ଆଦର୍ଶ ପଞ୍ଚାୟତ ହେବ ଯନ୍ତ୍ରୀ ।

ମାଲକାନଗିରି, ୧୦/୦୪(ପିପିଟି):ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଗମ ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ପ୍ରକ୍ରିୟା ଜୋରଦାର ହୋଇଛି। ଅପହଞ୍ଚ ଇଲାକାର କୋଣ ଅନୁକୋଣରେ ସରକାରୀ ସେବା ପହଞ୍ଚାଇବା ଲକ୍ଷ୍ୟରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଚିତ୍ରକୋଣ୍ଡା ବ୍ଲକର ସୁଦୂର ଯନ୍ତ୍ରୀ ଗ୍ରାମ ପଞ୍ଚାୟତ ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ ସହ ସମୀକ୍ଷା କରିଛନ୍ତି ।ଭୌଗୋଳିକ ପ୍ରତିବନ୍ଧକ ସତ୍ତ୍ୱେ ଜିଲ୍ଲାପାଳ ଓ ତାଙ୍କ ଟିମ୍ ଚିତ୍ରକୋଣ୍ଡା ସ୍ପିଲୱେ ଲଞ୍ଚ ଘାଟରୁ ମୋଟର ବୋଟ୍ ଯୋଗେ ଜଳପଥ ଦେଇ ଯନ୍ତ୍ରୀ ଗ୍ରାମରେ ପହଞ୍ଚିଥିଲେ। ସେଠାରେ ଅଙ୍ଗନୱାଡ଼ି ପିଲାମାନଙ୍କ ଦ୍ୱାରା ପ୍ରଦର୍ଶିତ ସ୍ୱାଗତ ନୃତ୍ୟକୁ ଦେଖି ଜିଲ୍ଲାପାଳ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କୁ ପ୍ରଶଂସା କରିଥିଲେ। ଯନ୍ତ୍ରୀ ଗ୍ରାମ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ିତୋଳିବା ପ୍ରଶାସନର ମୁଖ୍ୟ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ସମନ୍ୱୟ ବୈଠକରେ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସରକାରୀ ଯୋଜନାର ସୁଫଳ ଯେପରି ଶେଷ ହିତାଧିକାରୀଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ଗୁରୁତ୍ୱାରୋପ କରିଛନ୍ତି।ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିର୍ମାଣାଧୀନ ଘନବେଡା ସେତୁ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ଏହି ସେତୁ କାର୍ଯ୍ୟକାରୀ ହେଲେ ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ ଚିତ୍ର ବଦଳିଯିବ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ।ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ରାଜଶିର୍କେ କହିଛନ୍ତି ଯେ, ସ୍ୱାଭିମାନ ଅଞ୍ଚଳର ବିକାଶକୁ ଆମେ ଅଗ୍ରାଧିକାର ଦେଉଛୁ। ଯନ୍ତ୍ରୀ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ିବା ସହ ଶେଷ ହିତାଧିକାରୀଙ୍କ ପାଖରେ ସରକାରୀ ସେବା ପହଞ୍ଚାଇବା ଆମର ମୁଖ୍ୟ ଲକ୍ଷ୍ୟ। ଘନବେଡା ସେତୁ କାର୍ଯ୍ୟ ଶେଷ ହେଲେ ଏହି ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ।ଏହି ଗସ୍ତ ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ, ପିଏ ଆଇଟିଡିଏ ହଳଧର ଶବର, ଚିତ୍ରକୋଣ୍ଡା ବିଡିଓ ପ୍ରୀତା କୁମାରଙ୍କ ସମେତ ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠାବାଡ଼ି ବିଭାଗର ବରିଷ୍ଠ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ୱାଭିମାନ ଅଞ୍ଚଳରେ ବିକାଶର ଏହି ଧାରାକୁ ଜାରି ରଖିବା ପାଇଁ ଜିଲ୍ଲା ପ୍ରଶାସନ ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ଜିଲ୍ଲାପାଳ ଦୋହରାଇଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲ୍)

Comments (0)
Add Comment