ ରସାଳ ତାଳ ସଜକୁ ଖାଇକୁ କାହାର ମନ ନ ବଳିବ ?ଗ୍ରୀଷ୍ମ ଋତୁରେ ତାଳ ସଜ ପ୍ରକୃତିର ଏକ ଅବଦାନ । ଗ୍ରୀଷ୍ମ ସମାପ୍ତ ହେଲେ ବର୍ଷା ଆସିବ । ଗଛରେ ଥିବା ତାଳ ବୁଢା ହେଲା ପରେ ଆଉ କୋଷାକୁ ଖାଇବା ଅନୁପଯୋଗୀ । ପାଚିଲା ତାଳ ଗଛରୁ ପଡିଲେ ତାକୁ କେହି କେହି ରସ ଚିପୁଡି ଚକୁଳି କରି ଖାଆନ୍ତି । କିନ୍ତୁ ପାଚିଲା ତାଳ ଫଳର ସେତଟା ଚାହିଦା ନାହିଁ । ଗୋଟାଏ ତାଳରେ ସର୍ବାଧିକ ତିନୋଟି କୋଷା ଥାଏ । ବର୍ତ୍ତମାନ ତାଳକୋଷା ତିନିଟାକୁ ୧୦ ଟଙ୍କା ମାତ୍ର । ୯ଟା କୋଷାକୁ ୩୦ ଟଙ୍କାରେ ବିକ୍ରି କରାଯାଏ । ଏହାର ବଜାର ଚାହିଦା ବେଶୀ । ଗ୍ରୀଷ୍ମ ଦିନେ ତାଳ ସଜ ବେପାର ଆଦିବାସୀଙ୍କୁ ଦେଉଛି ରୋଜଗାର ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment