ଅଳିଆ ବୁହା ଗାଡ଼ିରେ ଜାତୀୟ ପତାକା ; ଜନ ସାଧାରଣରେ ତୀବ୍ର ପ୍ରତିକ୍ରିୟା ।

ବେଲଗୁଣ୍ଠା, ୧୦/୦୯(ପିପିଟି ):ଆଜି ବେଲଗୁଣ୍ଠା ଏନଏସିର ଏକ ଅଳିଆ ବୁହା ଗାଡ଼ିରେ ଜାତୀୟ ପତାକା ଲାଗିଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ପ୍ରକାଶ ଥାଉକି କିଛିଦିନ ହେବ ବେଲଗୁଣ୍ଠାର ବିଭିନ୍ନ ସାହି ଏବଂ ଗଳିକନ୍ଦିରେ ଅଳିଆ ଗଦା ହୋଇ ରହିବା ସହିତ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢୁଛି । ଏହାକୁ ନେଇ ବିଭିନ୍ନ ୱାର୍ଡ଼୍ ରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଆଜି ସକାଳୁ ସକାଳୁ ଜାତୀୟ ପତାକାକୁ ଅସମ୍ମାନ କଲାଭଳି ଏକ ଅଭାବନୀୟ ଦୃଶ୍ୟ ଏହି ଜନ ଅସନ୍ତୋଷରେ ଘିଅ ଢାଳିଛି ।  ସୂଚନା ପ୍ରକାରେ ଆଜି ସକାଳେ ବେଲଗୁଣ୍ଠା ଏନଏସିର ଚାରି ନମ୍ବର୍ ୱାର୍ଡ୍ ଆଳିଆ ସାହି ଛକ ନିକଟରେ ରାସ୍ତା ପାର୍ଶ୍ବରେ ଅଳିଆ ଗଦା ପଡ଼ି ରହିଥିଲା । ସେଠାରେ ଥିବା ଏକ ଅଳିଆ ବୁହା ଗାଡ଼ିରେ କୌଣସି ଦୁର୍ବୃତ୍ତ ଏକ ଜାତୀୟ ପତାକା ଲଗାଇଥିବା ଦେଖିବାକୁ ମିଳିଥିଲା । କ୍ରମେ ଏହା ସାମାଜିକ ଗଣମାଧ୍ୟମରେ ଘୂରି ବୁଲିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଏନେଇ ବେଲଗୁଣ୍ଠା ନିର୍ବାହି ଅଧିକାରୀ ବନମାଳୀ ଶତପଥିଙ୍କୁ ପଚାରିବାରୁ ସିସିଟିଭି ଯାଞ୍ଚ୍ କରାଯାଇ ଘଟଣାର ସତ୍ୟାସତ୍ୟ ଯାଞ୍ଚ୍ ପରେ ସ୍ୱିପର୍ ର ଦରମା ବନ୍ଦ କରାଯାଇଥିବା ବେଳେ ସୁପରଭାଇଜଙ୍କୁ କାରଣ ଦର୍ଶାଅ ନୋଟିସ୍ କରାଯାଇଥିବା ପ୍ରକାଶ କରିଛନ୍ତି । ତେବେ ଏଥିରେ ପୋଲିସ ହସ୍ତକ୍ଷେପ କରି ଘଟଣାର ତଦନ୍ତ କରିବା ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Comments (0)
Add Comment