ଅପହୃତଙ୍କୁ ଉଦ୍ଧାର କଲା ତାରସିଂ ପୋଲିସ ।

ଭଞ୍ଜନଗର, ୨୮/୦୭(ପିପିଟି) :ଗତ ୨୭ତାରିଖରେ ତାର ସିଂ ଗ୍ରାମର ଯୁବରାଜ ନାୟକଙ୍କ ପତ୍ନୀ ପ୍ରତୀମା ନାୟକ ତାରସିଂ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ଭୁବନେଶ୍ୱର କଳିଙ୍ଗ ନଗର ଅଞ୍ଚଳର ମନୋଜ କୁମାର ସାହୁ, ନିଜ ମାଲିକାନାରେ ଥିବା ଲୀଲା ଫାଉଣ୍ଡେସନରେ ତାଙ୍କ ସ୍ୱାମୀ ଯୁବରାଜ ନାୟକ କାମ କରୁଥିଲେ ଏବଂ କିଛି ଦିନ ପୂର୍ବେ ସେ ନିଜ ଗ୍ରାମ ତାର ସିଂ କୁ ଫେରିଥିଲେ। ମାଲିକ ମନୋଜ କୁମାର ତାଙ୍କ ସ୍ୱାମୀଙ୍କୁ ଭୁବନେଶ୍ୱର କର୍ମକ୍ଷେତ୍ରକୁ ଫେରି ଆସିବାକୁ ଫୋନରେ କହିଥିଲେ ଏବଂ ଯଦି ସେ ନ ଆସନ୍ତି ତେବେ ତାଙ୍କୁ ଅପହରଣ କରିବାକୁ ଧମକ ମଧ୍ୟ ଦେଇଥିଲେ।ଗତ ୨୬ତାରିଖ ରାତି ପ୍ରାୟ ସାଢ଼େ ଦଶଟା ସମୟରେ, ଅଭିଯୋଗକାରୀଙ୍କ ସ୍ୱାମୀ ଯୁବରାଜ ଏବଂ ଅନ୍ୟ ଜଣେ ଗ୍ରାମବାସୀ ପରମେଶ୍ୱର ନାଏକ ତାଙ୍କ ଗାଁର ଆରମ୍ଭରେ ଠିଆ ହୋଇଥିଲେ। ସେହି ସମୟରେ ୨ଜଣ ଅଜଣା ବ୍ୟକ୍ତି ଏକ ମୋଟର ସାଇକେଲରେ ଆସି ଉଭୟଙ୍କୁ ଅପହରଣ କରି ନେଇଥିଲେ। ଏହା ପରେ ଗରୁଡପଥର ଗ୍ରାମର ଏକ ମୋଡ଼ ନିକଟରେ ସେମାନେ ପରମେଶ୍ୱର ନାଏକଙ୍କୁ ଛାଡି ଯୁବରାଜଙ୍କୁ ଏକ କାରରେ ନେଇ ଯାଇଥିଲେ ଏବଂ ପରମେଶ୍ୱର ନାଏକଙ୍କୁ ଏସମ୍ପର୍କରେ କାହାକୁ ନ କହିବାକୁ ଧମକ ଦେଇ କହିଥିଲେ ଯଦି କାହାରିକୁ କହିବ ତାହେଲେ ସେମାନେ ଯୁବରାଜ ନାଏକଙ୍କୁ ହତ୍ୟା କରିବେ। ଏହା ପରେ ଅଭିଯୋଗକାରୀ ପ୍ରତିମା ନାଏକଙ୍କ ବଡ଼ ଭାଇ ଦିଲୀପ ନାଏକ ମନୋଜ ସାହୁଙ୍କୁ ଏସମ୍ପର୍କରେ ଫୋନରେ ଜଣାଇବା ପରେ ମାଲିକ ମନୋଜ କହିଥିଲେ ଯେ ଯଦି ସେମାନେ ଦେଢ଼ ଲକ୍ଷ ଟଙ୍କା ଦିଅନ୍ତି ତେବେ ସେମାନେ ଯୁବରାଜ ନାଏକଙ୍କୁ ଛାଡିଦେବେ।ଅଭିଯୋଗ ଆଧାରରେ ତାର ସିଂ ପୋଲିସ୍ ଷ୍ଟେସନ୍ କେସ୍ ନମ୍ବର ୨୮୭/୨୫. ଅନୁଯାୟୀ ଧାରା 140 (2) / 351 (2) / 351 (4) / 3 (5) ବିଏନଏସ ରେ ପଞ୍ଜୀକୃତ ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିଲେ। ଅଭିଯୁକ୍ତ ମନୋଜ କୁମାର ସାହୁ ଓରଫ ସୁନୀଲ (୩୬) ସ୍ୱୀକାର କରିଛନ୍ତି ଯେ, ସେ ପୀଡିତ ଜୁବରାଜ ନାୟକଙ୍କୁ ତାରାସିଂରୁ ଭୁବନେଶ୍ୱର ଅପହରଣ କରିବା ପାଇଁ ବାଇକ୍ ନମ୍ବର- OD 27B 2135 ଥିବା ଗୋଟିଏ କଳା-ଲାଲ ରଙ୍ଗର ପଲସର ମୋଟର ସାଇକେଲ ଏବଂ ଗାଡ଼ି ନମ୍ବର- OD 01AC 8349 ଥିବା ଗୋଟିଏ କଳା ରଙ୍ଗର ମହିନ୍ଦ୍ରା ସ୍କୋର୍ପିଓ ବ୍ୟବହାର କରିଥିଲେ। ଗିରଫ ହୋଇଥିବା ବ୍ୟକ୍ତି ଅଭିଯୁକ୍ତ ମନୋଜ କୁମାର ସାହୁଙ୍କ ଠାରୁ ଗୋଟିଏ ପରିଚୟ ପତ୍ର, ଦୁଇଟି ମୋବାଇଲ୍ ଫୋନ୍ ଜବତ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଅନ୍ୟ ୨ଜଣଙ୍କ ବିଷୟରେ ସୂଚନା ଦେଇଛନ୍ତି।ପୀଡିତ ଯୁବରାଜ ନାଏକଙ୍କୁ ଆଜି ଭୁବନେଶ୍ୱରରୁ ଉଦ୍ଧାର କରାଯାଇଛି ବୋଲି ତାର ସିଂ ଥାନା ଅଧିକାରୀ ଶୁଭଲଷ୍ମୀ ପୂଜାରୀ କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment