ଅସହାୟ ପରିବାରକୁ ସହଯୋଗର ହାତ ବଢ଼ାଇଲେ ବିଧାୟିକା ।

କୋଦଳା,୧୭/୦୫(ପିପିଟି); ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ କୋଦଳା କରଣସାହି ସ୍ବର୍ଗତ ପଞ୍ଚାନନ ମହାପାତ୍ରଙ୍କ ପରିବାର ପ୍ରତି ସତେ ଯେମିତି ଭଗବାନ ଦାଉ ସାଧୁଛନ୍ତି । ପଞ୍ଚାନନଙ୍କୁ ସହଧର୍ମିଣୀ ପୁଷ୍ପାଞ୍ଜଳୀଙ୍କ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଲିଖିତ ପତ୍ର ର ସୋସାଲ ମିଡିଆରେ ଭାଇରଲ ଖବର କୁ ନେଇ ଏବେ ସାଧାରଣ ରେ ଚର୍ଚ୍ଚା । ଅଞ୍ଚଳରେ ଉକ୍ତ ପରିବାର ପ୍ରତି ଗ୍ରାମବାସୀ ଦୁଃଖ ପ୍ରକାଶ କରିଥିବା ବେଳେ ସ୍ଥାନୀୟ ବିଧାୟିକା ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତ ପ୍ରକାର ସହଯୋଗ ର ହାତ ବଢ଼ାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ମନ୍ଦିର ରେ ସେବା ପୂଜା କରି ନିଜ ପରିବାର ପ୍ରତିପୋଷଣ କରୁଥିବା ସ୍ବର୍ଗତ ପଞ୍ଚାନନ ମହାପାତ୍ର ଗତ କରୋନା ସଂକ୍ରମଣ ରେ ସଂକ୍ରମିତ ହୋଇ ବ୍ରହ୍ମପୁର ଟାଟା କୋଭିଡ ହସ୍ପିଟାଲ ରେ ଅକ୍ଟୋବର ୩ ତାରିଖ ରେ ମୃତ୍ୟୁବରଣ କରିଥିଲେ ।ଏହାପରେ ପଞ୍ଚାନନଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ବହୁ କଷ୍ଟ ରେ ନିଜର ନାବାଳକ ତିନି ପୁଅ ଏବଂ ଗୋଟିଏ ଝିଅକୁ ନେଇ ନାନା ବାଧାବିଘ୍ନ ରେ ପରିବାର ଚଳାଉଥିଲେ ।କିନ୍ତୁ କିଛିଦିନ ପରେ ବଡପୁଅ ଦୀପକ (୧୬)ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହେବାପରେ ତାର ଚିକିଛା ପାଇଁ ବହୁ ସମୟ ଭୁବନେଶ୍ୱର ଏମ୍ସ ରେ ରହୁଛନ୍ତି ଏବଂ ଅନ୍ୟ ତିନି ସନ୍ତାନ ଝିଅ ରୁପାଲୀ ମହାପାତ୍ର (୧୮)ରୁଦ୍ର ମହାପାତ୍ର (୧୨)ଓ ଓମ ମହାପାତ୍ର (୧୧)କୁ ନିଜ ଦିଅର ନାରାୟଣ ଘରେ ଛାଡି ଅଛନ୍ତି । ବର୍ତ୍ତମାନ ପୁଷ୍ପାଞ୍ଜଳି ବି କରୋନା ପଜିଟିଭ, ସେ ଭୁବନେଶ୍ୱର ସଙ୍ଗରୋଧ କେନ୍ଦ୍ର ରେ ଅଛନ୍ତି, ଚଳିବା ଅସୁବିଧା ଖାଇବା ସୁବିଧା ନାହିଁ, ବିଧବା ଭତ୍ତା ମିଳୁନାହିଁ ଏବଂ କୋଦଳା ଦିଅର ଘରେ ଥିବା ତିନି ସନ୍ତାନଙ୍କୁ ଜେଜେମା ସହିତ ଦାଦା ଖୁଡି ଓ ପିଉସୀ ନିର୍ଯ୍ୟାତନା ଦେଉଛନ୍ତି ଏପରିକି ଖାଇବାକୁ ମଧ୍ୟ ଦେଉନାହାନ୍ତି ବୋଲି କହିବା ସହିତ ଆମ୍ଭ ପରିବାର କୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ମହୋଦୟଙ୍କୁ ପତ୍ର ମାଧ୍ୟମ ରେ ନିବେଦନ କରିଛନ୍ତି । ନଚେତ ମୋର ତିନି ପ୍ରାଣୀ ଅନାହାର ରେ ମରିଯିବେ ବୋଲି ପତ୍ର ରେ ଉଲ୍ଲେଖ କରିଛନ୍ତି । ଏହି ଖବର ପରେ ଆମ୍ଭ ପ୍ରତିନିଧି କୋଦଳା କରଣସାହି ସ୍ଥିତ ନାରାୟଣ ମହାପାତ୍ରଙ୍କ ବାସଭବନକୁ ଯାଇ ସେ ମନ୍ଦିର ଯାଇଛନ୍ତି ଶୁଣି ମନ୍ଦିର ଯାଇ ନାରାୟଣ ସମେତ ପୁଷ୍ପାଞ୍ଜଳୀଙ୍କ ଦୁଇପୁତ୍ର ରୁଦ୍ର ଏବଂ ଓମ ଙ୍କ ସହିତ ବାର୍ତ୍ତାଳାପ କରି ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରିଥିଲେ ।କରୋନା ପାଇଁ ମନ୍ଦିର ବନ୍ଦ ଥିଲେ ବି କିଛି ସେବାୟତ ସେଠାରେ ଉପସ୍ଥିତ ଥିଲେ ତାଙ୍କରି ସମ୍ମୁଖରେ ଦୁଇ ପୁତ୍ର ମା କରିଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା ଆମ୍ଭ ଭାଇଭଉଣୀ ତିନିଜଣ ଆମ୍ଭ ଦାଦା, ଖୁଡି ଏବଂ ଜେଜେ ମାଙ୍କ ପାଖରେ ଖୁସି ରେ ଅଛୁ ,ଏମାନେ କେବେ ମାରଧର କରନ୍ତି ନାହିଁ, ଠିକ ସମୟ ରେ ଖାଇବାକୁ ଦିଅନ୍ତି ବୋଲି କହିବା ସହିତ ମୋର ମା ଏବଂ ଭାଇ ଖୁବ ଶୀଘ୍ର ଭଲ ହୋଇଯାଆନ୍ତୁ ବୋଲି କହିଥିଲେ । ସେଠାରେ ଉପସ୍ଥିତ ସେହି ସାହିବାସିନ୍ଦା କିଛି ସେବାୟତ ମଧ୍ୟ ତିନିଜଣ ଦାଦା ଖୁଡି ପାଖରେ ଭଲରେ ଅଛନ୍ତି ବୋଲି କହିଥିଲେ । ଏ ବିଷୟରେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ର କନିଷ୍ଠ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ଯେ ଉକ୍ତ ପରିବାର ର ଅସୁବିଧା ଆମେ ଜାଣିଲୁଣି । ଉକ୍ତ ପରିବାରକୁ ରାନ୍ଧଖାଦ୍ୟ ଯୋଗାଇବାକୁ କହିବାରୁ ସେମାନେ ମନାକଲେ, ଆମ୍ଭର ଖାଇବା ଠିକ ଅଛିବୋଲି କହିଲେ , ପୁଷ୍ପାଞ୍ଜଳୀଙ୍କ ବିଧବା ଭତ୍ତା ମାର୍ଚ୍ଚ ମାସରୁ ପଠାଯାଇଥିଲା, ବର୍ତ୍ତମାନ ଅନୁମୋଦନ ହୋଇଯାଇଛି, ସେ ଯେଉଁଦିନ ଠାରୁ ଆବେଦନ କରିଛନ୍ତି ସେହି ମାସଠାରୁ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ । ଏ ବିଷୟ ରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ସହିତ ଯୋଗାଯୋଗ ପରେ ସେ କହିଛନ୍ତି ଯେ ମୁଁ ଏ ସବୁ ଜାଣିଛି, ରକ୍ତ କର୍କଟ ରେ ପୀଡିତ ଦୀପକର ଚିକିତ୍ସା ଏମ୍ସ ରେ ହେଉଛି ଏବଂ ସେ ଯେମିତି ସର୍ବୋତ୍ତମ ଚିକିଛା ପାଇବେ ଏମ୍ସ ର ସୁପରିଟେଣ୍ଡେଣ୍ଟ ସହିତ ଆଲୋଚନା କରିଛି ଓ ତାର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯୋଗାଇବା ପାଇଁ ଚେଷ୍ଟା କରୁଛି । ଉକ୍ତ ପରିବାର ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛି ବୋଲି କହିବା ସହିତ ଗାଇଡ଼ଲାଇନ ଅନୁଯାଇ ଏନ୍ଏସି ତରଫରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି କହିଥିଲେ ଏବଂ ମୁଁ ସେହି ପରିବାର ନିକଟରେ ପହଞ୍ଚିବି ବୋଲି କହିଛନ୍ତି । ମୋ ନିର୍ବାଚନ ମଣ୍ଡଳୀରେ ଯେ କେହିବି ହେଉ ପାତର ଅନ୍ତର ନ କରି ମେଡିକାଲ କାର୍ଯ୍ୟରେ ସମସ୍ତଙ୍କୁ ସହଯୋଗ କରୁଛି ଏବଂ କରୁଥିବି ବୋଲି ବିଧାୟିକା ପ୍ରକାଶ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment