ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଉପରେ ଅଦାଲତ ଅବମାନନା ଅଭିଯୋଗରେ ସୁପ୍ରିମକୋର୍ଟଙ୍କ ଦଣ୍ଡବିଧାନ ପ୍ରତ୍ୟାହାର କର : ଜନ ଅଧିକାର ମଞ୍ଚ, ଓଡ଼ିଶା ।

ବ୍ରହ୍ମପୁର, ତା ୧୭/୦୮; ଗତ ୧୪ ଅଗଷ୍ଟ ୨୦୨୦ ତାରିଖରେ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ପୀଠ ସୁପ୍ରିମକୋର୍ଟର ପରିଚାଳନା ଓ ତାହାର ମୁଖ୍ୟ ବିଚାରପତିଙ୍କ ଆଚରଣବଳୀ ସମ୍ୱନ୍ଧୀୟ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଦୁଇଟି ଟୁଇଟ୍‌କୁ କେନ୍ଦ୍ର କରି ତାଙ୍କୁ ଅଦାଲତ ଅବମାନନା ଆରୋପରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଯଦିଓ ସୁପ୍ରିମକୋର୍ଟ ଉକ୍ତ ଟୁଇଟ୍ ଗୁଡ଼ିକ ” ସୁପ୍ରିମକୋର୍ଟଙ୍କ ସମ୍ମାନରେ ଆଞ୍ଚ ଆଣିବା ସହିତ ଅସମ୍ମାନିତ କରୁଛି” ବୋଲି ଅଭିହିତ କରି ଶ୍ରୀ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ‘ଜନ ଅଧିକାର ମଞ୍ଚ’, ଓଡ଼ିଶା ଏହାକୁ ଯଥାର୍ଥ ବୋଲି ମନେକରେ ନାହିଁ । ଉଲ୍ଲେଖନୀୟ, ସୁପ୍ରିମକୋର୍ଟ ନିଜ ତରଫରୁ ପ୍ରଶାନ୍ତଙ୍କ ଟୁଇଟ୍‌କୁ ବିଚାରକୁ ନେବା (suo- moto) ଓ ନିଜେ ସେହି ସଙ୍କ୍ରାନ୍ତରେ ବିଚାର କରି ଦୋଷୀ ସାବ୍ୟସ୍ତ କରିବାକୁ ଆମେ ମନେକରୁଛୁ ଯେ, ଏହା ଜଣେ ନାଗରିକର ସ୍ଵାଧୀନ ମତ ବ୍ୟକ୍ତ କରିବାର ଅଧିକାର ଉପରେ ଚରମ ଆଘାତ । ଆଜି ଯେତେବେଳେ ଦେଶର କାର୍ଯ୍ୟପାଳିକା ଭିନ୍ନମତ ପ୍ରତି ସମ୍ମାନ ନଦେଇ ଭିନ୍ନମତକୁ ଅପରାଧ ବୋଲି ଦର୍ଶେଇବାରେ କୌଣସି ସୁଯୋଗ ହାତଛଡ଼ା କରୁନାହିଁ, ସେତେବେଳେ ମାନ୍ୟବର ସର୍ବୋଚ୍ଚ କୋର୍ଟଙ୍କର ଏତାଦୃଶ ଆଚରଣ ସେହି ପ୍ରକ୍ରିୟାର ଅଂଶ ବୋଲି କହିବା ଭୁଲ ହେବ କି ? ପ୍ରକାଶ ଥାଉକି, ବିଗତ ଚାରି ପାଞ୍ଚ ବର୍ଷ ହେଲା ସୁପ୍ରିମ କୋର୍ଟଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ଦେଶର ବିଭିନ୍ନ ବର୍ଗ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଗତ ଜାନୁଆରୀ ୨୦୧୮ ରେ ସ୍ୱୟଂ ସୁପ୍ରିମକୋର୍ଟଙ୍କ ଚାରିଜଣ ବରିଷ୍ଠ ବିଚାରପତି ତତ୍କାଳୀନ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟ ପ୍ରଣାଳୀ ଓ ସୁପ୍ରିମକୋର୍ଟର ପରିଚାଳନା ସଙ୍କ୍ରାନ୍ତରେ ନିଜର ଅସନ୍ତୋଷ ପ୍ରକଟ କରି ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏ ସନ୍ଦର୍ଭରେ ଜନମଞ୍ଚ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ପ୍ରଶାନ୍ତ ଭୂଷଣଙ୍କ ବକ୍ତବ୍ୟ ବିଚ୍ଛିନ୍ନ ଓ ଏକକ ନୁହେଁ ବରଂ ଏକ ସାମୁହିକ ଉଦ୍‌ବେଗର ପ୍ରତୀକାତ୍ମକ ପ୍ରତିଫଳନ ମାତ୍ର । ନିକଟ ଅତୀତର କେତେକ ଗରୁତ୍ୱପୂର୍ଣ୍ଣ ଘଟଣା ଯଥା ଲକ୍‌ଡାଉନ ହେତୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକମାନଙ୍କ ଦୁର୍ଦ୍ଦଶା, କାଶ୍ମୀରର ସ୍ୱାୟତ୍ତତା ବିଲୋପ ଓ ତତ୍‌ଜନିତ ରାଷ୍ଟ୍ର ଦମନ, ଏନ୍. ଆର୍.ସି-ଏନ୍.ପି.ଆର୍. ବିଷୟରେ ସୁପ୍ରିମକୋର୍ଟଙ୍କ କାଳକ୍ଷେପଣ ନୀତି ଓ ଅହେତୁକ ନିରବତା ହେତୁ ଉଚ୍ଚତମ ନ୍ୟାୟାଳୟ ଉପରେ ଦେଶର ସାଧାରଣ ଜନତାଙ୍କ ଆଶା ଓ ଭରସା ବହୁଳାଂଶରେ କ୍ଷୁର୍ଣ୍ଣ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଜନ ଅଧିକାର ମଞ୍ଚ କ୍ଷୋଭର ସହ ପ୍ରକାଶ କରେ କି ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନା ଆରୋପରେ ଦଣ୍ଡିତ କରିବା ସୁପ୍ରିମକୋର୍ଟଙ୍କ ସମ୍ମାନକୁ ଅତୁଟ କରିବା ଅପେକ୍ଷା ଆହୁରି କ୍ଷୁର୍ଣ୍ଣ କରିବ । ଅଧିକନ୍ତୁ, ଏହା ସାଧାରଣ ଜନତାଙ୍କ ମୁଣ୍ଡ ଉପରେ ଏକ ଖଣ୍ଡା ପରି ଝୁଲି ରହିବ । ଜନ ଅଧିକାର ମଞ୍ଚ ବିଶ୍ୱାସ କରେ ଯେ, ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମାଲୋଚନା ଏକ ରୋଗ ପ୍ରତିରୋଧକ ଶକ୍ତି ସଦୃଶ କାର୍ଯ୍ୟ କରେ । ଏହା ସର୍ବଦା ଗଣତନ୍ତ୍ରକୁ ବଳିଷ୍ଠ କରିବାରେ ସାହାଯ୍ୟ କରେ । ଜଣେ ବ୍ୟକ୍ତିର ସ୍ଵାଧୀନ ମତବ୍ୟକ୍ତ କରିବାର ଅଧିକାର ଭାବରେ ସମାଲୋଚନା ଯେତିକି ଗୁରୁତ୍ୱପୂର୍ଣ୍ଣ, ଏହା ତତୋଧିକ ଗୁରୁତ୍ୱପୂର୍ଣ୍ଣ ହୁଏ, ଯେବେ ଏହା ଗଣତାନ୍ତ୍ରିକ ଅନୁଷ୍ଠାନମାନଙ୍କୁ ଅଧିକ ଜନଆଧାରିତ ଓ ଗଣତନ୍ତ୍ରର ମୂଲ୍ୟବୋଧକୁ ସମ୍ମାନ ଦେବା ପାଇଁ ଉଦ୍ଦିଷ୍ଟ ହୋଇଥାଏ । ଜନ ଅଧିକାର ମଞ୍ଚର ମତରେ ପ୍ରଶାନ୍ତ ଭୂଷଣଙ୍କ ଟୁଇଟ୍‌କୁ ଏହି ଦୃଷ୍ଟିରୁ ଦେଖାଯିବା ଉଚିତ । ଦଣ୍ଡ ନୁହେଁ, ବରଂ ଏହି ଦୃଷ୍ଟିଭଙ୍ଗୀକୁ ସ୍ୱୀକାର ହିଁ ବାସ୍ତବରେ ଉଚ୍ଚତମ ନ୍ୟାୟାଳୟର ସମ୍ମାନକୁ ଉଚ୍ଚତର କରିପାରିବ । ଏଠାରେ ଏହା ଉଲ୍ଲେଖ କରିବା ପ୍ରାସଙ୍ଗିକ ଯେ, ଅଦାଲତ ଅବମାନନା ଆଇନଟି