ଅବକାରୀ ଚଢାଉ ,୧୫ ଟି କେସ ଏବଂ ୧୨ ଅଭିଯୁକ୍ତ ଗିରଫ ।

ଭଞ୍ଜନଗର,୨୨/୦୩(ପିପିଟି); ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ନିର୍ଦ୍ଧେଶ କ୍ରମେ ଆସ୍କା ଅଞ୍ଚଳର ବିଭିନ୍ନ ସ୍ଥାନରେ ବ୍ୟାପକ ଧରପଗଡ କରାଯାଇଛି । ଏହି ଧରପକଡରେ ଅବକାରୀ ବିଭାଗକୁ ବଡ ଧରଣର ସଫଳତା ମିଳିଛି । ଏଥିରେ ସମ୍ପୃକ୍ତ ଥିବା ୧୨ ଜଣ ଆସାମୀକୁ ଗିରଫ କରାଯାଇଥିବା ବେଳେ ୧୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଜିଲ୍ଲା ଅବକାରୀ ଉପ ଅଧିକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ୱରେ ଏବଂ ଆସ୍କା ତହସିଲଦାର ସଦାନନ୍ଦ ସେଠୀଙ୍କ ଉପସ୍ଥିତ ରେ ଆସ୍କା ଅଂଚଳର ପାକଲାପଲ୍ଲୀ ଏରୋଗଲା କ୍ୟାମ୍ପ, ଜଗନ୍ନାଥ ପଲ୍ଲୀ ଏରୋଗଲା କ୍ୟାମ୍ପ, ବାଲିଶିରା ଏବଂ କୁମାଗଡ଼ ଅଂଚଳରେ ଚଢାଉ କରାଯାଇଥିଲା । ୧୬୯୩ ଲିଟର ହାତ ରନ୍ଧା ଚୋରା ମଦ ଏବଂ ୧୧୪୧୫ ଲିଟର ଗୁଡ ମିଶ୍ରିତ ପୋଚ ଜବତ କରି ନଷ୍ଟ କରାଯାଇଛି । ଏହି ବଡ ଧରଣର ଚଢାଉରେ ଆସିକା ଅବକାରୀ ନିରୀକ୍ଷକ ଧିରେନ କୁମାର ବେହେରା, ଭାରପ୍ରାପ୍ତ ଅବକାରୀ ଅଧିକାରୀ ପ୍ରଦୀପ କୁମାର ମହାନ୍ତି,ଷ୍ଟ୍ରାକିଙ୍ଗ ଫୋର୍ସ ଇନସପେକ୍ଟର ପ୍ରତିଧାରା ନାୟକ, ଜିଲ୍ଲା ଅବକାରୀ ଷ୍ଟ୍ରାକିଙ୍ଗ ଫୋର୍ସ ସବ -ଇନିସ୍ପେକ୍ଟର ଦୁର୍ଯ୍ୟୋଧନ ଦିଗାଲ ସମେତ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ସାମିଲ ଥିଲେ । ଏମିତି ଚୋରା ବେପାର କାରବାରରେ ଲିପ୍ତ ଥିବା ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆଗକୁ ଚଢାଉ ବ୍ୟାପକ କରାଯିବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment