ଆଂଶିକ କୋହଳ ପରେ ରାୟଗଡର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଳାପାଳ ଓ ଏସ୍.ପି ।

ରାୟଗଡା,୧୭/୦୬(ପିପିଟି);ରାଜ୍ୟରେ ମହାମାରୀ କରୋନାର ଦୈନିକ ସଂକ୍ରମଣ ହାର ଚଳିତ ଜୁନ୍ ମାସରେ ହ୍ରାସ ପାଇବା ପରେ ରାଜ୍ୟ ସରକାର ଲକଡାଉନ କଟକଣାକୁ ଆହୁରି ୧୪ଦିନ ବୃଦ୍ଧି କରିଥିଲେ ସୁଦ୍ଧା ସମସ୍ତ ଜିଲ୍ଳାରେ କଟକଣା ଆଂଶିକଭାବେ ଆସନ୍ତା ଜୁଲାଇ ୧ତାରିଖ ପର୍ଯ୍ୟନ୍ତ କୋହଳ କରାଯାଇଛି।ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟବିକ୍ରୟ ପାଇଁ ସକାଳ ୬ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ସମୟ ବୃଦ୍ଧି କରାଯାଇ ଦୋକାନବଜାର ଖୋଲିବାପାଇଁ ଅନୁମତି ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଳା ସଦର ମହକୁମାରେ ମଧ୍ୟ କୋଭିଡ-୧୯ କଟକଣା ମଧ୍ୟରେ ଦୋକାନ ବଜାର ଖୋଲିବା ସହ ପୂର୍ବପରି ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖି ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ନିୟମକୁ କଡାକଡି ଭାବେ ମାନି ଚଳିବା ପାଇଁ ଆଜି ପୂର୍ବାହ୍ନରେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଓ ଏସପି. ବିବେକାନନ୍ଦ ଶର୍ମା ସହରର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ସଚେତନ କରିବା ସହିତ ସ୍ଥିତିର ଅନୁଧ୍ୟାନ କରିଥିଲେ। ବିଶେଷ କରି କପିଳାସ ଛକଠାରୁ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ରାସ୍ତା ଓ ଓଭରବ୍ରିଜ ତଳେଥିବା ପରିବାବଜାର ସମେତ ଏସବିଆଇ ମୁଖ୍ୟ ଶାଖା ଏବଂ ମୁଖ୍ୟବଜାର ପରିକ୍ରମା କରି ବ୍ୟବସାୟୀ ମାନଙ୍କୁ ନିୟମମଧ୍ୟରେ ରହି ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଳାପାଳ ଶ୍ରୀ ମିଶ୍ର ଓ ଏସ.ପି.ଶ୍ରୀ ଶର୍ମାଙ୍କ ଏହି ଅନୁଧ୍ୟାନ ସମୟରେ ଉପଜିଲ୍ଳପାଳ ପ୍ରତାପ ଚନ୍ଦ୍ର ପ୍ରଧାନ,ତହସିଲଦାର ଉମାଶଙ୍କର ବେହେରା,ଅତିରିକ୍ତ ତହସିଲଦାର ସୁନୀଲ ଖରା,ଏସଡିପିଓ ଦିବ୍ୟଜ୍ୟୋତି ଦାସ, ଆଇଆଇସି ରଶ୍ମିରଂଜନ ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ରାୟଗଡା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ଓ ତାଙ୍କ ସହଯୋଗୀ ଅମାନିଆ ଦୋକାନୀଙ୍କୁ ତାଗିଦ ସହ ଜୋରିମାନା ଆଦାୟ କରିଥିଲେ।

(ରିପୋର୍ଟ- ନବୀନ ନାୟକ ବେହେରା। )

Comments (0)
Add Comment