ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପଥ ଉତ୍ସବ ଅନୁଷ୍ଠିତ ।

ଭଞ୍ଜନଗର, ୨୭/୦୧(ପିପିଟି):ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି।ଯାହା ଫଳରେ ଅନେକ ମୂଲ୍ୟବାନ ଜୀବନ ଅଦିନରେ ଚାଲି ଯାଉଛି।ଏହାକୁ ରୋକିବା ପାଇଁ ସାଧାରଣରେ ସଚେତନତା ସୃଷ୍ଟି ଉପରେ ସରକାର ବେଶୀ ଗୁରୁତ୍ୱ ଦେଇଛନ୍ତି।ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ବର୍ଷ ରାଜ୍ୟ ସଡକ ପରିବହନ ବିଭାଗ ତରଫରୁ ଜାତୀୟ ସଡକ ସୁରକ୍ଷା ମାସ ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି।ଶୁନ ମୃତାହତ ସହ ସୁରକ୍ଷିତ ଗାଡି ଚାଳନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ “କମ ହୋମ ସେଫ” କୁ ନେଇ ଭଞ୍ଜନଗର ସହର ମୂଖ୍ୟ ରାସ୍ତାରେ ଆଜି ପଥ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥି ନାୟକ,ଉପଖଣ୍ଡ ଡାକ୍ତରଖାନା ଏସଡ଼ିଏମଓ ଡ଼ା ସୀତାଂଶୁ ଶେଖର ଶତପଥୀ,ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମୂରଲୀ କୃଷ୍ଣ ପଣ୍ଡା,ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ,ସନ୍ତୋଷ ତିଆଡ଼ି, ବିଷ୍ଣୁ ପ୍ରସାଦ ପ୍ରଧାନ,ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ସମାଜସେବୀ ଅରକ୍ଷିତ ପରିଛା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ଏହି ଅବସରରେ ନାଟ୍ୟକାର ଜୟକୃଷ୍ଣ ପଟ୍ଟନାୟକଙ୍କ ରଚିତ କ୍ଷୁଦ୍ର ନାଟକ ‘ଏମିତି ଭୁଲ କେବେ ହେବନି’ ରେ ଜେକେ ଓ ଆୟୁଷଙ୍କ ଅଭିନୟ ବେଶ ପ୍ରଶଂସିତ ହୋଇଥିଲା।ଯମ ଓ ଚିତ୍ରଗୁପ୍ତଙ୍କ ସଚେତନତା ବାର୍ତ୍ତା ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ନାଚ, ଗୀତ ଓ ଦାସ କାଠି ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିସହ ରଙ୍ଗୋଲି, ସେଲ୍ଫି ପଏଣ୍ଟ, କଣ୍ଢେଇ ନାଚ, ଭାଲୁ ନାଚ,ପ୍ରାଥମିକ ଚିକିତ୍ସା କୁ ନେଇ ସଚେତନ କରାଯାଇଛି। ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment