ଅସହ୍ୟ ତାତି ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳି, ଲୋକେ ହେଉଛନ୍ତି କଲବଲ।

ବୋଲଗଡ଼,୩୦/୦୫(ପିପିଟି):ରାଜ୍ୟରେ ଏବେ ଅସହ୍ଯ ତାତି ସାଙ୍ଗକୁ ପୁଣି ଅସମ୍ଭାଳ ହେଉଛି ଗୁଳୁଗୁଳି। ଏଇ କିଛି ଦିନ ହେବ ତାପମାତ୍ରା ବୃଦ୍ଧିପାଇଥିବା ବେଳେ ଗତ ୪ଦିନହେବ ୪୨ଡିଗ୍ରୀ ତାପମାତ୍ରାରୁ କମୁ ନଥିବାରୁ ବେଗୁନିଆ-ବୋଲଗଡ଼ ଅଞ୍ଚଳ ରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୭ଟା ରୁ ଗରମ ସହିତ ଗୁଳୁଗୁଳି ଆରମ୍ଭ ହୋଇ ମଧ୍ୟାହ୍ନ ଓ ଅପରାହ୍ନ ବେଳକୁ ଅସହ୍ଯ ହୋଇ ପଡୁଛି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଗୁଳୁଗୁଳି ପାଇଁ ଅଂଶୁଘାତ ର ଭୟ ମଧ୍ୟ ଘାରିଛି। ରାସ୍ତା ଘାଟ ଏପରିକି ଦୋକାନ ବଜାର ବନ୍ଦ ରହି ଶୂନଶାନ ହୋଇ ପଡୁଛି। କୌଣସି ଜରୁରି କାମରେ କେହି ଘରୁ ବାହାରିଲେ ବାଧ୍ୟ ହୋଇ ପାଣି ବୋତଲ ସହ ମୁଣ୍ଡ ରେ ଓଦାଗାମୁଛା ବାନ୍ଧି ଅବା କିଏ ଛତା ଧରି ଘରୁ ବାହାରୁଛନ୍ତି। ଏହି ଅସହ୍ଯ ଗରମରୁ ତ୍ରାହି ପାଇବାପାଇଁ ଲୋକ ମାନେ ବର୍ଷାକୁ ଚାତକ ଭଳି ଚାହିଁ ବସିଥିଲେହେଁ ବର୍ଷା ହେବାର ନାମ ଧରୁନାହିଁ। ଏପରିକି ବେଳେ ବେଳେ ପାଗ ମେଘୁଆ ରହିଲେ ମଧ୍ୟ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଶରୀର ଝାଳେଇ ଯାଉଛି। ଅନ୍ୟପକ୍ଷରେ ଦେଖି ବାକୁ ଗଲେ ବାହାର ଗରମରୁ ରକ୍ଷା ପାଇବା ପାଇଁ ଘରେ ରହିଲେ ମଧ୍ୟ ଘନ ଘନ ବିଜୁଳି କାଟ ଯୋଗୁଁ କଲବଲ ହେବାକୁ ପଡ଼ୁଛି। ତେଣୁ ତାତି ସହିତ ଗୁଳୁଗୁଳି ରୁ ତ୍ରାହି ମିଳୁ ନଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)

Comments (0)
Add Comment