***ଆଉ ନ ଡାକିବୁ ରାଧିକା ବୋଲି***

ଆଉ ନ ଡାକିବୁ ରାଧିକା ବୋଲିରେ ମୂରଲୀ
ତୋରେ ବାରଣ କଲିରେ ମୂରଲୀ….!!
କୃଷ୍ଣ ହସ୍ତେ କିଏ ଦେଲା ମୂରଲୀ
ସ୍ତମ୍ଭିତ ହୋଇଲେ ଗୋପର ବାଳି
ସ୍ଥିର ହେଲା ସ୍ବନେ ଯମୁନା ଜଳ
କୁଞ୍ଜେ ବିକାଶିଲା ସୁଗନ୍ଧ ଫୁଲରେ ମୂରଲୀ….!!
ମୂରଲୀ କି ମନ୍ତ୍ର ଜାଣିଛୁ ସତେ
ହୃଦୟ ବିଦିର୍ଣ୍ଣ କରୁଛି କେତେ
ଘରେ ନ ଲାଗଇ ମନ ଉଚ୍ଛନ୍ନ
କରେ ବିହ୍ବଳିତ ତୋହର ସ୍ବନରେ ମୂରଲୀ….!!
ବଂଶୀ ଧ୍ବନି ଶୁଣି ବୃକ୍ଷ ସକଳ
ପଲ୍ଲବିତ ହେଲେ ହୋଇ ବିହ୍ବଳ
ଗୋବତ୍ସା ସହିତ ମୃଗ ମୃଗୁଣୀ
ମୁଖେ ତୃଣ ଧରି ତନ୍ମୟ ପୁଣିରେ ମୂରଲୀ….!!
ମୂରଲୀ ବଡ଼ାଇ ଦେଖାଉ କେତେ
ନିନ୍ଦା ଅପବାଦ ଶୁଣାଉ ମୋତେ
କୁଳ ବଧୂ କୁଳ ଲଜ୍ଜାକୁ ତେଜି
କୃଷ୍ଣ ପ୍ରେମେ ଚିତ୍ତ ଯାଉଛି ହଜିରେ ମୂରଲୀ….!!
ଛାର ବାଉଁଶର କଣି ମୂରଲୀ
ସତୀ ପତିବ୍ରତା ଭାଙ୍ଗୁ ମୂରଲୀ
ତୁ କେବେ ମୋ ହାତେ ଦିଅନ୍ତୁ ଧରା
ପୋଡି ଜାଳି ନାଶ କରନ୍ତି ପରାରେ ମୂରଲୀ….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Comments (0)
Add Comment