ବେଲଗୁଣ୍ଠା, ୧୮/୦୭(ପିପିଟି):ଏକ ଆକ୍ରମଣ ଏବଂ ଲୁଟ୍ ଘଟଣାରେ ଆଜି ଦୁଇ ଜଣଙ୍କୁ ଗିରଫ କରିଛି ଗାଙ୍ଗପୁର ପୋଲିସ୍ । ଗିରଫ ଦୁଇ ଯୁବକ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ସାଦରା ଗ୍ରାମର ପ୍ରତାପ ବିଷୋୟୀ ଏବଂ ନାରାୟଣ ପ୍ରଧାନ । ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟଙ୍କ ସୂଚନା ପ୍ରକାରେ ଗତ ଶନିବାର ରାତ୍ର ସମୟ ରେ କେନ୍ଦୁପଦର ଗ୍ରାମର ଦିଲ୍ଲୀପ କୁମାର ପାତ୍ର ଆସିକା ବିଜୁପଟ୍ଟନାୟକ ଛକରେ ଛିଡ଼ା ହୋଇଥିବା ସମୟରେ ପ୍ରତାପ ଏବଂ ନାରାୟଣ ଏକ ଗାଡ଼ିରେ ଆସି ଦିଲ୍ଲୀପଙ୍କୁ କେନ୍ଦୁପଦରରେ ଓହ୍ଳାଇଦେବାକୁ କହି ଗାଡ଼ିରେ ବସାଇଥିଲେ । କିନ୍ତୁ ସେମାନେ ଦିଲ୍ଲୀପଙ୍କୁ କେନ୍ଦୁପଦରରେ ନ ଓହ୍ଳାଇ ଗାଙ୍ଗପୁର ଥାନା ଅନ୍ତର୍ଗତ ଖଇରପୁଟି ନିକଟସ୍ଥ ମାଆ ସିଦ୍ଧେଶ୍ଵରୀ ମନ୍ଦିର ରାସ୍ତାକୁ ନେଇ ଆସିଥିଲେ । ସେଠାରେ ସେମାନେ ଦିଲ୍ଲୀପଙ୍କୁ ମରଣାନ୍ତକ ମାଡ଼ ମାରିବା ସହ ତାଙ୍କ ଠାରୁ ନଗଦ ଏକ ଲକ୍ଷ ପନ୍ଦର ହଜାର ଟଙ୍କା, ମୋବାଇଲ୍ ଏବଂ ଦୁଇଟି ଲଗେଜ୍ ବ୍ୟାଗ୍ ଛଡ଼ାଇ ନେଇଥିଲେ । ଏନେଇ ଗାଙ୍ଗପୁର ଥାନାରେ ଅଭିଯୋଗ ହେବା ପରେ ଗାଙ୍ଗପୁର ପୋଲିସ୍ ୫୨୮/୨୦୨୩ ରେ ଏକ ମାମଲା ରୁଜୁ କରି ଆଜି ସନ୍ଧ୍ୟାରେ ଉଭୟଙ୍କୁ ଗିରଫ କରିବା ସହିତ ଉଭୟଙ୍କ ନିକଟରୁ ନଗଦ ୬୨,୫୦୦ ଟଙ୍କା, ଏକ ମାରୂତୀ ସୁଜୁକି କାର୍ ଏବଂ ଗୋଟିଏ ଚୋରି ମୋଟରସାଇକେଲ୍ ଜବତ କରିଥିଲା । ଉଭୟଙ୍କ ନିକଟରୁ ଦିଲ୍ଲୀପଙ୍କର ଚୋରି ହୋଇଥିବା ବଳକା ଟଙ୍କା ଉଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯାଉଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି ।