ଭଞ୍ଜନଗର,୩୦/୦୪(ପିପିଟି);ଭଞ୍ଜନଗର ଲଣ୍ଡେଇ ସାହି ଏସବିଆଇ ଏଟିଏମ ନିକଟରେ ଥିବା ଶିବ ଶଙ୍କର ସେନାପତି ଙ୍କ ଘରେ ଦୀର୍ଘ ଦିନ ହେଲା ଏକ ନକଲି ଘିଅ ଓ ତେଲ କାରଖାନା ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ ଏସ.ଆଇ ସମୀର କୁମାର ବେହେରା ମଙ୍ଗଳବାର ଅପରାହ୍ନରେ ଚଢ଼ାଉ କରିଥିଲେ। ସେତେବେଳେ କିଛି କର୍ମଚାରୀ ଅପମିଶ୍ରିତ ଘିଅ ପ୍ୟାକିଙ୍ଗ କାର୍ଯ୍ୟରେ ନିୟୋଜିତ ଥିଲେ।ସେଠାରୁ ଲକ୍ଷାଧିକ ଟଙ୍କାର ବିଭିନ୍ନ ବ୍ରାଣ୍ଡର ନକଲି ଘିଅ, ନଡ଼ିଆ ଓ ରାଶିତେଲ ଜବତ ହୋଇଥିଲା। ଏହି ଘଟଣାରେ ପୋଲିସ ଲଣ୍ଡେଇ ସାହିର ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେ କେ.ତିରୁମାଲା ରାଓ ଓ ତାର ବାପା କେ.କବିର ରାଓ। ସେହି ଗୋଦାମରୁ ୨୦ଲିଟର ଦୁର୍ଗା ଘିଅ, ୨୦ଲିଟର ସଂଜୀବନି ନଡ଼ିଆ ତେଲ,୬୯୧.୨ଲିଟର ରାଶିତେଲ,୧୦୦ଟି ଟିଣ ଡବାରେ ଥିବା ୧୫ଶହ ଲିଟର ତାଳ ତେଲ,୫୫ଟି ଟିଣ ଡବାରେ ଥିବା ୮୨୫ଲିଟର ରାଶିତେଲ, ୧୦କେଜି ନକଲି ରଙ୍ଗ ପ୍ରସ୍ତୁତ କରୁଥିବା ମଞ୍ଜି,ଗୋଟିଏ ଗ୍ୟାସ ଚୁଲା ଓ ସିଲିଣ୍ଡର, ବହୁ ପରିମାଣର ଖାଲି ତେଲ ଡବା ଓ ୪ବସ୍ତା ଖାଲି ଦୁର୍ଗା ଘିଅ ପ୍ୟାକେଟ ଜବତ କରାଯାଇଛି। ଏଠାରେ ଅସଲି ବ୍ରାଣ୍ଡକୁ ବ୍ୟବହାର କରି ନକଲି ଘିଅ ଓ ତେଲ ପ୍ରସ୍ତୁତ କରି ବଜାରକୁ ଛଡ଼ାଯାଉଥିଲା।ଏହି ଘଟଣାରେ କେଶ ନଂ ୧୭୩/୨୧ରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଏଭଳି ଘଟଣା ଭଞ୍ଜନଗର ଠାରେ ପ୍ରଥମ ଥର ହୋଇଥିବାରୁ ଗ୍ରାହକ ମାନେ ଅନ୍ୟାନ୍ୟ ସାମଗ୍ରୀର ମାନ କୁନେଇ ସନ୍ଦେହ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )