ଭଞ୍ଜନଗର ୨୦/୧୧(ପିପିଟି): ଭଞ୍ଜନଗର ଅଞ୍ଚଳରେ ନକଲି ବିଦେଶୀ ମଦ କାରବାର ହେଉଥିବା ଜାଣି ଏହାକୁ ରୋକିବା ଉପରେ ଆଗଭର ହୋଇଛି ଅବକାରୀ ବିଭାଗ। ଯାହା ଫଳରେ ଦୁଇଟି ପୃଥକ୍ ସ୍ଥାନରେ ଚଢ଼ାଉ କରି ମୋଟ ୨୭ ଲିଟର ୬୬୦ ମିଲିଲିଟର ନକଲି ବିଦେଶୀ ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ଦୁଇଟି ଦୁଇଚକିଆ ଯାନ ମଧ୍ଯ ଜବତ ହୋଇଛି। ଶୁକ୍ରବାର ଭଞ୍ଜନଗର ଅବକାରୀ ଥାନା ସ୍ୱତନ୍ତ୍ର ଟିମ୍ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଦୁଇଟି ସ୍ଥାନରେ ଚଢ଼ାଉ କରିଥିଲା।ସେଥି ମଧ୍ୟରେ ପ୍ରଥମେ ଗୋଛାବାଡ଼ି ଛକରେ ଚଢ଼ାଉ କରି ସେଠାରୁ ୫ ଲିଟର ୭୬୦ ମିଲିଲିଟର ନକଲି ବିଦେଶୀ ମଦ ସହ ଏକ ହିରୋ ସ୍ମୃଟି ଜବତ କରିବା ସହ ଆଭିଯୁକ୍ତ ଅଭିମନ୍ୟୁ ପ୍ରଧାନ (୩୨) ଓ ସିଲୁ ସେନାପତି (୨୧)ଙ୍କୁ ଗିରଫ କରିଥିଲା। ଏହାପରେ ପୁଣି ବୁଡ଼ୁରୁଙ୍ଗୁ ଛକରେ ଚଢ଼ାଉ କରି ସେଠାରୁ ୨୧ ଲିଟର ୯୦୦ ମିଲିଲିଟର ନକଲି ବିଦେଶୀ ମଦ ସହ ଏକ ହିରୋ ଗ୍ଲାମର ମୋଟର ସାଇକେଲ ଜବତ କରାଯାଇଛି। ଏହି ଘଟଣାରେ ପଞ୍ଚାନନ ସେନାପତି (୩୪)ଙ୍କୁ ଗିରଫ କରାଯାଇଛି। ଦୁଇଟି ଚଢ଼ାଉରେ ମୋଟ ୨୭.୬୬୦ ଲିଟର ନକଲି ବିଦେଶୀ ମଦ ଓ ଦୁଇଟି ଗାଡ଼ି ଜବତ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରାଯାଇଛି। ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ଭଞ୍ଜନଗର ଥାନା ପି.ଆର ନମ୍ବର ୧୩୭ ଓ ୧୩୮/୨୬ ରେ ଦୁଇଟି ମାମଲା ରୁଜୁ ହୋଇଛି।ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଭଞ୍ଜନଗର ଅବକାରୀ ଅଧିକାରୀ ବିଭୁ ପ୍ରସାଦ ସାହୁ କହିଛନ୍ତି।
ରିପୋର୍ଟ -ଜେ କେ ପଟ୍ଟନାୟକ