ଅବକାରୀ ବିଭାଗର ବ୍ୟାପକ ଚଢାଉ, ୭ ଗିରଫ, ୧୦ ମାମଲା ରୁଜୁ ।

ଭଞ୍ଜନଗର,୧୫/୦୩(ପିପିଟି); ଆଜି ଅବକାରୀ ବିଭାଗ ତରଫରୁ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ବ୍ୟାପକ ଧରପକଡ କରାଯାଇଛି । ଏହି ଧରପକଡରେ ଅବକାରୀ ବିଭାଗକୁ ବଡ ଧରଣର ସଫଳତା ମିଳିଛି । ଏଥିରେ ସମ୍ପୃକ୍ତ ଥିବା ସାତ ଜଣ ଆସାମୀକୁ ଅବକାରୀ ବିଭାଗ ଗିରଫ କରିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ଉପ-ଅଧିକ୍ଷକ ଅଭିରାମ ବେହେରାଙ୍କ ପ୍ରତ୍ୟେକ ତତ୍ତ୍ୱlବଧାନରେ ଭଞ୍ଜନଗର ଅବକାରୀ ଥାନା ଅନ୍ତର୍ଗତ ଗଣ୍ଡାଧାର ଲଣ୍ଡେଇହିଲ,ରାମପୁର, ହରିପୁର, ବାଦୁଆ, ପ୍ରଭୁତି ଗ୍ରାମରେ ବ୍ୟାପକ ଚଢାଉ କରାଯାଇଛି । ଚୋରା ମଦ ପ୍ରସ୍ତୁତି ଓ଼ ବିକ୍ରି ଅଭିଯୋଗରେ ୧୦ ଗୋଟି ଅବକାରୀ ମାମଲା ରୁଜୁ କରାଯାଇଥିବା ବେଳେ ୭ ଜଣ ଆସାମୀକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଚଢାଉରେ ୧୯୪୦ ଲିଟର ଚୋରା ହାତ ରନ୍ଧା ଦେଶୀ ମଦ ଏବଂ ୭୭୫୦ ଲିଟର ଗୁଡ଼ ମିଶ୍ରିତ ପଚକୁ ନଷ୍ଟ କରାଯାଇ ପ୍ରସ୍ତୁତିରେ ବ୍ୟବହୃତ ବ୍ୟାପକ ସରଞ୍ଜାମ ଜବତ କରାଯାଇଛି । ଏହି ବଡ ଧରଣର ଚଢାଉରେ ଜିଲ୍ଲା ଭ୍ରାମ୍ୟମାଣ ନିରୀକ୍ଷୀକା ପ୍ରତିଧାରା ନାୟକ,ଭଞ୍ଜନଗର ଅବକାରୀ ଉପ-ନିରୀକ୍ଷକ ପାର୍ଥ ସାରଥୀ ରାଉତ, ଅବକାରୀ ସହ ଉପନିରୀକ୍ଷିକା ମମତା କୁମାରୀ ଦାସ, ଉପନିରୀକ୍ଷକ ଭ୍ରାମ୍ୟମାଣ ଦୁର୍ଯ୍ୟୋଧନ ଦିଗାଲ ସମେତ ଜିଲ୍ଲାର ଅନ୍ୟାନ୍ୟ ଅବକାରୀ କର୍ମଚାରୀ ସାମିଲ ଥିଲେ । ଏମିତି ଚୋର କାରବାରରେ ଲିପ୍ତ ଥିବା ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆଗକୁ ଚଢାଉ ବ୍ୟାପକ କରାଯିବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି ।

(ପିପିଟି- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment