ଭଞ୍ଜନଗର,୦୨/୦୮(ପିପିଟି);ଭଞ୍ଜନଗର ଜଳ ଭଣ୍ଡାର ରେ ସୋମବାର ଜଣେ ବୃଦ୍ଧା ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖି ସ୍ଥାନୀୟ ଜଣେ ଧୀବର ତାଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ପରେ ପୋଲିସ ଖବର ପାଇ ଉକ୍ତ ମହିଳାଙ୍କୁ ନେଇ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସିତ କରିଥିବା ଜଣାପଡ଼ିଛି। ଆସିକା କାଳୀ ମନ୍ଦିର ସାହିର ରେବତୀ ନାଇକ, ବୟସ ୭୦ବର୍ଷ। ଦୀର୍ଘ ଦିନ ହେଲା ସେ ଚର୍ମ ରୋଗରେ ଆକ୍ରାନ୍ତ ହୋଇଥିଲେ।ଘରେ ତାଙ୍କର ଏକ ମାତ୍ର ପୁତ୍ର ମାଛଧରି ଚଳୁଥିଲା ବେଳେ ବୋହୁ ପୁଅକୁ ଛାଡ଼ି ବାପା ଘରେ ରହୁଛନ୍ତି।ହେଲେ ସେ ଆରୋଗ୍ୟ ନହେବାରୁ ପୁଅ ଉପରେ ବୋଝ ଭାବିବା ସହ ନିଜକୁ ଅସହାୟ ମନେ କରି ସୋମବାର ଭଞ୍ଜନଗର ଜଳ ଭଣ୍ଡାରକୁ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଆସିଥିଲେ।ମଧ୍ୟାହ୍ନ ସମୟରେ ସ୍ଥାନଟି ନିଛାଟିଆ ଥିବାରୁ ମହିଳା ଜଣଙ୍କ ପାଣିରେ ଭିତରକୁ ପଶି ଯାଇଥିଲେ। ସେହି ସମୟରେ ଜଣେ ଧୀବର ଗରିବ ନାୟକ ମାଛ ଧରୁଥିଲେ।କେହି ଜଣେ ପାଣିରେ ବୁଡ଼ି ଯାଉଥିବା ଦେଖି ସଙ୍ଗେ ସଙ୍ଗେ ଗରିବ ଯାଇ ତାଙ୍କୁ ପାଣିରୁ ଉଦ୍ଧାର କରିଥିଲେ।ଏହାପରେ ସ୍ଥାନୀୟ କିଛି ଯୁବକ ଆସି ଉକ୍ତ ମହିଳାଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିବା ସହ ପୋଲିସକୁ ଖବର ଦେଇଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )