ଅଵ୍ୟବସ୍ଥା ଓ ବିପଦ ସଂକୁଳ ଅବସ୍ଥାରେ ପର୍ଯ୍ୟଟନ ସ୍ଥଳ ଶାଳିଆ ଡ୍ୟାମ ।

କୋଦଳା,୧୨/୧୨(ପିପିଟି):ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଶାଳିଆ ଡ୍ୟାମ! ସୌନ୍ଦର୍ଯ୍ୟର ମାନ୍ୟତା ପାଇଥିବା ଶାଳିଆ ଡ୍ୟାମ ଆଜି ସରକାରୀ କଳର ଅବହେଳା ହେଉ କିମ୍ବା ପର୍ଯ୍ୟଟକଙ୍କ ବେଖିଆଲ ମନୋଭାବ କାରଣରୁ ଏବେ ଅଳିଆ ଆବର୍ଜନାର ଗନ୍ତାଘର ପାଲଟି ଯାଇଛି । ଘାଇର ଉତଫୁଲୀତ ଜଳରାଶି ସହିତ ଦୂର ପାହାଡର ସୌନ୍ଦର୍ଯ୍ୟ ବଣଭୋଜି ପାଇଁ ଦୈନନ୍ଦିନ ଶତାଧିକ ଜନସାଧାରଣଙ୍କ ଭିଡି ଆଣୁଥିବା ଦେଖିବାକୁ ମିଳେ । ସରକାରଙ୍କ ତରଫରୁ ନିର୍ମାଣ ହୋଇଥିବା ପିଣ୍ଡି ଅତି ଆକର୍ଷଣୀୟ ହୋଇଥିବାରୁ ସ୍ଥାନୀୟ ଏବଂ ବହୁ ଦୂର ଦୁରାନ୍ତ ରୁ ଆସୁଥିବା ପର୍ଯ୍ୟଟକ ସେଠାରେ ଭୋଜି କରି ଖାଇଥାନ୍ତି କିନ୍ତୁ ପରୀତାପର ବିଷୟ ସେହି ସ୍ଥାନକୁ ସଫା ନ କରି ପର୍ଯ୍ୟଟକ ମାନେ ଅଇଁଠା ପତ୍ର, ବୋତଲ ଆଦି ପକାଇ ଅପରିଷ୍କାର କରୁଛନ୍ତି ।ତତ ସହିତ ସେହି ଜାଗାକୁ ଆସିବା ପାଇଁ ଗମନାଗମନର ଅସୁବିଧା ସହିତ, ପରିମଳ ବ୍ୟବସ୍ଥା ଖରାପ ସାଙ୍ଗକୁ ରାସ୍ତା ଉପରେ ବିଦ୍ୟୁତ ତାର ଝୁଲି ରହିଥିବା ନଜିର ରହିଥିବା ବେଳେ କେତେ ବେଳେ କଣ ଅଘଟଣ ଘଟିବ କିଛି କହିହେବ ନାହିଁ । ସେହି ପରିବେଶ ମଧ୍ୟରେ ଠୁଳ ଠୁଳ ମଦ କାଚ ଓ ପ୍ଲାଷ୍ଟିକ ବୋତଲ ପଡି ରହୁଛି । ଯାହା ଫଳରେ ସେଠାକୁ ଆସୁଥିବା ଭଦ୍ର ପରିବାର ବିମୁଖ ହୋଇପଡିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସ୍ଥାନୀୟ ନେତୃମଣ୍ଡଳୀଙ୍କୁ ପ୍ରସ୍ତାବ ଦେଉଛନ୍ତି । ଏହାକୁ ନେଇ ସୋମବାର କିଛି ସ୍ଥାନୀୟ ଯୁବକ ଓ ସ୍ବେଛାସେବୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟ ନେଇ ୱାଚ ଟାୱାର ଠାରେ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରି ପ୍ରାୟ ୧୦ କାର୍ଟୁନ କାଚ ବୋତଲ ,ଟିଣ, ପ୍ଲାଷ୍ଟିକ ବୋତଲ ସାଙ୍ଗକୁ ପଲିଥିନ ଗୋଟେଇ ନିଆଁ ଲଗାଇ ନଷ୍ଟ କରିଥିବା ବେଳେ, ପରବର୍ତ୍ତୀ କାର୍ଯ୍ୟକ୍ରମରେ ସଫେଇ କାର୍ଯ୍ୟକୁ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ଏବଂ ସରକାର ମଧ୍ୟ କିଛି କର୍ମଚାରୀଙ୍କୁ ସେଠାରେ ନିଯୁକ୍ତି ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ଓ ରାସ୍ତା ଉପରେ ସ୍ୱଳ୍ପ ଦୂରତାରେ ବିପଦ ସଂକୁଳ ଅବସ୍ଥାରେ ଥିବା ବିଦ୍ୟୁତ ତାରକୁ ମରାମତି କରିବାକୁ ଅନୁରୋଧ କରିଛନ୍ତି । ଏହି ମହତ କାର୍ଯ୍ୟରେ ଅଞ୍ଚଳର ଗୌତମ ସ୍ୱାଇଁ, ଅମୀୟ ପଣ୍ଡା ,ପ୍ରିୟବ୍ରତ ଜେନା, ଅଜୟ ସ୍ୱାଇଁ,ଦେବାଶିଷ ସ୍ୱାଇଁ ସମେତ ବହୁ ଉତ୍ସାହି ଯୁବକ ଓ ସ୍ବେଛାସେବୀ ଯୋଗ ଦେଇଥିଲେ ।ପରବର୍ତ୍ତୀ ସଫେଇ ଅଭିଯାନରେ ଯଦି ଅନ୍ୟ ମାନେ ସ୍ୱତପ୍ରବୃତ ଭାବେ ସହଯୋଗର ହାତ ବଢ଼ାନ୍ତି ସେମାନଙ୍କୁ ସ୍ୱାଗତ କରାଯିବ ବୋଲି କହିଛନ୍ତି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)

Comments (0)
Add Comment