ବ୍ରିଟିଶ ଔପନିବେଶିକ ଶାସନ କାଳରେ ପ୍ରଣୀତ ହୋଇଥିଲା ଏବଂ ୨୦୧୩ ମସିହାରୁ ତାହା ସେହି ଦେଶରେ ବି ଉଚ୍ଛେଦ ହୋଇ ସାରିଛି । ଏହି ସନ୍ଦର୍ଭରେ ଜନ ଅଧିକାର ମଞ୍ଚ ସୁପ୍ରିମକୋର୍ଟଙ୍କୁ ତାଙ୍କର ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଅନୁରୋଧ କରିବା ସଙ୍ଗେ ସଙ୍ଗେ ଅଦାଲତ ଅବମାନନା ଆଇନକୁ ନେଇ ବ୍ୟାପକ ବିତର୍କ ସୃଷ୍ଟି କରିବା ନିମନ୍ତେ ମଞ୍ଚର ଆବାହକ ବିଶ୍ଵପ୍ରିୟ କାନୁନ୍‌ଗୋ ଏବଂ ସଦସ୍ୟ ସଂଗଠନ ଅଖିଳ ଭାରତ କିଶାନ ମଜଦୁର ସଭାର ଭାଲଚନ୍ଦ୍ର ଷଡଙ୍ଗୀ, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ଶଙ୍କର ସାହୁ, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଙ୍ଗଠନର ରାଧାରାଣୀ ମହାରଣା, ଆଦିବାସୀ ଭାରତ ମହାସଭାର ଟୁନା ମଲ୍ଲିକ, ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତିର ବଟକୃଷ୍ଣ ସ୍ଵାଇଁ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନର ଦେବ ରଞ୍ଜନ, ଚାଷୀ ମୁଲିଆ ସଙ୍ଘ, ଓଡିଶାର ଶ୍ରୀକାନ୍ତ ମହାନ୍ତି, ଜନବାଦୀ ଲେଖକ ସଙ୍ଘର ଲେନିନ କୁମାର, ବନବାସୀ ସୁରକ୍ଷା ପରିଷଦ, କନ୍ଧମାଳର ବଳଭଦ୍ର ମଲ୍ଲିକ, ବସ୍ତି ସୁରକ୍ଷା ମଞ୍ଚ – ହେନା ବାରିକ ଓ ପ୍ରମିଳା,ମାନବବାଦୀ ହେତୁବାଦୀ ସଙ୍ଗଠନ, ଓଡିଶାର ରାଜା ସୁରେଶ, ମାନବ ଅଧିକାର ସୁରକ୍ଷା ମଞ୍ଚର ଅବନୀ ଗୟା, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ନରେନ୍ଦ୍ର ମହାନ୍ତି, ମାଲକାନଗିରି ଜିଲ୍ଲା ଆଦିବାସୀ ସଙ୍ଘ ବାଲରାଜ ଗେମେଲ ଓ ବିଜୟ ଉପାଧ୍ୟାୟ ଇଣ୍ଡିଆନ ଫେଡେରେସନ ଅଫ ଟ୍ରେଡ ୟୁନିୟନର ପ୍ରତାପ ପ୍ରଧାନ, ଟ୍ରେଡ ୟୁନିୟନ ସେଣ୍ଟର ଅଫ ଇଣ୍ଡିଆର ରାଜେନ୍ଦ୍ର ବାରିକ ଓ ଶିବରାମ, ଏବଂ ଶ୍ରୀମନ୍ତ ମହାନ୍ତି, ରଞ୍ଜନା ପାଢ଼ୀ, ପ୍ରମୋଦିନୀ ପ୍ରଧାନ, ପ୍ରତାପ ଚିନାରା, ପ୍ରଫେସର ବିଜୟ ବହିଦାର, ପ୍ରଫେସର ଗୋଲକ ବିହାରୀ ନାଥ, ନିଗମାନନ୍ଦ ଷଡଙ୍ଗୀ ଓ ଧୀରେନ୍ଦ୍ର ପଣ୍ଡା ପ୍ରମୁଖ ବୃହତ୍ତର ଜନସାଧାରଣଙ୍କ ଆହ୍ୱାନ ରଖିଛନ୍ତି ବୋଲି କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ତଥା ମଞ୍ଚର ସଦସ୍ୟ ଶଙ୍କର ସାହୁ ସୂଚନା ପ୍ରଦାନ କରିଛନ୍ତି ‌।

Comments (0)
Add Comment