ଆଠଗଡ଼ ଗସ୍ତରେ ୫-ଟି ଅଧ୍ୟକ୍ଷ।

କୋଦଳା,୧୭/୧୨(ପିପିଟି): ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଦୁଇଦିନିଆ ଗଞ୍ଜାମ ଗସ୍ତରେ ଆସି ପ୍ରଥମ ଦିନରେ ହିଞ୍ଜିଳି ସମେତ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଥିଲେ । ଆଜି ରବିବାର ଦ୍ଵିତୀୟ ଦିନରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଆଠଗଡ଼ ଜଗନ୍ନାଥ ମନ୍ଦିରର ଚାଲୁରହିଥିବା କାର୍ଯ୍ୟ ଦେଖିବା ସହିତ ଏହାର ସମୀକ୍ଷା କରି ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୂଚନା ପ୍ରକାରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କବିସୂର୍ଯ୍ୟନଗର ଗସ୍ତ ଅବସରରେ ଆଠଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖ ପଡିଆ ଠାରେ ଆୟୋଜିତ ଜନସଭାକୁ ଜୟ ଜଗନ୍ନାଥରୁ ଆରମ୍ଭ କରି ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ଜଗନ୍ନାଥ ମନ୍ଦିରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୁଇକୋଟି ଅନୁଦାନ ପ୍ରଦାନ କରିଥିବା ବେଳେ ତାହା କେମିତି ଚାଲିଛି ତାର ସମୀକ୍ଷା କରିବା ସହିତ, ମଠ ସରସିଂ ପଞ୍ଚାୟତ ଶାଳବଣ ସିଦ୍ଧେଶ୍ୱର ମନ୍ଦିରକୁ ପ୍ରଥମ ପର୍ଯ୍ୟାୟରେ ଏକ କୋଟି ପ୍ରଦାନ କରାଯାଇଥିବା ବେଳେ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣି କୋଦଳା ବିଜେ ଶ୍ରୀ ଦଣ୍ଡିଶ୍ୱର ମନ୍ଦିରକୁ ୫୦ ଲକ୍ଷ, ସାଙ୍କୁଡ଼ା ଧବଳେଶ୍ୱର ମନ୍ଦିର କୁ ୪୦ ଲକ୍ଷ, ବୁରୁଝୁରି ଶନି ମନ୍ଦିରକୁ ୨୦ ଲକ୍ଷ ଓ କବିସୂର୍ଯ୍ୟନଗର ମହାମାୟୀ ମନ୍ଦିରକୁ ୫୦ଲକ୍ଷ ପ୍ରଦାନ କରାଯାଇଥିବା ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତି ରେ ପ୍ରକାଶ କରିଥିଲେ 5T ଅଧ୍ୟକ୍ଷ ।ପରବର୍ତ୍ତୀ ସମୟରେ ଓଡ଼ିଶାର ଯୁବପିଢ଼ି ମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ନୂତନ ଉନ୍ନତ ଅଭିଳାଶ ଓଡ଼ିଶା ବା ନୂଆ-ଓ ଯୁବ ଓଡ଼ିଶା-ନବୀନ ଓଡ଼ିଶାର ଆଭିମୁଖ୍ୟ ବିଷୟରେ କହିଥିଲେ । ଏହି ଅବସରରେ “ନୂଆ-ଓ” ଅଥବା ଯୁବ ଓଡିଶା ନବୀନ ଓଡିଶା ଉପରେ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ କରିବା ସହ କାର୍ଯ୍ୟକ୍ରମଟି ମନ ପାଇଛି କି ନାହିଁ ପ୍ରଶ୍ନ କରିଥିଲେ । ଏଥି ସହ ଏହିଭଳି କାର୍ଯ୍ୟକ୍ରମ ଯୁବ ପିଡ଼ି ଉଦ୍ଦେଶ୍ୟରେ ପ୍ରତେକ ବର୍ଷ କରାଯିବ କି ବୋଲି ପ୍ରଶ୍ନ କରିଥିଲେ । ପ୍ରତି ଉତ୍ତରରେ ଉତ୍ସାହି ମୁଖର ଛାତ୍ରଛାତ୍ରୀ ଏହିଭଳି ଉତ୍ସବକୁ ସ୍ୱାଗତ କରିଥିଲେ । ୫-ଟି ଅଧିନ ସମସ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟ ରେ ଆଲୋକପାତ କରାଇଥିଲେ । ନିଜେ କୋଡିଏ କିଲୋ ମିଟର ଦୂରରୁ ପାଠ ପଢିବା ପାଇଁ ଶିକ୍ଷା ଅନୁଷ୍ଠାନକୁ ଆସୁଥିଲେ ବୋଲି ପାଣ୍ଡିଆନ ନିଜ ଛାତ୍ର ଜୀବନ ଶୈଳୀ ଉପରେ ଯୁବପିଢ଼ି ଙ୍କୁ ସୂଚାଇ ଥିଲେ । ବିଗତ ଦିନର ସମୟ ବଦଳିଛି ଓ ସରକାର ଛାତ୍ରଛାତ୍ରୀ ମାନଙ୍କ ଉନ୍ନତ ଭବିଷ୍ୟତ ପାଇଁ ନୂତନ ଶିକ୍ଷା ବ୍ୟବସ୍ଥାର ଅବଲମ୍ବନ କରିଥିବା କହିବା ସହ ଆଦର୍ଶ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ନିମନ୍ତେ ସରକାର ସଦା ତତ୍ୱର ବୋଲି ସୂଚନା ଦେଇଥିଲେ । ଅପର ପକ୍ଷରେ ବହୁ ଦୂରଦୂରାନ୍ତରୁ ପାଠ ପଢିବା ପାଇଁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ ଆସନ୍ତା ଜାନୁଆରୀରୁ ଫେବୃଆରୀ ମାସ ଭିତରେ ଲଷ୍ମୀ ବସର ପ୍ରଚଳନ କରାଯିବ ବୋଲି କହିଥିଲେ। ମାତ୍ର ୫ଟଙ୍କା ବିନିମୟରେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀ ନିଜ ଶିକ୍ଷା ଅନୁଷ୍ଠାନରୁ ଘରକୁ ପାଠ ପଢିବା ପାଇଁ ଯିବା ଆସିବା କରିପାରିବେ ବୋଲି ଘୋଷଣା କରିଥିଲେ । ଅନ୍ୟ ଏକ ବକ୍ତବ୍ୟରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ହୋଇଥିବାର ସୂଚନା ଦେଇ ପ୍ରତ୍ୟକ ବ୍ୟକ୍ତିଙ୍କ ନିମନ୍ତେ ୫ଲକ୍ଷ ଏବଂ ମହିଳାମାନଙ୍କ ପାଇଁ ଦଶ ଲକ୍ଷ ପ୍ରତ୍ୟେକ ବର୍ଷ ସରକାର ଯୋଗାଇ ଦେଉଥିବା ନେଇ ସୂଚନା ପ୍ରଦାନ କରିଥିଲେ । ଯଦି କୌଣସି ରହିଯାଇଥିବା ମନ୍ଦିରର ପୁନରୁଦ୍ଧାର ହେବାର ଅଛି ଓ ଚାଲୁ ରହିଥିବା ମନ୍ଦିର ଉନ୍ନତି ପାଇଁ ଯଦି ଆହୁରି କିଛି ଅର୍ଥର ଆବଶ୍ୟକ ପଡେ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ । ଶେଷରେ ପୁଣି ଥରେ ଜୟ ଜଗନ୍ନାଥ କହି ନିଜର ବକ୍ତବ୍ୟ ଶେଷ କରିଥିଲେ । ପ୍ରତିଶ୍ରୁତି ପ୍ରକାରେ ମନ୍ଦିର ଗୁଡିକ ଅନୁଦାନ ପାଇଥିବାରୁ ଅଞ୍ଚଳବାସୀ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଗସ୍ତ ଅବସରରେ ୫-ଟି ଅଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ,ଜନ ପ୍ରତିନିଧି ଓ ହଜାର ହଜାର ଜନସାଧାରଣ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Comments (0)
Add Comment