ପୋଲସରା,୦୨/୦୩ (ପିପିଟି): ଆକ୍ସନ୍ରେ ଗଞ୍ଜାମ ପୋଲିସ ବିଭାଗ । ମିଥ୍ୟା ସାଇବର ରୋକିବାକୁ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସମସ୍ତ ପୋଲିସ ଥାନା ଦ୍ଵାରା ବେନିୟମ ବା ମିଥ୍ୟା ବ୍ୟାଙ୍କ ଆକାଉଣ୍ଟ ଖୋଲି ସାଇବର ଠକେଇ କରୁଥିବା ସଂପୃକ୍ତ ଅଭିଯୁକ୍ତମାନଙ୍କୁ କାବୁ କରାଯିବା ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ଏହି ଅପରେସନର ନାମ ‘ସାଇବର କବଚ’ ରଖାଯାଇଛି ।
ଏହି କ୍ରମରେ ପୋଲସରା ଥାନା ପୁଲିସ ବିଭାଗ ଚଳିତ ମାସ ୧ ତାରିଖ ରବିବାର ଦିନ ଜଣେ ସାଇବର ଠକକୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି । ଥାନା ଆଇଆଇସି କୌଶିକ ମାଝୀଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ କିଛିଦିନ ହେବ ସାଇବର କବଚ ଅଭିଯାନ ଅନ୍ତର୍ଗତ ପୋଲସରା ପୁଲିସ ସନ୍ଦେହଜନକ ବ୍ୟାଙ୍କ ଖାତା ଉପରେ ନଜର ରଖିଥିବା ବେଳେ, ଗୋଟିଏ ମ୍ୟୁଲ୍ ଆକାଉଣ୍ଟ ଯୋଗେ ୫,୮୪,୮୪୩ ଟଙ୍କା ପଠାଯାଇଥିବା ଏବଂ ଏହି ଆକାଉଣ୍ଟରେ ଗତ ୩ ରୁ ୪ ମାସ ମଧ୍ୟରେ ୧୪,୪୬,୮୦୭ ଟଙ୍କାର ସନ୍ଦେହଜନକ କାରବାର ହୋଇଥିବା ଜଣାପଡିଥିଲା ।
ପରେ ଥାନାଅଧିକାରୀ ଉକ୍ତ ବେଆଇନ ଆକାଉଣ୍ଟକୁ ଉପଯୋଗ କରୁଥିବା ପୋଲସରା ଥାନା ଖଣ୍ଡୁରୁ ଗ୍ରାମ ପଞ୍ଚାୟତ ସ୍ଥିତ ଡି. ଚଢ଼ିଆପଡ଼ା ଗ୍ରାମର ପପୁ ସାହୁ ନାମକ ୨୭ ବର୍ଷର ଯୁବକଙ୍କୁ ଥାନାରେ ଆଇ.ସି.ଡବ୍ଲୁ.ପିଏସ. କେସ୍ ନଂ ୧୨୩/୨୦୨୬ ୟୁ/ଏସ. ୩୧୮(୪)/୬୧(୨)/୧୧୨(୨) ବିଏନଏସ/୬୬(ଡି) ଅଫ ଆଇଟି ମାମଲାରେ ଗିରଫ କରି କୋର୍ଟ ପଠାଇ ଦେଇଛି । ସେହିପରି ଜିଲ୍ଲାର ଆସିକା ଥାନା ପୁଲିସ ପକ୍ଷରୁ ୨ଟି ପର୍ଯ୍ୟାୟରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା