ମାଲକାନଗିରି,ତା:୧୧/୦୬(ପିପିଟି);ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ପୁଲିସ ନିକଟରେ ଆଜି ୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ ପ୍ରଶାସନ ତରଫରୁ ଘରକୁ ଫେରି ଆସ ଯୋଜନାରେ ମାଓବାଦୀ ମାନଙ୍କୁ ପୁଣି ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ଉଦ୍ଯମ କରାଯାଉଛି। ଏହି ପରିପ୍ରେକ୍ଷୀରେ ବହୁ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଆଜି ସୁକୁମା ଜିଲ୍ଲା ଏସପି କେ.ଏଲ ଧ୍ରୁବଙ୍କ ନିକଟରେ ୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ସେମାନେ ହେଲେ ବଞ୍ଜାମ ଭୀମା, ରବି, କୋଷା, ଦେବା, ଦିରଦୋ ଗଙ୍ଗା, ସୋଡି ଦୁଲା, କାୱାସୀ ଦେବା ଏବଂ ମାଡବି କଲାବତି। ଏମାନଙ୍କ ମଧ୍ୟରୁ ବଞ୍ଜାମ ଭୀମା ନାମରେ ସରକାର ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ବେଳେ ତନ୍ମଧ୍ଯରେ ଏକ ମାଓ ଦମ୍ପତ୍ତି ମଧ୍ୟ ରହିଛନ୍ତି। ଏହା ବ୍ଯତୀତ ଜଣେ ମାଓବାଦୀ ବନ୍ଧୁକ ସହ ଆତ୍ମସମର୍ପଣ କରିଥିବା ଜଣାପଡିଛି। ମାଓ ସଂଗଠନରେ ତଳିଆ ମାଓବାଦୀ ଉପରେ ନିର୍ଯାତନା ବଢୁଥିବାରୁ ବାଧ୍ଯ ହୋଇ ସଂଗଠନକୁ ବର୍ଜନ କରି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି। ଅନ୍ଯ ପକ୍ଷରେ କରୋନା ସଂକ୍ରମଣରେ ଅଧିକାଂଶ ମାଓବାଦୀ ପ୍ରାଣ ହରାଉଥିବାରୁ ମାଓ ସଂଗଠନରେ ବର୍ତ୍ତମାନ କରୋନା ଆତଙ୍କ ସୃଷ୍ଟି ହୋଇଛି। ସେମାନେ ବାଧ୍ଯ ବାଧକତାରେ ନିଜ ନିଜ ଘରକୁ ପ୍ରତ୍ଯାବର୍ତ୍ତନ କରୁଥିବା ବେଳେ ବହୁ ମାଓବାଦୀ ଜଂଗଲରେ ଅକାଳରେ ମୃତ୍ୟୁବରଣ କରୁଥିବା ଜଣାପଡିଛି। ପୋଲିସ ତରଫରୁ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାରଙ୍କ ମାଓ ଥଇଥାନ ନୀତି ଅନୁସାରେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି । ଆଗାମୀ ଦିନରେ ଯେଉଁ ମାଓବାଦୀମାନେ ପୋଲିସ ନିରଟରେ ଆତ୍ମ ସମର୍ପଣ କରିବାକୁ ଆଗ୍ରହୀ ସେମାନଙ୍କୁ ମଧ୍ଯ ସରକାରୀ ସ୍ତରରେ ସମସ୍ତ ସହଯୋଗ କରାଯିବ ବୋଲି ଏସପି ଗଣ ମାଧ୍ଯମ ସମ୍ମୁଖରେ ପ୍ରକାଶ କରିଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)