ଆଦର୍ଶ ପୋଖରୀ ନିର୍ମାଣରେ ଅନିୟମିତତା ଅଭିଯୋଗ; ମନରେଗାରେ କାମନହୋଇ ମିଥ୍ୟାବିଲ କରାଇ ଉଠାଇନେଲେ ଅଢ଼େଇଲକ୍ଷ !

ସାନଖେମୁଣ୍ଡି,୨୯/୦୫(ପିପିଟି); ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ରୋଜଗାରପ୍ରଦାନର ଗ୍ୟାରେଣ୍ଟି ସହ ଗ୍ରମ୍ୟଭିତ୍ତିଭୂମି ବିକାଶପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ଲୋକଙ୍କୁ ଜବକାର୍ଡ଼ ମାଧ୍ୟମରେ ନିଜ ଗାଁରେ ହିଁ ଉନ୍ନୟନମୂଳକ କାର୍ଯ୍ୟରେ ନିୟୋଜିତ କରି କର୍ମନିଯୁକ୍ତି ପ୍ରଦାନ ପାଇଁ ମନରେଗା ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । କରୋନା ସଂକ୍ରମଣ ସମୟରେ ମନରେଗାରେ ଶ୍ରମିକଙ୍କୁ କର୍ମଯୋଗାଣ ସହ ଅଧିକରୁ ଅଧିକ ଶ୍ରମଦିବସ ସୃଷ୍ଟି ପାଇଁ ମଧ୍ୟ ଜିଲ୍ଲାପ୍ରଶାସନ ଗୁରୁତ୍ୱ ଦେଉଛି । ତେବେ ସରକାର ଓ ଜିଲ୍ଲାପ୍ରଶାସନର ଗ୍ରାମ୍ୟ ଶ୍ରମିକ ପରିବାରକୁ କର୍ମନିଯୁକ୍ତିର ପ୍ରାଥମିକତା ଥିବା ସତ୍ତ୍ୱେ ମନରେଗା ପ୍ରକଳ୍ପରେ ଆଦୌ କାମ ନହୋଇ ଶ୍ରମିକ ମଜୁରୀ ଓ ମେସିନାରି କାର୍ଯ୍ୟ ହୋଇଥିବା ଦର୍ଶାଇ ବିଲ ପୈଠ ହୋଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ସାନଖେମୁଣ୍ଡିବ୍ଲକ କୋଙ୍କରଡା ପଞ୍ଚାୟତ ଅନ୍ତର୍ଗତ କଉଡ଼ିଆ ଦଣ୍ଡବନ୍ଧ ସୌନ୍ଦର୍ଯ୍ୟକରଣ ଓ ଆଦର୍ଶପୋଖରୀ ପ୍ରକଳ୍ପ ପାଇଁ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିବା ବେଳେ ପୋଖରୀରୁ ଗୋଟିଏ ଟୋକେଇ ମାଟି ବାହାରିନାହିଁ କି ପଙ୍କବି ବାହାର କରାଯାଇନି । ଗୋଟିଏ ଦିନ ମଧ୍ୟ ପୋଖରୀରେ ଶ୍ରମିକ ନିୟୋଜିତ ହୋଇନାହାନ୍ତି । ବାଲି ସିମେଣ୍ଟ ଗୋଡ଼ି ପଥର ମଧ୍ୟ ଲାଗିନାହିଁ । କିନ୍ତୁ ଏହି ଆଦର୍ଶପୋଖରୀରେ ମାଟି କାମ ଓ ମେସିନାରି ସାମଗ୍ରୀ ପାଇଁ ବିଲ ପୈଠ ହୋଇଛି । ପୋଖରୀ ପୁନଃରୁଦ୍ଧାର ଆଦୌ ହୋଇନଥିବା ବେଳେ ଅନିୟମିତତା ଓ ଚଞ୍ଚକତାର ସହ ବିଲ ପୈଠ ହୋଇଥିବା ଜଣାପଡିବା ପରେ କଉଡ଼ିଆ ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଦଣ୍ଡବନ୍ଧ ଆଦର୍ଶ ପୋଖରୀ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ସହ କାର୍ଯ୍ୟାଦେଶ କୋଡ଼ନଂ ୧୦୪୦୧୫୨୯ ରେ କାର୍ଯ୍ୟାଦେଶ ମଞ୍ଜୁରୀ ହୋଇଥିଲା । ତେବେ ଏହି ପୋଖରୀରେ ଚଳିତବର୍ଷ ଗୋଟିଏଦିନ ମଧ୍ୟ ଶ୍ରମିକଙ୍କ ଦ୍ୱାରା କାର୍ଯ୍ୟ ହୋଇନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । କୋଭିଡ-19 ସମୟରେ ଜବକାର୍ଡ଼ଧାରୀ ଓ ନିର୍ମାଣଶ୍ରମିକ ମାନେ କର୍ମସନ୍ଧାନରେ ଥିବାବେଳେ ଏହି ପୋଖରୀରେ କାର୍ଯ୍ୟଆରମ୍ଭ ନହୋଇ କିଛି ଜବ କାର୍ଡ଼ଧାରିଙ୍କ ନାମରେ ଟଙ୍କା ଉଠା ଯାଇଥିବାନେଇ ସଙ୍ଗୀନ ଅଭିଯୋଗ ହୋଇଛି । ଗ୍ରାମବାସୀ ଭାରତ ସରକାରଙ୍କ ଗ୍ରାମ୍ୟଉନ୍ନୟନ ମନ୍ତ୍ରଣାଳୟ ୱେବସାଇଟରୁ ପୋଖରୀରେ କାମ ନହୋଇ ବିଲ ହୋଇଥିବା ଜାଣିବା ସହ ମାଷ୍ଟରରୋଲନଂ ୧୪୨୩୨୬ ରେ ୧୩୧୬୦ ଟଙ୍କା .୧୪୨୩୩ ରେ ୧୩୧୬୦ ଟଙ୍କା , ୧୪୨୩୪ ରେ ୧୪୪୯୦ ଟଙ୍କା , ୧୪୨୩୬ ରେ ୧୪୪୯୦ ଟଙ୍କା , ୧୪୨୩୬ ରେ ୧୪୪୯୦ ଟଙ୍କା , ୧୪୨୩୭ ରେ ୮୬୯୪ ଟଙ୍କା ,୧୭୮୩୬୬ ରେ ୧୦୫୦୦ ଟଙ୍କା , ୧୭୮୩୭ ରେ ୩୧୫୦ ଟଙ୍କା ଏଭଳି ଶ୍ରମିକ ମଜୁରୀ ବାବଦରେ ୮୫ ହଜାର ୫୪୦ ଟଙ୍କା ଉଠାଣ ହୋଇଥିବା ବେଳେ ପୋଖରୀ ନିର୍ମାଣ ନିମନ୍ତେ ଆବଶ୍ୟକ ମେଟାଲ ପଥର ଆଦି ପାଇଁ ୧ ଲକ୍ଷ ୬୫ ହଜାର ଟଙ୍କା ବିଲ କରି ଆତ୍ମସାତ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୨୦୨୧ ରେ ପୋଖରୀନିର୍ମାଣ ବାବଦ କୁ ୨ ଲକ୍ଷ ୫୦ ହଜାର ଟଙ୍କା ବିଲ ଉଠାଣ ହୋଇଥିବା ବେଳେ ମିଥ୍ୟାବିଲ ଅଭିଯୋଗକୁ ବିଡ଼ିଓ ଗାୟତ୍ରୀଦତ୍ତ ନାୟକ ଖଣ୍ଡନ କରିଛନ୍ତି ଓ ଡ୍ରେନ ନିର୍ମାଣହୋଇଥିବା ପ୍ରକାଶ କରିଛନ୍ତି । ନିର୍ବାହୀଯନ୍ତ୍ରୀ ,ନିର୍ବାହୀ ଅଧିକାରୀ, ସରପଞ୍ଚ, ଯନ୍ତ୍ରୀଙ୍କ ଦୃଷ୍ଟି ଗୋଚରରେ ଏଭଳି ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିବାସହ ଜିଲ୍ଲାପାଳ ଜିଲ୍ଲାଗ୍ରାମ୍ୟଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସ୍ମାରକପତ୍ର ପ୍ରଦାନ ସହ କାର୍ଯାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ଉକ୍ତ ପୋଖରୀକୁ ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅନୁଧ୍ୟାନ କରିଛନ୍ତି । ଯଥାଶୀଘ୍ର ଦୁର୍ନୀତିରେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଆଇନ ଅନୁସାରେ କାର୍ଯାନୁଷ୍ଠାନ ଗ୍ରହଣପାଇଁ ରୋହିତ ଦଳାଇ,ବିଦେଶୀ ପାତ୍ର ,ମହେନ୍ଦ୍ର ଦଳାଇ , ଶିବ ପଢିଆଳି , ମିଟୁ ପ୍ରଧାନ,କାଳୁଚରଣ ପ୍ରଧାନ, ସୁଶାନ୍ତ ପାତ୍ର ,ଅନୁଜ ପରିଡ଼ା , ଓକିଲ ପଢିଆଳି ରାଜେନ୍ଦ୍ର ଦଳାଇ , ରୋହିତ ପ୍ରଧାନ, ସିମାଞ୍ଚଳ ଦଳାଇ , ତୀର୍ଥବାସୀ ପ୍ରଧାନଙ୍କ ସମେତ ଶତାଧିକ ଗ୍ରାମବାସୀ ଏଭକି ଗୁରୁତର ଅନିୟମିତତାର ତଦନ୍ତ ଦାବି କରିଛନ୍ତି ।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment