ଅର୍ଥାଭାବ ରୁ ଚାଲିଗଲା ପୁଷ୍ପଲତାର ଜୀବନ; ଚିକିତ୍ସା ପାଇଁ ବନ୍ଧା ପଡିଥିଲା ଗହଣା,ଘର, ଭତ୍ତା ଓ ରାସନ କାର୍ଡ଼ ।

ଭଞ୍ଜନଗର,୨୭/୦୨(ପିପିଟି); ଗତ ୬ମାସ ହେଲା ରକ୍ତ ହୀନତା ରୋଗର ଶିକାର ହୋଇଥିବା ଜଣେ ୨୦ ବର୍ଷୀୟା ଝିଅର ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଋଣ କରିବା ସହ ଇନ୍ଦିରା ଆବାସ ଗୃହ,ସୁନା କାନ ଫୁଲ, ରୂପା ପାଉଁଜି,ବାଦ୍ଧକ୍ୟ ଭତ୍ତା କାର୍ଡ଼ ଓ ରାସନ କାର୍ଡ଼କୁ ବନ୍ଧା ପକାଇ ମଧ୍ୟ ପୁଷ୍ପଲତାର ଜୀବନ ବଞ୍ଚାଇ ପାରିଲେନି ମାଆ ପରୀ ନାୟକ।ଅର୍ଥାଭାବରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଡାକ୍ତର ଖାନାରେ ଝିଅର ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବ ନଥିଲା। ଯାହାଫଳରେ ଯନ୍ତ୍ରଣାରେ ଛଟପଟ ହୋଇ ଶନିବାର ସକାଳେ ଭଞ୍ଜନଗର ମେଡ଼ିକାଲ ରେ ଚାଲିଗଲା ଝିଅର ଜୀବନ।ଜଗନ୍ନାଥ ପ୍ରସାଦ ବ୍ଲକ କ୍ଷେତ ମୁଣ୍ଡାଳି ପଞ୍ଚାୟତ ଶିଶୁଣ୍ଡା ଗ୍ରାମରେ ରହୁଥିବା ପରୀ ନାୟକ(୪୫) ଗତ କିଛି ବର୍ଷ ହେଲା ସ୍ୱାମୀ ଓ ଏକମାତ୍ର ପୁଅକୁ ହରାଇ ଶ୍ୱଶୁର ଓ ଏକମାତ୍ର ଝିଅ ପୁଷ୍ପଲତାକୁ ନେଇ ପରଘରେ କାମ କରି କଷ୍ଟେ ମଷ୍ଟେ ଚଳି ଯାଉଥିଲା। ହେଲେ ପରୀ, ତା ଝିଅ ପୁଷ୍ପଲତାକୁ କୌଣସି ମତେ ବାହା କରାଇ ଦେବାକୁ ଚାହୁଁ ଥିବା ବେଳେ ଗତ କିଛି ମାସ ହେଲା ଝିଅ ରକ୍ତହୀନତା ରୋଗରେ ଆକ୍ରାନ୍ତ ହେବାରୁ ତାର ଚିକିତ୍ସା ପାଇଁ ସବୁ କିଛି ସରିଗଲା।ହେଲେ ଝିଅର କଷ୍ଟ ସହି ନପାରି କିଛି ଦିନ ତଳେ ପରୀ ଝିଅର ଚିକିତ୍ସା ପାଇଁ ତାକୁ ବ୍ରହ୍ମପୁର ମେଡ଼ିକାଲ ନେଇଥିଲେ।ସେଠାରେ ଡାକ୍ତର ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଯିବାକୁ କହିବାରୁ ଖର୍ଚ୍ଚ ପାଇଁ ଅର୍ଥ ନଥିବାରୁ ପରୀ ବାଧ୍ୟହୋଇ ନିଜ ଗ୍ରାମକୁ ଝିଅକୁ ନେଇ ଚାଲି ଆସିଥିଲେ।ହେଲେ ଶୁକ୍ରବାର କିଛି ଗଣ ମାଧ୍ୟମ ପ୍ରତିନିଧି ଏହି ଖବର ପାଇ ପୁଷ୍ପଲତାର ଚିକିତ୍ସା ପାଇଁ ଉଦ୍ୟମ କରି ତାକୁ ପୁଣିଥରେ ଭଞ୍ଜନଗର ମେଡ଼ିକାଲକୁ ଆଣି ଥିଲେ। ଶନିବାର ପୁଷ୍ପଲତାକୁ ଭୁବନେଶ୍ୱର ପଠେଇବା ପାଇଁ ଟଙ୍କା ପଇସା ଯୋଗାଡ଼ ଚାଲିଥିଲା ବେଳେ ହାଠାତ୍ ତାର ମୃତ୍ୟୁ ଘଟିଥିଲା।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment